Unknown

 

 

 

 

 

 

 

 

 

 

 

ଲାଲ ଗୋଲାପ

ଅରୁନ୍ଧତୀ କର

 

ଅନୁଗତ ବନ୍ଧୁ

 

ପୋଖରୀ ତୁଠରେ ଲୁଗା କାଚୁ କାଚୁ ଶ୍ରୀମତୀ କୁକୁଡ଼ା ଓ ଶ୍ରୀମତୀ ବତକ କଥାଭାଷା ହେଉଥିଲେ ।

 

ଲୁଗାରେ ସାବୁନ ଲଗାଉ ଲଗାଉ କୁକୁଡ଼ା କହିଲା, “ବୁଝିଲ ନାନୀ, ଆଜିବି ବର୍ଷା ହେବ-। ହେଇ ଦେଖ ମ ଅବିକାଠୁ ଆକାଶରେ କଳାବଉଦ ଦେଖାଗଲାଣି”

 

ବତକ କହିଲା, “ହଁ ଲୋ, ଆଜି ତିନିଦିନଧରି ଖାଲି ତ ବର୍ଷା ହଉଚି । ପିଲାଗୁଡ଼ାଙ୍କୁ ପହଁରା ଶିଖେଇବି ବୋଲି ଯେତେ ଭାବୁଛି–ପୋଡ଼ାମୁହାଁ ବର୍ଷା ଟିକେହେଲେ ଫୁରୁସତ୍ ଦଉନି ।”

 

ତା’ କଥା ନ ସରୁଣୁ ସାଙ୍ଗେ ସାଙ୍ଗେ ଟୋପା ଟୋପା ବର୍ଷା ସେମାନଙ୍କ ଉପରେ ପଡ଼ିଲା-

 

ବତକ ଆଉ କୁକୁଡ଼ା ତରବର ହୋଇ ଓଦାଲୁଗାତକ ନେଇ ଲମ୍ବ ଲମ୍ବ ଗୋଡ଼ପକେଇ ଘରବାଟ ଧରିଲେ ।

 

ତା'ପରେ ରାତିସାରା ସେ କି ପ୍ରବଳ ବର୍ଷା ଓ ପବନ । କେତେ ଗଛ ଭାଙ୍ଗିପଡ଼ିଲା, ଘରର ଚାଳ ଉଡ଼ିଗଲା, ଆଉ ରାସ୍ତାରେ ଆଣ୍ଠୁଏ ଲେଖା ପାଣି ଜମିଗଲା ।

 

ତହିଁଆରଦିନ ବର୍ଷା ଛାଡ଼ିଗଲା । ଭାସିଯାଉଥିବା କଳା ମେଘ । ତଳୁ ସୂର୍ଯ୍ୟର କଅଁଳିଆ ଖରା ଚାରିଆଡ଼େ ପଡ଼ୁଥାଏ ।

 

ଖରା ଦେଖି ବୁଢ଼ାମୂଷା ତାଙ୍କର ପୋଖରୀ ତୁଠରେ ଥିବା ଘରୁ ଚୌକି ବାହାର କରି ଆଖିରେ ଚଷମା ଲଗେଇ ଖବରକାଗଜ ପଢ଼ିବାରେ ଲାଗିଲେ । ଶ୍ରୀମତୀ ବତକ ମଧ୍ୟ ପାଗଟା ଭଲ ଅଛି ଦେଖି ପିଲାମାନଙ୍କୁ ପହଁରା ଶିଖେଇବାଲାଗି ପୋଖରୀ ତୁଠରେ ପହଞ୍ଚିଲେ ।

 

“ମୁଣ୍ଡ ଉପରେ ଛିଡ଼ାହେବାକୁ ନ ଶିଖିଲେ, ତୁମେମାନେ ସମାଜରେ ମିଶିବ ନାହିଁ ।” ଶ୍ରୀମତୀ ବତକ ଏକଥା କହୁଥାନ୍ତି ଆଉ ନିଜେ ମୁଣ୍ଡ ଉପରେ ଛିଡ଼ାହୋଇ ପିଲାମାନଙ୍କୁ ଦେଖାଇଦଉଥାନ୍ତି ।

 

କିନ୍ତୁ ପିଲାମାନେ ସେଆଡ଼େ ଏତେ ମନ ନ ଦେଇ ଏଣେତେଣେ ଅନଉ ଥାନ୍ତି–କାହିଁକି ନା ସେମାନେ ଏତେ ସାନ, ସମାଜରେ ମିଶିପାରିବାର ଉପକାରିତା ବିଷୟରେ ସେମାନଙ୍କର କୌଣସି ଜ୍ଞାନ ନଥିଲା ।

 

ୟା ଭିତରେ ମୂଷା ଅଜାଙ୍କର କାଗଜପଢ଼ା ସରିଯାଇଥାଏ–ତେଣୁ ସେ ବତକ ଛୁଆମାନଙ୍କର ପହଁରିବା ଦେଖୁଥାନ୍ତି ।

 

ଛୁଆମାନଙ୍କର ଅନ୍ୟମନସ୍କତା ଦେଖି ବିରକ୍ତ ହୋଇ ମୂଷାଅଜା କହିଲେ “କେଡ଼େ ଅବାଧ୍ୟ ପିଲାଗୁଡ଼ାକ ମ । ମା କଥା ଟିକେହେଲେ ଶୁଣୁନାହାନ୍ତି । ଏମିତି ପିଲାଙ୍କର ବୁଡ଼ିମରିବା ଉଚିତ ।“

 

ମା ବତକ କହିଲା, “କ’ଣ କହିଲ, ମୋ ପିଲାମାନେ ମରିଯିବେ ? ଏମିତି ଟିକେ ବୁଦ୍ଧି ନାହିଁ ଯେ, ସବୁ ଜିନିଷ ଶିଖେଇବାକୁ ହେଲେ ବାପ ମାଙ୍କର ଧୈର୍ଯ୍ୟ ଦରକାର ।”

 

ଚଷମାଟା ଖୋଲୁ ଖୋଲୁ ମୂଷା କହିଲା, “ବାପ ମାଙ୍କ ଧୈର୍ଯ୍ୟ କଥା ମୁଁ କେମିତି ଜାଣିବି-? ମୁଁ ତ ବାହା ହେଇନାହିଁ–ହେବି ନାହିଁ ମଧ୍ୟ । ବାହା ହେଲେ ସ୍ତ୍ରୀ ସାଙ୍ଗରେ ବନ୍ଧୁତା ହୁଏନାହିଁ–ଖାଲି କଜିଆ ହୁଏ । ପ୍ରକୃତ ବନ୍ଧୁତା ଅତି ଉଚ୍ଚକୋଟିର ଜିନିଷ । ତା’ ଛଡ଼ା ପ୍ରକୃତ ବନ୍ଧୁ ମଧ୍ୟ ମିଳିବା ମୁସ୍କିଲ ।”

 

ଘରଚଟିଆଟିଏ ବସି ଏମାନଙ୍କ କଥା ଶୁଣୁଥିଲା । ସେ ହଠାତ୍ କହି ପକେଇଲା, “ପ୍ରକୃତ ବନ୍ଧୁ କିଏ ବୋଲି ଆପଣ ଜାଣିବେ କେମିତି ?”

 

“ଠିକ୍, ଠିକ୍” ବତକ କହିଲା, “ମୁଁ ମଧ୍ୟ ଏଇକଥା ଜାଣିବାକୁ ଚାହେଁ ।” ଏତକ କହିଦେଇ ସେ ପୋଖରୀ ଆରପଟକୁ ପହଁରି ଚାଲିଗଲା, ଆଉ ମୁଣ୍ଡ ତଳକୁ କରି ଛିଡ଼ାହେଲା ପିଲାମାନେ ଶିଖିବେ ବୋଲି ।

 

“ଆରେ, ଏଇ ସାମାନ୍ୟ କଥାଟା ଜାଣିନାହଁ,” ମୂଷା କହିଲା, “ସେଇ ପ୍ରକୃତ ବନ୍ଧୁ, ଯିଏକି ମୋର ଅତି ଅନୁଗତ ହେବ ।”

 

ଗଛ ଡାଳ ଉପରେ ଡେଉଁ ଡେଉଁ ଚଢ଼େଇ କହିଲା, “ଆଉ, ଆପଣ ତା’ବଦଳରେ କ'ଣ ଦେବେ ?”

 

“ତୁମ କଥାଟା ମୁଁ ଠିକ୍ ବୁଝିପାରୁନାହିଁ ।”

 

“ଆଚ୍ଛା, ତା'ହେଲେ ଏ ବିଷୟରେ ଗୋଟିଏ ଗପ ଶୁଣନ୍ତୁ ।” ଘରଚଟିଆ କହିଲା ।

 

ମୂଷା କହିଲା, “ଗପଟା କ’ଣ ମୋ ବିଷୟରେ ? ତେବେ ମୁଁ ନିଶ୍ଚୟ ଶୁଣିବି–ମତେ ଗପ ଶୁଣିବାକୁ ଭାରି ଭଲଲାଗେ ।”

 

“ନା, ନା, ଆପଣଙ୍କ ବିଷୟରେ ନ ହେଲେ ସୁଦ୍ଧା ଆପଣଙ୍କ ଭଳି ଲୋକ ବିଷୟରେ,” ଘରଚଟିଆ କହିଲା ।

 

ସେଠୁ ଘରଚଟିଆ ଆରମ୍ଭ କଲା–

 

ହାନସ ବୋଲି ଗୋଟିଏ ୧୯ । ୨୦ ବର୍ଷର ଟୋକା ଥିଲା । ଦେଖିବାକୁ ସେ ସେତେ ସୁନ୍ଦର ନୁହେଁ; କିନ୍ତୁ ହେଲେ କ’ଣ ହେଲା ତା’ ମନଟା ଖୁବ୍ ଉଦାର ଥିଲା । ସେ ଗାଁର ଶେଷ ସୀମାରେ ଗୋଟାଏ ଭଙ୍ଗାକୁଡ଼ିଆରେ ରହୁଥିଲା । ଆଉ ପ୍ରତିଦିନ ତା’ ବଗିଚାଟିରେ ସନ୍ଧ୍ୟାଯାଏଁ ଖଟୁଥିଲା । ତା’ ବଗିଚା ଭଳି ସୁନ୍ଦର ବଗିଚା ସେଇ ଗାଁରେ ଆଉ କାହାରି ନଥିଲା । ବର୍ଷଯାକ ତା’ ବଗିଚାରେ ଫୁଲ ଫୁଟୁଥିଲା । ସେଥିପାଇଁ ତା’ ବଗିଚାକୁ ଗଲେ ମନ ଖୁସିରେ ଭରିଯାଉଥିଲା ।

 

ହାନସର ବହୁତ ସାଙ୍ଗ ଥିଲେ, କିନ୍ତୁ ତା’ ମଧ୍ୟରୁ ହିଉ ଥିଲା ତା’ର ସବୁଠାରୁ ଅନୁଗତ । ହିଉର ମଇଦା କଳ ଥିଲା, ଆଉ ତା’ ଅବସ୍ଥା ମଧ୍ୟ ଖୁବ୍ ଭଲ ।

 

“ପ୍ରକୃତ ବନ୍ଧୁତା ମାନେ ହେଉଛି ଯେ ଦିଜଣଙ୍କ ଭିତରେ ଅଲଗା ବୋଲି କିଛି ରହିବ ନାହିଁ ।” ମଇଦାବାଲା ସବୁବେଳେ କହୁଥିଲା, ଆଉ ହାନସ ମୁଣ୍ଡ ଟୁଙ୍ଗରି ସେଥିରେ ହଁ ଭରୁଥିଲା । ମଇଦା ବାଲା ପାଖରୁ ଏତେ ବଡ଼ ବଡ଼ କଥା ଶୁଣି ହାନସ ତାକୁ ବନ୍ଧୁ ହିସାବରେ ପାଇଛି ବୋଲି ନିଜକୁ ଧନ୍ୟ ମନେକରୁଥିଲା ।

 

ସାଇପଡ଼ିଶାର ଲୋକମାନେ କାବା ହେଇଯାଉଥିଲେ, ଯେତେବେଳେ ସେମାନେ ଦେଖୁଥିଲେ ଯେ ମଇଦାବାଲା ନିଜର ଛଅଟା ଗାଈ, ମେଣ୍ଢାପଲ, ଏତେ ଥିବାସତ୍ତ୍ୱେ ହାନସକୁ ଦିନେହେଲେ କିଛି ଦଉନଥିଲା ।

 

ମଇଦାବାଲା ଠାରୁ ବନ୍ଧୁତ୍ୱ ବିଷୟରେ ବଡ଼ ବଡ଼ କଥା ଶୁଣି ହାନସ ଏତେ ମୁଗ୍ଧ ହେଇଯାଉଥିଲା ଯେ, ମଇଦାବାଲା ତାକୁ କ'ଣ ଦେଲା କି ନାହିଁ ସେକଥା ସେ ଭାବିବାକୁ ସୁଦ୍ଧା ସମୟ ପାଉ ନଥିଲା ।

 

ବସନ୍ତ, ଖରାଦିନ ଆଉ ହେମନ୍ତ ଋତୁରେ ହାନସର ଭଲରେ ଚଳିଯାଉଥିଲା । କିନ୍ତୁ ଶୀତ ଦିନରେ ବିଚରାକୁ ଖୁବ୍ କଷ୍ଟ ହେଉଥିଲା । ସେତେବେଳେ ତା’ ଗଛରେ ଫଳ ଫଳୁ ନଥିଲା କି ଫୁଲ ଫୁଟୁ ନଥିଲା । ସେଥିପାଇଁ ବଜାରରେ ବିକ୍ରି କରିବାର କିଛି ନଥିଲା । ଥଣ୍ଡା ଆଉ ଭୋକରେ ତା’ର ଭାରି କଷ୍ଟ ହେଉଥିଲା; କେଉଁଦିନ ହୁଏତ ଦିଖଣ୍ଡ ଶୁଖିଲା ରୁଟି ଜୁଟୁଥିଲା ତ କେଉଁଦିନ ଓପାସ ।

 

ଏହାଛଡ଼ା ଶୀତ ଦିନରେ ତାକୁ ବହୁତ ଏକୁଟିଆ ଲାଗୁଥିଲା, କାହିଁକି ନା ସେତେବେଳେ ମଇଦାବାଲା ତା’ ଘରକୁ ଥରେ ହେଲେବି ଆସୁ ନଥିଲା ।

 

ମଇଦାବାଲା ତା’ ସ୍ତ୍ରୀକୁ କହୁଥିଲା, “ବୁଝିଲ, ଶୀତ ନ ସରିବାଯାଏଁ ହାନସ ଘରକୁ ଯିବାର କୌଣସି ମାନେହୁଏ ନାହିଁ । ଲୋକମାନେ ଦୁଃଖ କଷ୍ଟରେ ଥିଲାବେଳେ ସେମାନଙ୍କୁ ଏକା ରହିବାକୁ ଦବା ଉଚିତ । ମୋରବି ମନେହୁଏ, ବନ୍ଧୁତ୍ୱ ସମ୍ପର୍କରେ ମୋର ଏ ଧାରଣା ଏକବାରେକେ ଠିକ୍ । ଶୀତଟା ଯାଉ, ବସନ୍ତ ଋତୁ ଆସିଲେ ମୁଁ ତା’ ପାଖକୁ ଯିବି । ସେ ସେତେବେଳେ ମତେ ଟୋକେଇ ଭର୍ତ୍ତିକରି ଗୋଲାପ ଦେଇ ପାରିଲେ କେଡ଼େ ଖୁସି ଅବା ନ ହବ !”

 

ନିଆଁରେ ହାତ ସେକୁ ସେକୁ ମଇଦାବାଲାର ସ୍ତ୍ରୀ କହିଲା, “ସତରେ ପର ଠେଇଁ ତୁମର କେତେ ଦୟା ! ବନ୍ଧୁତା ବିଷୟରେ ତୁମର ଧାରଣାଗୁଡ଼ାକ–ଶୁଣିଲା ଭଳି ।’’

 

ଏମିତି ସମୟରେ ମଇଦାବାଲାର ସାନ ପୁଅ କହିଲା, “ଆଚ୍ଛା ବାପା, ହାନସକୁ ତ ଆମ ଘରକୁ ନେଇ ଆସିଲେ ହୁଅନ୍ତା । ମୁଁ ତାକୁ ମୋ ଖାଇବାରୁ ଅଧା ଦେବି, ତାହାହେଲେ ଶୀତରେ ଆଉ ତା’ର କଷ୍ଟ ହବନି ।”

 

ମଇଦାବାଲା କହିଲା, “ଆରେ ମୂର୍ଖ, ତତେ ଏତେ ଟଙ୍କା ଖର୍ଚ୍ଚ କରି ଇସ୍କୁଲକୁ ପଠେଇ କ’ଣ ଲାଭ ହଉଚି ଜାଣୁନି । ତୋର ଯେ କେବେ ବୁଦ୍ଧିହେବ ? ହାନସ୍ ଯହି ଏଠି ଆସି ଏଇ ଖାଇବା ପିଇବା ଆଉ ଆରାମ ଦେଖେ, ତାହାହେଲେ ତା’ ମନରେ ହିଂସା ହବ । ହିଂସା ମଣିଷକୁ ନଷ୍ଟ କରିଦିଏ । ତା'ଛଡ଼ା ହାନସ୍ ଏଠି ଆସିଲେ ମୋଠୁ ମଇଦା ଧାର ମାଗିପାରେ–ଆଉ କାହାକୁ ଧାର ଦବା ମୁଁ ଏକଦମ ପସନ୍ଦ କରେନି । ମଇଦା ଓ ବନ୍ଧୁତା ଦିଟା ଏକଦମ ଅଲଗା ଜିନିଷ । ଦିଟାକୁ ମିଶେଇ ପକେଇଲେ ଖୁବ୍ ମୁସ୍କିଲ । ଆରେ କଥା ଦୁଇଟାର ବନାନ ଯେତେବେଳେ ଅଲଗା, ମାନେ ତ ନିଶ୍ଚୟ ଅଲଗା ହେବ । ଏତେ ସହଜ କଥାଟା ବୁଝି ପାରୁନାହୁଁ ।“

 

“ତୁମେ ଏଡ଼େ ସୁନ୍ଦର କଥା କୁହ ଯେ, ଶୁଣୁ ଶୁଣୁ ମତେ ନିଦ ଲାଗିଲାଣି,” ହାଇ ମାରୁ ମାରୁ ମଇଦାବାଲାର ସ୍ତ୍ରୀ କହିଲା ।

 

ମଇଦାବାଲା କହିଲା, “ଭଲ କାମ ସମସ୍ତେ କରି ପାରନ୍ତି; ମାତ୍ର ଭଲ କଥା ଖୁବ୍ ଅଳ୍ପ ଲୋକ କହି ପାରନ୍ତି । ଭଲ କଥା କହିବା ବହୁତ କଷ୍ଟକର, ଆଉ ଅତି ଉଚ୍ଚକୋଟିର ।“ ଏଇୟା କହି ସାରି ସେ ପୁଅ ଆଡ଼କୁ ଏମିତି କଟ ମଟ ହୋଇ ଅନେଇଲା ଯେ, ସେ ବିଚରା ଲାଜରେ ଟେବୁଲ ଉପରେ ମୁଣ୍ଡରଖି କାନ୍ଦି ପକେଇଲା ।

 

“କ’ଣ ତୁମ ଗପ ସରିଗଲା ?” ମୂଷା ପଚାରିଲା !

 

“ସରିଗଲା !” ଘରଚଟିଆ କହିଲା, “ଏଇ ତ ଜମା ଆରମ୍ଭ ।“

 

“ଓ ଏଇଟା ଆରମ୍ଭ, ତାହାହେଲେ କୁହ, ତୁମର ମଇଦାବାଲାଟି କିନ୍ତୁ ବଢ଼ିଆ ଲୋକ । ମୁଁ ବି ତା’ ଭଳି ବଡ଼ ବଡ଼ କଥା ଭାବିବାକୁ ଆଉ କହିବାକୁ ଭଲ ପାଏ ।“ ମୂଷା କହିଲା ।

 

ଘରଚଟିଆ ପୁଣି ଆରମ୍ଭ କଲା, “ତା'ପରେ ଯେମିତି ଶୀତ ସରିଗଲା, ଆଉ ଗୋଲାପ ଫୁଟିବାକୁ ଆରମ୍ଭ ହେଲା, ସେତେବେଳେ ମଇଦାବାଲା ତା’ସ୍ତ୍ରୀକୁ କହିଲା ଯେ, ଏଥର ସେ ହାନସ୍ ସାଙ୍ଗରେ ଦେଖା କରିବାକୁ ଯିବ ।”

 

ସ୍ତ୍ରୀ କହିଲା, “ଫୁଲ ଆଣିବାପାଇଁ ବଡ଼ ଟୋକେଇଟା ନବାକୁ ଭୁଲିବ ନାହିଁ ।’’

 

ବଡ଼ ଟୋକେଇଟା ମୁଣ୍ଡରେ ଲଦି ମଇଦାବାଲା ହାନସ୍ ଘର ଆଡ଼େ ବାହାରିଲା ।

 

“ହାନସ୍, ଭଲ ଅଛ ତ ?” ଗେଟ୍ ଖୋଲୁ ଖୋଲୁ ମଇଦା ବାଲା ପଚାରିଲା ।

 

ଉତ୍ତରରେ ହାନସ୍ ସବୁତକ ଦାନ୍ତ ବାହାର କରି କହିଲା, ‘‘ତୁମର ସବୁ ଭଲ ତ ?”

 

“ଏଥର ଶୀତଟା ତୁମର କେମିତି କଟିଲା ?” ମଇଦାବାଲା ପଚାରିଲା ।

 

ହାନସ୍ ଜବାବଦେଲା, “ନାଇଭାଇ, ଶୀତଟା ମୋର ଖୁବ୍ କଷ୍ଟରେ କଟିଚି । ଯା ହେଉ, ଏଥର ବସନ୍ତ ଆସିଲାଣି, ଫୁଲଗୁଡ଼ାକ ବହୁତ ଫୁଟିଲାଣି ।’’

 

ମଇଦାବାଲା କହିଲା, “ଶୀତଦିନରେ ଆମେ ପ୍ରାୟ ତୁମ ବିଷୟରେ କଥାହଉଥିଲୁ ।’’

 

“ଆହା, ତୁମେ କେଡ଼ ଭଲ । ମୁଁ ତ ଭାବିଥିଲି ତୁମେ ମତେ ଭୁଲିଯାଇଚ ବୋଲି ।’’

 

ମଇଦାବାଲା କହିଲା, “କି ଆଶ୍ଚର୍ଯ୍ୟ କଥା, ସାଙ୍ଗ କେବେ ସାଙ୍ଗକୁ ଭୁଲି ପାରେ ? ବାଃ ତୁମର ତ ବଢ଼ିଆ ଫୁଲ ଫୁଟିଚି ।”

 

“ହଁ, ଏଥର ବହୁତ ଫୁଲ ଫୁଟିଚି । ୟାକୁ ନେଇ ବଜାରରେ ବିକ୍ରି କରି ଯାହା ପଇସା ପାଇବି, ସେଥିରେ ମୋର ଠେଲାଗାଡ଼ିଟା ମୁକୁଳେଇ ଆଣିବି ।’’

 

“କି ବୋକା ଲୋକମ, ସେଟାକୁ କାହିଁକି ବନ୍ଧା ପକେଇଲ ?

 

ହାନସ୍ କହିଲା, “ଆଉ ତା’ ଛଡ଼ା ଉପାୟ ନଥିଲା । ଏତେ ଏତେ ବଡ଼ ଶୀତଟାରେ ମୋ ହାତରେ ଗୋଟାଏ ହେଲେବି ପଇସା ନଥିଲା, ସେଥିପାଇଁ ପ୍ରଥମେ ରୁପା ବୋତାମ, ତା’ପରେ ଘଡ଼ିର ଚେନ୍ ଆଉ ସବା ଶେଷରେ ଏଇ ଠେଲାଗାଡ଼ିଟା ବନ୍ଧା ପକେଇବାକୁ ହେଲା । ମୋ ହାତରେ ଅବିକା ଟଙ୍କା ଆସିଲେ ମୁଁ ସବୁ ଜିନିଷତକ ମୁକୁଳେଇ ଆଣିବି ।’’

 

ମଇଦାବାଲା କହିଲା, “ହାନସ୍ ତୁମେ କିଛି ଚିନ୍ତା କରନି । ମୋର ଗୋଟେ ଠେଲାଗାଡ଼ି ସେଟା ମୁଁ ତୁମକୁ ଦେଇଦେବି । ଯଦି ତା’ର ଗୋଟେ ପଟ ଭାଙ୍ଗି ଯାଇଚି ଆଉ ଗୋଟେଚକ ନାହିଁ । କିନ୍ତୁ ଯେହେତୁ ମୁଁ ଉଦାର–ଅନ୍ୟପରି ଏତେ କ୍ଷୁଦ୍ରମନା ନୁହେଁ । ମୋ ମତରେ ଉଦାରତା ନଥିଲେ ବନ୍ଧୁତା ହୁଏନି ।”

 

“ସତରେ ତୁମେ ମୋର କେତେ ଉପକାର କଲ କ'ଣ କହିବି ?” କହୁ କହୁ ହାନସ୍‍ର ଗୋଲ ମୁହଁଟା ଖୁସିରେ ଭରିଗଲା । ମୋ ପାଖରେ ଖଣ୍ଡେ କାଠପଟାବି ଅଛି ତା’ ଦେଇ ମରାମତି କରିନେବି” ।

 

“ଆରେ ତୁମର କାଠ ପଟା ଅଛି” ମଇଦା ବାଲା କହିଲା, “ମୁଁ ତ ତାହାହିଁ ଖୋଜୁଥିଲି । ମୋ ଖମାର ଛାତଟା ମରାମତି କରିବାପାଇଁ, ନ ହେଲେ ବର୍ଷାରେ ଧାନତକ ନଷ୍ଟ ହୋଇଯିବ । ଦେଖିଲତ ଉପକାର କଲେ ଉପକାର ମିଳେ । ମୁଁ ତୁମକୁ ମୋର ଠେଲାଗାଡ଼ିଟା ଦେଲି ତମେ ମତେ କାଠପଟା ଦବ ୟେତ ଜଣାକଥା ।

 

କାଠପଟା ଠାରୁ ଠେଲାଗାଡ଼ିର ଦାମ୍ ବେଶି ସତ–କିନ୍ତୁ ପ୍ରକୃତ ବନ୍ଧୁତାରେ ଏସବୁ ଲକ୍ଷ୍ୟକରିବା ଠିକ୍ ନୁହେଁ । ମତେ ଏଇକ୍ଷଣି କାଠପଟାଟା ଦେଇଦିଅ ନ ହେଲେ ଭୁଲିଯିବ ।“ ଏତେଗୁଡ଼ା କଥା ଏକା ନିଃଶ୍ୱାସରେ କହିବା ଫଳରେ ମଇଦାବାଲା ଧଇଁ ସଇଁ ହୋଇପଡ଼ିଲା । ଆଉ ହାନସ୍ ଦୌଡ଼ିଯାଇ ଘର ଭିତରୁ ପଟାଟା ନେଇଆସିଲା ।

 

କାଠପଟାଟା ଦେଖୁ ଦେଖୁ ମଇଦାବାଲା କହିଲା, “ପଟାଟା ସେତେ ବଡ଼ ନୁହେଁ, ମୋର ଖମାରର ଛାତଟା ମରାମତି କରିବାରେ ସବୁତକ ଲାଗିଯିବ । ତୁମ ଠେଲାଗାଡ଼ି ପାଇଁ ଆଉକିଛି ଅଣ୍ଟିବ ନାହିଁ । ସେଟାତ ଆଉ ମୋର ଦୋଷ ନୁହେଁ । ହଁ, ତୁମକୁ ଠେଲାଗାଡ଼ିଟା ଦେଲି ସେଥିପାଇଁ ତୁମେ ମତେ ଏଇ ଟୋକେଇରେ ଏକବାରେକେ ଭର୍ତ୍ତିକରି ଫୁଲ ଦିଅ । ତା’ ହାତରୁ ସେଇ ବଡ଼ ଟୋକେଇଟାରେ ନଇଁ ହାନସ୍ କହିଲା, “ଏକଦମ ଭର୍ତ୍ତିକରି ଦେବି ?” ତା’ ମନଟା ଭାରି ଖରାପ ହୋଇ ଗଲା କାହିଁକିନା ମଇଦାବାଲାକୁ ଦବାପରେ ବଜାରରେ ବିକିବାପାଇଁ ଆଉ କିଛି ଫୁଲ ନ ଥିବ ।

 

ମଇଦାବାଲା କହିଲା, “ତୁମକୁ ମୁଁ ଗୋଟେ ଠେଲାଗାଡ଼ି ଦେଲି–ଆଉ ତୁମେ ମତେ ସାମାନ୍ୟ ଫୁଲ କେଇଟା ଦବାରେ ଏତେ କୁନ୍ଥେଇ ହଉଛ ? ଛି, ଛି, ପ୍ରକୃତ ବନ୍ଧୁତାରେ ସ୍ୱାର୍ଥପରତା ଥିଲେ ବହୁତ ଖରାପ ।

 

“ନାଇ, ନାଇ, ମୁଁ ସେକଥା କହିନାହିଁ,” ହାନସ୍ କହିଲା “ତୁମେ ମୋର ସାଙ୍ଗ, ଫୁଲ କେଇଟା ନବ ଏଟା କିଛି ଗୋଟେ ବଡ଼ କଥା ନୁହ । ତୁମେ ଯେ ମତେ ସାଙ୍ଗ ବୋଲି ଭାବ, ମୋ ରୁପା ବେତାମଠାରୁ ମଧ୍ୟ ତା’ର ଦାମ୍ ବେଶି ।” ଏଇୟା କହି ହାନସ୍ ତା’ର ବଗିଚାର ସବୁ ଫୁଲତକ ମଇଦା ବାଲାର ଟୋକେଇରେ ଭର୍ତ୍ତି କରିଦେଲା ।

 

“ଆଚ୍ଛା ହଉ, ମୁଁ ଯାଉଚି,” କହି ମଇଦାବାଲା କାଠପଟା ଆଉ ଫୁଲ ଟୋକେଇ ନେଇ ଗେଟ୍ ଖୋଲି ଚାଲିଗଲା ଆଉ ହାନସ୍ ମନ ଖୁସିରେ ପୁଣି ମାଟି ଖୋଳିବାକୁ ଆରମ୍ଭକଲା । ଠେଲାଗାଡ଼ି କଥାରେ ତା’ ମନଟା ଏକଦମ ହାଲୁକା ହୋଇ ଯାଇଥିଲା ।

 

ତା’ ଆର ଦିନ ସକାଳେ ହାନସ୍ ଘର ଚାଳ ଉପରେ କେତୁଟା ଲତାକୁ ଟେକୁ ଥିଲାବେଳେ ଶୁଣିଲା ଯେ ମଇଦାବାଲା ତାକୁ ରାସ୍ତାରୁ ଡାକୁଛି । ସାଙ୍ଗେ ସାଙ୍ଗେ ହାନସ୍ ଗେଟ୍ ଖୋଲି ତା’ ପାଖକୁ ଗଲା । “ଭାଇ ହାନସ୍,” ମଇଦାବାଲା ଖୁବ୍ କଅଁଳିଆ କଣ୍ଠରେ କହିଲା, “ମୋର ୟେ ମଇଦା ବସ୍ତାଟା ଟିକେ ବଜାରକୁ ନେଇ ଗଲ ।”

 

“ଭାଇ କ'ଣ କରିବି, ଆଜି ମୋର ବହୁତକାମ । ଘାସକାଟିବି, ଭାଡ଼ି ତିଆରି କରିବି–ସେଥିପାଇଁ ଟିକେ ହେଲେ ସମୟ ନାହିଁ ।’’

 

“ଏଁ ମୁଁ ତୁମକୁ ମୋର ଠେଲାଟି ଦେଲି, ଆଉ ତୁମେ ମୋର ଏ ସାମାନ୍ୟ କାମଟା କରିବାକୁ ମନା କରୁଛ ?” ୟାକୁ କ'ଣ ପ୍ରକୃତ ବନ୍ଧୁତା କହନ୍ତି ?”

 

“ଛି, ଛି, ଭାଇ ଏମିତି କାହିଁକି ଭାବୁଛ ?” ତୁମେ ମୋର ସବୁଠାରୁ ବଡ଼ ବନ୍ଧୁ–ତୁମପାଇଁ ମୁଁ ପ୍ରାଣ ପର୍ଯ୍ୟନ୍ତ ଦେଇପାରେ କହିସାରି ହାନସ୍ ଭାରି ମଇଦା ବସ୍ତାଟା କାନ୍ଧରେ ଲଦି ବଜାର ଆଡ଼େ ଚାଲିଲା । ଏଡ଼େ ଗରମ ରାସ୍ତାରେ ପାଦ ପକାଇବା ମୁସ୍କିଲ–ଏତେ ଗରମ ! ଯାହାହଉ ବହୁତ କଷ୍ଟରେ ବଜାରରେ ପହଞ୍ଚି ମଇଦାକୁ ବେଶି ଭଲ ଦାମ୍‍ରେ ବିକ୍ରି କରି ହାନସ୍ ସନ୍ଧ୍ୟାବେଳେ ଘରକୁ ଫେରିଲା ।

“ଓଃ, ଆଜି ଖୁବ୍ ଖଟିଚି,” ବିଛଣାରେ ଶୋଇ ଶୋଇ ହାନସ୍ ଭାବିଲା, “ମଇଦାବାଲା କେତେ ଭଲ, ମତେ ତା’ ଠେଲାଟା ଦେବ” ଭାବୁ ଭାବୁ ସେ ଶୋଇ ପଡ଼ିଲା ।

ପରଦିନ ବଡ଼ିଭୋରରୁ ମଇଦାବାଲା ଯେତେବେଳେ ହାନସ୍ ଘରକୁ ମଇଦା ବିକ୍ରି ଟଙ୍କା ନବାକୁ ଆସିଲା, ସେତେବେଳେ ସେ ବିଛଣାରୁ ଉଠି ନଥିଲା ।

“ଆରେ,” ଆଶ୍ଚର୍ଯ୍ୟ ହେଇ ମଇଦାବାଲା କହିଲା, “ତୁମେ ଏଯାଏଁ ଉଠିନାହଁ ! ତୁମେତ ଭାରି ଅଳସୁଆ । ମୁଁ ଯେ ତୁମକୁ ମୋର ଠେଲାଟା ଦଉଚି, ଏକଥା ଭାବିକରି ମଧ୍ୟ ତୁମର ଆହୁରି ଖଟିବା ଉଚିତ । ଅଳସତା ମହାପାପ–ମୋର କୌଣସି ସାଙ୍ଗ ଅଳସୁଆ ହବ, ଏକଥା ମୁଁ ମୋଟେ ସହି ପାରେ ନା । ମୁଁ ତୁମକୁ ଏସବୁ କଡ଼ା କଥା କହୁଚି ବୋଲି କିଛି ମନେ କରନି । ତୁମର ଭଲ ଚାହେଁ ବୋଲି ମୁଁ ତୁମକୁ ଏମିତି କଡ଼ା କଥା କହି ଦୋଷ ଦେଖେଇ ଦଉଚି ।’’

ଆଖି ମଳୁ ମଳୁ ହାନସ୍ ବିଛଣାରୁ ଉଠିଲା । “ନାଇ ଭାଇ, ମୁଁ ନିଦରେ ଶୋଇନଥିଲି । ମତେ ଏତେ କ୍ଳାନ୍ତ ଲାଗୁଥିଲା ଯେ, ଶୋଇ ଶୋଇ ଚତେଇ ଗୀତ ଶୁଣୁଥିଲି । ଜାଣିଚ, ଚଢ଼େଇ ଗୀତ ଶୁଣିଲେ ମତେ କାମ କରିବାକୁ ଉତ୍ସାହ ଲାଗେ ।’’

ହାନସ୍‍ର ପିଠି ଚାପଡ଼ୁ ଚାପଡ଼ୁ ମଇଦାବାଲା କହିଲା, “ଜଲ୍‍ଦି ମୁହଁ ହାତ ଧୋଇନିଅ । ଆଜି ମୋ ଖମାରର ଛାତଟା ମରାମତି କରିଦବ ।”

ଏକଥା ଶୁଣି ହାନସ୍ ବିଚରାର ମନ ଖରାପ ହୋଇଗଲା, କାହିଁକି ନା ସେ ଦୁଇଦିନ ହେଲା ଗଛରେ ପାଣି ଦେଇ ପାରିନି ! ଆଉ ଯେତେବେଳେ ସେ ଭାବେ ବଗିଚା କାମ କରିବ ବୋଲି, ସେତେବେଳେ ମଇଦାବାଲା ତାକୁ ଏଣେତେଣେ କାମରେ ପଠାଏ ।

ସେ ଟିକେ ଡରି ଡରି କହିଲା, “କିନ୍ତୁ ଭାଇ, ମୋର ତ ଏତେ......

ତା’ କଥା ନ ସରୁଣୁ ମଇଦାବାଲା ଗମ୍ଭୀର ହୋଇ କହିଲା, “ମୁଁ ତୁମକୁ ମୋର ଠେଲାଟା ଦେଲି, ଆଉ ତୁମେ ମୋର ଏଇ ସାମାନ୍ୟ କାମ କରିବାପାଇଁ ଏତେ କୁଣ୍ଠିତ ହଉଛ ?’’

ମଇଦାବାଲାର ଗମ୍ଭୀର କଣ୍ଠସ୍ୱର ଶୁଣି ହାନସ୍ ତର ତର ହେଇ କହିଲା, “ହଁ ହଁ, ନିଶ୍ଚୟ ମୁଁ ଆଜି ତୁମର ଖମାରର ଛତାଟା ଠିକ୍ କରିଦେବି ।’’ କହିଦେଇ ତା’ ଘରେ ତାଲାପକେଇ ମଇଦାବାଲା ଘରକୁ ଗଲା । ତା’ପରେ ସେ ଦିନସାରା ତା’ ଘରେ ଖଟି ସନ୍ଧ୍ୟାବେଳେ ଯେତେବେଳେ ଛାତରୁ ଓହ୍ଲଉଚି ସେତେବେଳେ ମଇଦାବାଲା ଆସି ପହଞ୍ଚିଲା ।

“କ’ଣ ଛାତ କାମପୂରା ସରିଗଲା ?” ସେ ପଚାରିଲା ଆଉ ତା’ ଉତ୍ତରରେ ହାନସ୍ ମୁଣ୍ଡ ହଲେଇ ହଁ ଭରିଲା ।

ମଇଦାବାଲା କହିଲା, “ପରପାଇଁ କାମ କରିବାର ଆନନ୍ଦ ଆଉ ଦୁନିଆରେ ନାହିଁ ।”

ମୁହଁରୁ ଝାଳ ପୋଛୁ ପୋଛୁ ହାନସ୍ କହିଲା, “ତୁମର ଏଇ ସବୁ କଥା ଶୁଣିଲେ ନିଜକୁ ଧନ୍ୟ ମନେ କରେ । କିନ୍ତୁ ଏତେବଡ଼ କଥା ମୋ ମୁଣ୍ଡରେ କେବେ ପଶେନି ।”

“ଆରେ କାହିଁକି ବ୍ୟସ୍ତ ହଉଛ ? ଦିନ ଆସିବ, ଯେତେବେଳେ ତୁମେ ଏମିତି ବଡ଼ ବଡ଼ କଥା ଚିନ୍ତା କରିବ । ତୁମକୁ ଖାଲି ଟିକେ କଷ୍ଟ କରିବାକୁ ହେବ । ବନ୍ଧୁତା ଜିନିଷଟା ଏବେ ତୁମେ କାମରେ ଖଟଉଚ, ମାତ୍ର ଦିନେ ତୁମେ ତା’ର ଆଦର୍ଶ ବୁଝି ପାରିବ ।”

 

“ସତରେ କ’ଣ ମୁଁ ବୁଝି ପାରିବି ?”

 

“ନିଶ୍ଚୟ ପାରିବ । ଆଜି ଦିନସାରା ଖଟି ନିଶ୍ଚୟ ଖୁବ୍ ହାଲିଆ ହେଇ ଯାଇଚ ? ଅବିକା ଘରେ ଯାଇ ଶୋଇପଡ଼ । ନହେଲେ କାଲି ଭୋରରେ ମୋ ମେଣ୍ଢାପଲ ଚରେଇ ପାରିବନି ।’’

 

ହାନସ୍ ଡରରେ ମୁହଁ ଖୋଲି କିଛି କହି ପାରିଲା ନାହିଁ । ତା’ପରଦିନ ଭୋରରେ ମଇଦାବାଲା ମେଣ୍ଢାପଲ ନେଇ ହାନସ୍ ଘରେ ପହଞ୍ଚିଲା । ମେଣ୍ଢାପଲ ଚରେଇ ସେଦିନ ହାନସ୍ ଏତେ କ୍ଳାନ୍ତ ହୋଇ ପଡ଼ିଲା ଯେ, ସେ ବାରଣ୍ଡାରେ ଥିବା ଚୌକିରେ ବସୁ ବସୁ ଶୋଇପଡ଼ିଲା ।

 

ତା’ ପରଦିନ ସକାଳେ ଉଠି ହାନସ୍ ଭାବିଲା ଯେ, ସେ ବଗିଚାରେ ସାର ଦବ ବୋଲି ।

 

କିନ୍ତୁ ତା’ର ଏତେ ଇଚ୍ଛା ଥିଲେ ସୁଦ୍ଧା ବଗିଚା ଆଡ଼କୁ ମନଦେଇ ପାରିଲା ନାହିଁ, କାହିଁକି ନା ସବୁବେଳ ମଇଦାବାଲା ତାକୁ ନିଜ କାମରେ ଖଟାଉଥାଏ । ହାନସ୍‍ର ବେଳେ ବେଳେ ମନ ଖରାପ ହେଇଯାଏ ମଇଦାବାଲା ଉପରେ, କିନ୍ତୁ ଯେତେବେଳେ ସେ ଠେଲାଗାଡ଼ିଟା କଥାଭାବେ, ସେତେବେଳେ ତା’ ମନ ଖୁସିରେ ଭରିଯାଏ ।

 

ମଇଦାବାଲା ହାନସ୍‍କୁ ବନ୍ଧୁତା ବିଷୟରେ ଯେତେ ବଡ଼ ବଡ଼ କଥା କୁହେ, ହାନସ୍ ସବୁ ଗୋଟେ ବଡ଼ ଖାତାରେ ଲେଖି ରଖେ, ଆଉ ରୋଜ୍ ଶୋଇବା ଆଗରୁ ସେଗୁଡ଼ାକ ପଢ଼େ ।

 

ଦିନେ ସନ୍ଧ୍ୟାବେଳେ ଭାରି ଜୋର୍‍ରେ ପବନ ବହିବାକୁ ଲାଗିଲା । ସେଥିପାଇଁ ହାନସ୍ ଘର କବାଟ ବନ୍ଦ କରି ଚାଦର ଘୋଡ଼େଇ ହୋଇ ବିଛଣାରେ ଶୋଇଥାଏ । ଏତିକିବେଳେ ତା’ କବାଟରେ ଦୁମ୍‍ଦୁମ୍ ଶବ୍ଦ ହେଲା । ପ୍ରଥମେ ସେ ଭାବିଲା ଯେ, ପବନରେ ଏମିତି ଆବାଜ ହଉଚି ବୋଲି । କିନ୍ତୁ ଆଉରି ଦୁଇ ତିନି ଥର କବାଟରେ ବାଡ଼େଇବା ଶବ୍ଦ ଶୁଣି ହାନସ୍ ଭାବିଲା କୌଣସି ବାଟୋଇ ବୋଧହୁଏ ଆଶ୍ରୟ ଖୋଜୁଚି ।

 

କବାଟ ଖୋଲି ଦେଖିଲା ଯେ, ମଇଦାବାଲା ଗୋଟେହାତରେ ଲଣ୍ଠନ ଓ ଅନ୍ୟ ହାତରେ ଗୋଟେ ବାଡ଼ିଧରି ଛିଡ଼ା ହେଇଚି ।

 

ମଇଦାବାଲା କହିଲା, “ଭାଇ ହାନସ୍ ! ମୋ ପୁଅର ମୁଣ୍ଡ ପାଟି ଯାଇଚି, ମୁଁ ସେଥିପାଇଁ ଡାକ୍ତର ଡାକିବାକୁ ଯାଉଥିଲି । ଯାଉ ଯାଉ ମନେ ହେଲା ଯେ, ମୁଁ ନ ଯାଇ ତୁମେ ଗଲେ ଆଉରି ଭଲ । ମୁଁ ତୁମକୁ ଠେଲାଟା ଦେଇଚି; ତେଣୁ ତୁମେ ନିଶ୍ଚୟ ମୋର ଉପକାର କରିବ ।”

 

“ନିଶ୍ଚୟ କରିବି”, ହାନସ୍ କହିଲା, “ତୁମର ଲଣ୍ଠନଟା ମତେ ଦିଅ–ନ ହେଲେ ଅନ୍ଧାରରେ ନଳା ଭିତରେ ଗୋଡ଼ ଖସିଯିବ ।’’

 

ମଇଦାବାଲା କହିଲା, “ନାଇ ଭାଇ, ଲଣ୍ଠନଟା ଏକାବାରେକେ ନୂଆ । ସେଟା ଭାଙ୍ଗିଗଲେ ମୋର ବହୁତ ଲୋକସାନ ହବ ।”

 

“ଆଚ୍ଛା ହଉ, ମୋର ଲଣ୍ଠନ ନହେଲେ ଚଳିବ ।’’ କହି ହାନସ୍ ତା’ର ଲମ୍ବା କୋଟ ପିନ୍ଧି ବେକରେ ମଫଲର ବାନ୍ଧି ଡାକ୍ତର ଘର ଆଡ଼େ ବାହାରିଲା ।

 

ସେ କି ସାଂଘାତିକ ଝଡ଼ ! ଆଉ ସେମିତିକା କିଟି କିଟି ଅନ୍ଧାର । ହାନସ୍ ବିଚରା ଅନ୍ଧାରରେ କିଛି ଦେଖି ପାରୁନଥିଲା କି ପବନ ଧକ୍‍କାରେ ଭଲରେ ଚାଲି ପାରୁନଥିଲା ।

 

ଯାହା ହଉ, ବହୁତ କଷ୍ଟରେ ସେ ଚାଲି ଚାଲି ତିନି ଘଣ୍ଟା ପରେ ଡାକ୍ତର ଘରେ ପହଞ୍ଚି ତାଙ୍କ କବାଟରେ ଧକ୍‍କା ମାରିଲା ।

 

“କିଏ ?” ଝରକା ଖୋଲି ଡାକ୍ତର ପଚାରିଲେ ।

 

“ମୁଁ ହାନସ୍ ।”

 

“ହାନସ୍ ! କ’ଣ ଦରକାର ?”

 

“ମଇଦାବାଲାଙ୍କର ପୁଅର ମୁଣ୍ଡ ଫାଟି ପାଇଚି, ଆପଣଙ୍କୁ ଅବିକା ଟିକେ ଯିବାକୁ ହବ-।”

 

“ଆଚ୍ଛା ହଉ ଯାଉଚି,” କହି ଡାକ୍ତର ତାଙ୍କର ବୁଟ୍ ପିନ୍ଧି ଲଣ୍ଠନ ନେଇ ଘୋଡ଼ାରେ ଚଢ଼ି ଚାଲିଗଲେ, ଆଉ ହାନସ୍ ତାଙ୍କ ପଛେ ପଛେ ପୁଣି ଚାଲିବାକୁ ଲାଗିଲା ।

 

କ୍ରମେ ଆହୁରି ଜୋର୍‍ରେ ପବନ ବହିବାକୁ ଲାଗିଲା, ଆଉ ତା’ ସାଙ୍ଗକୁ ଭୀଷଣ ବର୍ଷା ପଡ଼ିବାକୁ ଲାଗିଲା । ହାନସ୍, ଅନ୍ଧାର, ପବନ ଆଉ ବର୍ଷାରେ କେଉଁ ଆଡ଼େ ଯାଉଚି, ବୁଝିପାରୁ ନଥାଏ । ସେ ବାଟ ଭୁଲି ବଡ଼ ବଡ଼ ଗାତ ଥିବା ଗୋଟେ ପଡ଼ିଆରେ ପହଞ୍ଚିଲା, ଆଉ ସେମିତି ଗୋଟେ ଗାତରେ ପଡ଼ି ହାନସ୍‍ର ପ୍ରାଣ ଛାଡ଼ିଗଲା ।

 

ତା' ପରଦିନ କେତେ ଜଣ ଲୋକ ସେଇ ବାଟ ଦେଇ ଗଲାବେଳେ ହାନସ୍‍କୁ ଦେଖିଲେ । ସେମାନେ ତା’ ଶବ ଗାଁକୁ ନେଇ ଆସିଲେ ।

 

ହାନସ୍‍କୁ ସମସ୍ତେ ଭଲ ପାଉଥିଲେ; ତେଣୁ ତା’ ମୃତ୍ୟୁରେ ସମସ୍ତେ ଦୁଃଖ କଲେ, କିନ୍ତୁ ସବୁଠୁ ବେଶି ଦୁଃଖ କଲା ମଇଦାବାଲା ।

 

ହାନସ୍‍କୁ କବର ଦବାପାଇଁ ବହୁତ ଲୋକ ତା’ ଶବ ସାଙ୍ଗରେ ଗଲେ । ମଇଦାବାଲା କହିଲା, “ମୁଁ ତା’ର ସବୁଠାରୁ ବଡ଼ ବନ୍ଧୁ ଥିଲି, ତେଣୁ ମୁଁ ସମସ୍ତଙ୍କର ଆଗରେ ଚାଲିବି ।” ଏଇୟା କହି ସେ ସବା ଆଗେ ଚାଲିଲା । ମଝିରେ ମଝିରେ ପକେଟରୁ ରୁମାଲ ବାହାର କରି ଆଖି ପୋଛିବାକୁ ଲାଗିଲା !

 

ହାନସ୍‍କୁ କବର ଦିଆ ସରିଗଲା । ତା’ପରେ ସମସ୍ତେ ହୋଟେଲରେ ବସି କୁକୁଡ଼ା ମାଂସ ଖାଉ ଖାଉ ତା’ ପାଇଁ ଦୁଃଖ ପ୍ରକାଶ କରିବାକୁ ଲାଗିଲେ । ଗାଁର କମାର କହିଲା, “ହାନସ୍ ମରିଗଲାରୁ ଆମ ସମସ୍ତଙ୍କର ଖୁବ୍ କ୍ଷତି ହେଲା ।’’

 

ସାଙ୍ଗେ ସାଙ୍ଗେ ମଇଦାବାଲା କହିଲା, “ମୋର କିନ୍ତୁ ସବୁଠାରୁ ବେଶି କ୍ଷତି ହେଲା । ମୋ ଠେଲାଟା ମୁଁ ତ ପ୍ରାୟ ତାକୁ ଦେଇ ଦେଇଥିଲି । ଅବିକା ସେଟା ନେଇ କ’ଣ କରିବି, କିଛି ଭାବିପାରୁନି । ସେଟାର ଏମିତିକା ଅକାମୀ ଅବସ୍ଥା ହେଇଚି ଯେ, ଘରେ ରଖି ହବନି କି ବିକିଲେ ଗୋଟେ ପଇସା ମଧ୍ୟ ମିଳିବ ନାହିଁ । ନା, ଆଉ କେବେ କାହାକୁ କିଛି ଦେବିନି । ଦୟା କରିବାକୁ ଗଲେ ଖାଲିଗୁଡ଼େ ହେଙ୍ଗାମ ।’’

 

ବହୁତ ବେଳ ପରେ ମୂଷା ପଚାରିଲା, “ତା’ପରେ ?”

 

ଘରଚଟିଆ କହିଲା, “ଏଇ ତ ଗପର ଶେଷ ।’’

 

“କିନ୍ତୁ ମଇଦାବାଲାର କ’ଣ ହେଲା ?”

 

“କେଜାଣେ କ’ଣ ହେଲା !” ଓଠ ନେଫେଡ଼େଇ ଘରଚଟିଆ କହିଲା ।" ତା’ର ଖବର ଜାଣି ମୋର କ’ଣ ଲାଭ ?”

 

“ମୁଁ ଦେଖୁଚି ଯେ, ତୁମ ଭିତରେ ସହାନୁଭୂତିର ବଡ଼ ଅଭାବ,” କହିଲା ବୁଢ଼ା ମୂଷା ।

 

“ମନେ ହଉଚି ଯେ ଆପଣ ବୋଧହୁଏ ଗପର ନୀତି କଥାଟା ବୁଝିପାରି ନାହାନ୍ତି,” କହି ଉତ୍ତରର ଅପେକ୍ଷା ନକରି ଘରଚଟିଆ ଉଡ଼ିଗଲା ।

Image

 

ସ୍ୱାର୍ଥପର ଦୈତ୍ୟ

 

ରାସ୍ତା କଡ଼ରେ ଗୋଟିଏ ଖୁବ୍ ସୁନ୍ଦର ବଗିଚା । ଏଇ ବଗିଚାରେ କଅଁଳ ଘାସ, ନାନା ରଙ୍ଗର ଫୁଲ ଆଉ ଫଳ ଗଛ ପୂରି ରହିଥିଲା ।

 

ସାନ ସାନ ପିଲାମାନେ ପ୍ରତିଦିନ ସ୍କୁଲରୁ ଘରକୁ ଫେରିବା ବାଟରେ ଏଇ ସୁନ୍ଦର ବଗିଚାରେ କିଛି ସମୟ ଖେଳା ଖେଳି କରନ୍ତି । କିନ୍ତୁ ଏଇ ବଗିଚାଟିର ମାଲିକ ଥିଲା ଗୋଟିଏ ଦୈତ୍ୟ । ଦୈତ୍ୟଟି ଯାଇଥିଲା ତା’ର ମାମୁଁ ପୁଅ ଭାଇ ଘରକୁ ବୁଲିବାଲାଗି । ସାତବର୍ଷ ସେ ସେଇଠି ରହିଗଲା । ସାତବର୍ଷ ପରେ ଦୈତ୍ୟର ଘର କଥା ମନେପଡ଼ିଲା । ଘରକୁ ଫେରି ଆସି ସେ ଦେଖିଲା ଯେ, ପିଲାମାନେ ତା’ ବଗିଚାରେ ଖେଳୁଛନ୍ତି ।

 

ଏଇୟା ଦେଖି ଦୈତ୍ୟ ରାଗରେ ଲାଲ ପଡ଼ିଗଲା । ଖୁବ୍ କଡ଼ା ଗଳାରେ ସେ କହିଲା, “ଏଇ ଟୋକାଏ, କିଏ ଏଠି ତୁମକୁ ଖେଳିବାପାଇଁ ହୁକୁମ ଦେଇଚି ?” ତା’ର ବିଶାଳ ଚେହେରା ଆଉ କଡ଼ା କଥା ଶୁଣି ପିଲାମାନେ ଏକା ଡିଆଁରେ ଛିନ୍‍ଛତର ହୋଇ ପଳେଇଲେ ।

 

ସେଠୁ ଦୈତ୍ୟ କହିଲା, “ଏ ବଗିଚାଟା ମୋର । ଖେଳିବାକୁ ହେଲେ ଏଠି ଏକା ମୁଁ ଖେଳିବି, ଆଉ କେହି ନୁହେଁ ।’’

 

ଏଇୟା କହି ସେ ବଗିଚା ଚାରିପଟେ ଗୋଟାଏ ବଡ଼ ପାଚେରି ଉଠେଇ ଦେଲା, ଆଉ ସେଇ ପାଚେରି ଦିହରେ ଗୋଟିଏ କାଠ ପଟାରେ ଲେଖି ଟଙ୍ଗେଇ ଦେଲା–

 

“ଏଇ ବଗିଚାରେ ପଶିଲେ,

 

ପୁଲିସ ହାତରେ ଦିଆଯିବ ।”

 

ଦୈତ୍ୟର ଏଇ ସ୍ୱାର୍ଥପରତାରେ ପିଲାମାନେ ଖୁବ୍ ଦୁଃଖିତ ହେଲେ । ତାଙ୍କର ଆଉ ଖେଳିବାକୁ ଜାଗା ନଥିଲା । ରୋଜ୍ ସ୍କୁଲରୁ ଫେରି ସେମାନେ ପାଚେରି ପାଖରେ ଠିଆ ହୋଇ “କି ସୁନ୍ଦର ବଗିଚା ଥିଲା, ଆମେ କେତେ ମଜା କରୁଥିଲୁ” ବୋଲି କୁହାକୁହି ହେଉଥିଲେ ।

 

ତା'ପରେ ବସନ୍ତ କାଳ ଆସିଲା । ସମସ୍ତଙ୍କର ବଗିଚାରେ କେତେ ରଙ୍ଗର ଫୁଲ ଫୁଟିଲା ଓ ନାନା ରଙ୍ଗର ଚଢ଼େଇମାନେ ସେଠାରେ ଗୀତ ଗାଇଲେ ।

 

କିନ୍ତୁ ଦୈତ୍ୟ ବଗିଚାରେ ଯେଉଁ ଶୀତକୁ ସେଇ ଶୀତ । ଯେହେତୁ ଏ ବଗିଚାରେ କୌଣସି ଛୋଟ ପିଲା ନଥିଲେ, ସେଥିପାଇଁ ଫୁଲ ଓ ଚଢ଼େଇମାନେ ଏ ବଗିଚାଟିକୁ ପସନ୍ଦ କରୁନଥିଲେ । ଥରେ ଗୋଟିଏ ଛୋଟ ଲାଲ ଫୁଲ ବରଫ ଭିତରୁ ମୁଣ୍ଡ ଟେକିଥିଲା; କିନ୍ତୁ ଯେମିତି ସେ ଦୈତ୍ୟର ଟଙ୍ଗା ହୋଇଥିବା ନୋଟିସଟି ଦେଖିଲା, ତା’ ମନ ଏତେ ଖରାପ ହୋଇଗଲା ଯେ, ସେ ପୁଣି ବରଫ ତଳେ ଶୋଇ ପଡ଼ିଲା ।

 

ବରଫ ଆଉ ଥଣ୍ଡା ପବନ ଖୁବ୍ ଖୁସି ହୋଇଗଲେ । ସେମାନେ କହିବାକୁ ଲାଗିଲେ, ‘କି ମଜା, କି ମଜା, ଆମେ ଏଠି ୧୨ ମାସ ଯାକ ରହିପାରିବୁ ।”

 

ତା’ ପରଦିନଠାରୁ ବରଫ ଆଉ ଥଣ୍ଡା ପବନ ବଗିଚାସାରା ମନ ଇଚ୍ଛା ଡିଆଁ ଡେଇଁ କରିବାକୁ ଲାଗିଲେ । ବରଫ କୁଆପଥରକୁ ନିମନ୍ତ୍ରଣ କଲା । କୁଆପଥର ଆସି ଏମିତି ଡେଇଁବାକୁ ଲାଗିଲା ଯେ, ଦୈତ୍ୟର ଘରର ଗୋଟାଏ ଅଂଶ ଏକଦମ ଭାଙ୍ଗିଗଲା ।

ଝରକା ପାଖରେ ଗାଲରେ ହାତଦେଇ ଦୈତ୍ୟ ଭାବୁଥାଏ, “ଏଥର ବସନ୍ତ ଆସିବାକୁ କାହିଁକି ଏତେ ଡେରି ହଉଚି ? ଶୀତ କେବେ ଯିବ ?”

ଦିନେ ସକାଳେ ଦୈତ୍ୟ ଗୋଟିଏ ଭାରି ସୁନ୍ଦର ସ୍ୱର ଶୁଣି ପାରିଲା । ସେ ଗୀତ ତାକୁ ଏତେ ଭଲ ଲାଗିଲା ଯେ, ସେ ଭାବିଲା ରାଜସଭାର କୌଣସି ଗାୟକ ଗୀତଗାଇ ଯାଉଛନ୍ତି । ଅସଲରେ ଗୋଟିଏ କୋଇଲି ତା’ ଝରକା ପାଖରେ ବସି ଗୀତ ଗାଉଥିଲା; ଆଉ ଦୈତ୍ୟ ବହୁତ ଦିନ ଚଢ଼େଇମାନଙ୍କର ଗୀତ ଶୁଣି ନଥିଲା ବୋଲି ତାକୁ ଏବେ କୋଇଲିର ଗୀତ ବହୁତ ମିଠା ଲାଗୁଥିଲା ।

ଆଖି ପିଛୁଳାରେ ଦୈତ୍ୟର ବଗିଚାରୁ ବରଫ କୁଆଡ଼େ ଉଭେଇ ଗଲା, ଆଉ ଚାରିଆଡ଼େ ଫୁଲ ବାସନା ମହକିବାକୁ ଲାଗିଲା । ‘ନିଶ୍ଚୟ ବସନ୍ତ ଆସିଗଲାଣି” କହୁ କହୁ ସେ ବିଛଣାରୁ ଉଠିଲା ।

ଆଉ ସେ କ'ଣ ଦେଖିଲା ଜାଣିଚ ?

ସେ ଦେଖିଲା, କାନ୍ଥରୁ କେମିତି କରି କେତୋଟି ଇଟା ଖସିଯାଇ ଗୋଟିଏ ଫାଙ୍କ ହୋଇଯାଇଛି, ଆଉ ସେଇବାଟ ଦେଇ ଛୋଟ ପିଲାମାନେ ବଗିଚା ଭିତରକୁ ପଶୁଛନ୍ତି । ପିଲାମାନେ ଗଛ ଡାଳରେ ବସି ଦୋଳି ଖେଳୁଥାନ୍ତି । ଫୁଲମାନେ ପିଲାମାନଙ୍କୁ ଦେଖି ଖୁସିରେ ଫୁଟିବାକୁ ଲାଗିଲେ–ଚଢ଼େଇମାନେ ଗୀତ ଗାଇବାକୁ ଆରମ୍ଭକଲେ । ବଗିଚାର ଗୋଟାଏ କୋଣରୁ କିନ୍ତୁ ବରଫ ଏ ଯାଏଁ ମିଳାଇ ନଥାଏ । ସେଇ କୋଣରେ ଥିବା ଗଛତଳେ ଗୋଟିଏ ଛୋଟ ପିଲା ଠିଆହୋଇ କାନ୍ଦୁଥାଏ । ସେ ବିଚରାର ଗଛରେ ଚଢ଼ିବାକୁ ଭାରି ଇଚ୍ଛା । କିନ୍ତୁ ସେ ଏତେ ସାନ ଯେ, ଗଛରେ ଚଢ଼ିପାରୁ ନ ଥାଏ । ଗଛଟି ତା’ ଡାଳକୁ ପାରୁପର୍ଯ୍ୟନ୍ତ ନୁଆଇଁଦେଇ କହୁଥାଏ ‘ଉଠିଆସ’ ‘ଉଠି ଆସ’ ! କିନ୍ତୁ ଗଛ ତା’ ଡାଳକୁ ଯେତେ ନୁଆଁଇଲେବି ପିଲାଟି ଧରିପାରୁ ନ ଥାଏ ।

ଛୋଟପିଲାଟିର କାନ୍ଦ ଦେଖି ଦୈତ୍ୟର ମନରୁ ରାଗ ଏକାବେଳକେ କୁଆଡ଼େ ଉଭେଇଗଲା । ସେ ସେଠୁ ମନେ ମନେ କହିଲା, “ସତରେ ମୁଁ କେଡ଼େ ସ୍ୱାର୍ଥପର ! ଯାଏଁ, ସେ ଛୋଟପିଲାଟିକୁ ଗଛରେ ଉଠାଇଦେଇ ଆସେ । ଏବେ ମୁଁ ବୁଝିପାରୁଛି, କାହିଁକି ମୋ ବଗିଚାକୁ ବସନ୍ତ ଆସିବାକୁ ଏତେ ଡେରି ହେଉଥିଲା । ମୁଁ ଏ କାନ୍ଥକୁ ଭାଙ୍ଗିଦେବି, ଆଉ ଏଠି ସବୁବେଳେ ପିଲାମାନେ ଖେଳିବେ ।’’ ସେ ଯାହା କରିଥିଲା ସେଥିପାଇଁ ତା’ ମନରେ ଖୁବ୍ ଅନୁତାପ ହେଲା ।

ସେ ତଳକୁ ଓହ୍ଲେଇ ଆସିଲା, କିନ୍ତୁ ତାକୁ ଦେଖିଲା ମାତ୍ରକେ ପିଲାମାନେ ଯିଏ ଯୁଆଡ଼େ ପଳେଇଲେ । ପିଲାମାନେ ଚାଲିଯିବା ମାତ୍ରକେ ଯେଉଁ ଶୀତକୁ ସେଇ ଶୀତ ।

ସବୁ ପିଲାମାନେ ପଳେଇଲେ, କିନ୍ତୁ ସେଇ ଛୋଟ ପିଲାଟି ଠିଆ ହୋଇ ରହିଲା । ତା’ ଆଖିରେ ଲୁହ ପୂରିଥିଲା ବୋଲି ସେ ଦୈତ୍ୟକୁ ଦେଖିପାରି ନଥିଲା ।

ଆସ୍ତେ ଆସ୍ତେ ଆସି ଦୈତ୍ୟ ତାକୁ ଗଛ ଉପରେ ବସେଇ ଦେଲା । ପିଲାଟି ଏତେ ଖୁସି ହୋଇଗଲା ଯେ ସେ ଦୈତ୍ୟର ବେକକୁ କୁଣ୍ଢେଇ ପକାଇଲା । ପିଲାଟିକୁ ବସେଇ ଦେଲା ମାତ୍ରକେ ବରଫ ମିଳାଇଗଲା ଚଢ଼େଇମାନେ ଫେରିଆସିଲେ ଆଉ ଫୁଲମାନେ ପୁଣି ମୁଣ୍ଡ ଟେକିଲେ ।

ଏଇୟା ଦେଖି ଅନ୍ୟ ପିଲାମାନେ ବୁଝିପାରିଲେ ଯେ, ଦୈତ୍ୟ ବହୁତ ବଦଳି ଯାଇଛି, ସେଥିପାଇଁ ସେମାନେ ତା’ ବଗିଚାକୁ ପୁଣି ଫେରି ଆସିଲେ । ଦୈତ୍ୟ ସେଠୁ କହିଲା, “ପିଲାମାନେ ଶୁଣ, ଏ ବଗିଚା ଆଜିଠୁ ତୁମମାନଙ୍କର ।” ଏତକ କହି ସେ ଗୋଟାଏ ବଡ଼ ଶାବଳ ଆଣି ସେ ପାଚେରିଟାକୁ ଭାଙ୍ଗିଦେଲା । ସେଦିନ ଉପରବେଳା ଲୋକମାନେ କାବା ହୋଇ ଦେଖିଲେ ଦୈତ୍ୟ ପିଲାମାନଙ୍କ ସାଙ୍ଗରେ ଲୁଚକାଳି ଖେଳୁଚି ।

କ୍ରମେ ଦିନ ଆଲୁଅ ଉଭେଇଗଲା । ଚାରିଆଡ଼ ଅନ୍ଧାର ହୋଇଆସିଲା । ପିଲାମାନେ ତା’ପରେ ଦୈତ୍ୟଠୁ ବିଦାୟ ନେବାକୁ ଆସିଲେ ।

ସେମାନଙ୍କ ଭିତରେ ଛୋଟ ପିଲାଟାକୁ ନ ଦେଖି ଦୈତ୍ୟ କହିଲା, “ଆରେ, ତୁମମାନଙ୍କର ସାଙ୍ଗ କୁଆଡ଼େ ଗଲା ? ଯାହାକୁ ମୁଁ ଗଛ ଉପରେ ବସେଇ ଦେଇଥିଲି ?”

ସେଇ ପିଲାଟି ତା’ର ବେକ କୁଣ୍ଢେଇ ଧରିଥିଲା ବୋଲି ଦୈତ୍ୟ ତାକୁ ସବୁଠାରୁ ଭଲପାଇଥିଲା ।

ଅନ୍ୟ ପିଲାମାନେ କହିଲେ, “କାଇଁ, ଆମେ ତ କୋଉ ଛୋଟ ପିଲାକୁ ଦେଖିନୁ । ସେ ନିଶ୍ଚୟ କେତେବେଳେ ଘରକୁ ଚାଲି ଯାଇଛି ।”

“ଯଦି ତା’ ସାଙ୍ଗରେ ତୁମମାନଙ୍କର ଦେଖା ହୁଏ, ତାକୁ କାଲି ନିଶ୍ଚୟ ଆସିବାକୁ କହିବ”–ଦୈତ୍ୟ କହିଲା । କିନ୍ତୁ ପିଲାମାନେ ତ ତା’ର ଘର ଚିହ୍ନି ନଥିଲେ; ତେଣୁ ଏକଥା ତାକୁ କହି ପାରିଲେ ନାହିଁ ।

 

ସବୁଦିନ ସ୍କୁଲ ଛୁଟି ହୋଇଗଲେ ପିଲାମାନେ ଦୈତ୍ୟର ବଗିଚାରେ ଖେଳିବାକୁ ଆସନ୍ତି-। କିନ୍ତୁ ଦୈତ୍ୟ ଯେଉଁ ପିଲାଟିକୁ ଖୋଜୁଥିଲା ସେ ଆଉ ଆସିଲା ନାହିଁ । ଦୈତ୍ୟ ଅବଶ୍ୟ ଅନ୍ୟ ପିଲାମାନଙ୍କୁ ଖୁବ୍ ଭଲପାଉଥିଲା; ଆସି ସେଇ ଛୋଟପିଲାଟି କଥା ସେ ଭୁଲି ପାରିଲା ନାହିଁ-

 

ଏମିତି କରି ବର୍ଷ ପରେ ବର୍ଷ ବିତିଗଲା । ଦୈତ୍ୟ ଏତେ ବୁଢ଼ା ହୋଇଗଲାଣି ଯେ, ଆଉ ଦୌଡ଼ାଦୌଡ଼ି କରିପାରେ ନାହିଁ; ତେଣୁ ସେ ଗୋଟେ ବଡ଼ ଚୌକିରେ ବସି ପିଲାମାନଙ୍କର ଖେଳ ଦେଖେ । ବେଳେବେଳେ ନିଜର ପାଚିଲା ଦାଢ଼ିରେ ଆଉଁଶି ଆଉଁଶି କହେ, “ମୋ ବଗିଚାରେ ବହୁତ ସୁନ୍ଦର ଫୁଲ ଅଛି, କିନ୍ତୁ ଏଇ ପିଲାମାନେ ସେ ସବୁ ଫୁଲଠାରୁବି ସୁନ୍ଦର ।”

 

ପୁଣି ଆଉ ଥରେ ଶୀତ ଆସିଲା । ଏବେ ଶୀତ ଉପରେ ଦୈତ୍ୟର ଆଉ କିଛି ବିରକ୍ତି ନାହିଁ । କାହିଁକି ନା, ସେ ଜାଣେ ବର୍ତ୍ତମାନ ଫୁଲ କଢ଼ମାନେ ବିଶ୍ରାମ ନେଉଛନ୍ତି–ବସନ୍ତ ଆସିଲେ ସେମାନେ ପୁଣି ମୁଣ୍ତ ଟେକିବେ ।

 

ଏମିତି ଗୋଟାଏ ଶୀତ ସକାଳରେ ହଠାତ୍ କୋଇଲି ଡାକ ଶୁଣି ଦୈତ୍ୟ ଚମକିପଡ଼ିଲା-। ସେ ଦେଖିଲା ଯେ, ବଗିଚାର କୋଣରେ ଗୋଟାଏ ବରଫ ଢଙ୍କା ଗଛରୁ ତାଜା ଡାଳ ପତ୍ର ବାହାରିଛି ଓ ସୁନ୍ଦର ଫୁଲରେ ଭରିଯାଇଛି ।

 

ଆଉ ସେଇ ଗଛ ତଳେ ସେଇ ପିଲାଟି ଛିଡ଼ା ହୋଇଛି– ଯାହାକୁ ସେ ଆଜିଯାଏଁ ଖୋଜୁଥିଲା ।

 

ସାଙ୍ଗେ ସାଙ୍ଗେ ସେ ଦୌଡ଼ିଗଲା ପିଲାଟି ପାଖକୁ । ପିଲାଟି ପାଖକୁ ଆସି ତା’ ମୁହଁ ରାଗରେ ଲାଲ ପଡ଼ିଗଲା । ଖୁବ୍ ବଡ଼ ପାଟିରେ ସେ କହିଲା, “କାହାର ଏତେ ସାହସ ଯେ, ତୁମକୁ ଏମିତି ମାରିଛି ?” ସେ ଦେଖିଲା ଯେ, ପିଲାଟିର ହାତ ଓ ଗୋଡ଼ରେ ରକ୍ତର ଦାଗ ଜମାଟ ବାନ୍ଧି ରହିଛି ।

 

“କିଏ ତୁମକୁ ମାରିଛି ?” ଦୈତ୍ୟ ପାଟିକରି କହିଲା । ତୁମେ ତା’ ନାଁ କହିଲେ ମୁଁ ତାକୁ ମୋର ଖଣ୍ଡାରେ ସାବାଡ଼ କରିଦେବି ।”

 

ଛୋଟ ପିଲାଟି କହିଲା, “ନା–ନା, ଏ ହେଉଛି ଭଲପାଇବାର ଚିହ୍ନ ।”

 

“ତୁମେ କିଏ ?” ଦୈତ୍ୟ ପଚାରିଲା । ତା’ ମନରେ ଗୋଟାଏ ଅଦ୍ଭୁତ ରକମର ଭୟର ଭାବ ଭରିଗଲା । ସେ ପିଲାଟି ସାମନାରେ ଆଣ୍ଠୁ ମାଡ଼ି ବସି ପଡ଼ିଲା ।

 

ଛୋଟ ପିଲାଟି ଦୈତ୍ୟ ମୁହଁକୁ ଅନେଇ ହସିକରି କହିଲା, “ଦିନେ ମତେ ତୁମ ବଗିଚାରେ ଖେଳିବାପାଇଁ ଦେଇଥିଲ । ଆଜି ମୁଁ ଆସିଛି ତୁମକୁ ମୋ ବଗିଚାକୁ ଡାକିନବା ପାଇଁ ! ମୋ ବଗିଚାର ନାଁ ହେଲା ସ୍ଵର୍ଗ ।

 

ସେଦିନ ଓପରବେଳା ପିଲାମାନେ ଯେତେବେଳେ ଖେଳିବାପାଇଁ ଦୈତ୍ୟର ବଗିଚାକୁ ଆସିଲେ, ସେମାନେ ଦେଖିଲେ ଯେ ଦୈତ୍ୟ ପଡ଼ିରହିଛି ସେଇ ଗଛତଳେ, ଆଉ ତା’ ଦିହସାରା ଛାଇ ଯାଇଚି ଧଳା ଫୁଲର ପାଖୁଡ଼ା ।

Image

 

ହାବେଳି

 

ରଜା ପୁଅର ବାହାଘର । ସେଥିପାଇଁ ଚାରିଆଡ଼େ ଧୁମ୍‍ଧାମ୍ ଆଉ ଗୋଳମାଳ ।

 

କନ୍ୟା ଥାଏ ରୁଷ ଦେଶରେ । ସେଠୁ ହରିଣ ଟଣା ଗାଡ଼ିରେ ଆସୁ ଆସୁ ବର୍ଷେ ଲାଗିଲା-। ସେ ଗାଡ଼ି ଦେଖିବାକୁ ଭାରି ସୁନ୍ଦର, ଠିକ୍ ମନେ ହଉଥିଲା ଯେମିତି ସୁନାରେ ତିଆରି । ରୁପେଲି ପୋଷାକ ଆଉ ସୁନା ମୁକୁଟ ଲଗେଇ ରାଜକନ୍ୟା ଠିକ୍ ଦେବକନ୍ୟା ଭଳି ଦିଶୁଥିଲା । ତାଙ୍କର ଦେଶ ବହୁତ ଥଣ୍ଡା, ଆଉ ଚାରିଆଡ଼େ ବରଫ । ସେଠିକାର ଲୋକମାନେ ବରଫରେ ଘର ତିଆରି କରି ରହନ୍ତି । ରାଜକନ୍ୟା ବରଫ ତିଆରି ନଅରରେ ରହି ରହି ତାଙ୍କର ଦେହର ରଙ୍ଗ ମଧ୍ୟ ବରଫ ଭଳି ଧଳା ହୋଇଯାଇଥାଏ । ରାସ୍ତା ଦି କଡ଼ରେ ଲୋକମାନେ ଠିଆ ହୋଇଥାନ୍ତି ଯୁବରାଣୀଙ୍କୁ ଦେଖିବେ ବୋଲି । ଏତେ ପରିଷ୍କାର ଧଳା ରଙ୍ଗ ଦେଖି ସେମାନେ କାବା ହୋଇ ଅନେଇ ରହିଲେ ଆଉ ନିଜ ଭିତରେ “ଆରେ ୟେଏତ ସତରେ ଗୋଟାଏ ଧଳା ଗୋଲାପ ବୋଲି” କହିବାକୁ ଲାଗିଲେ ।

 

ଗାଡ଼ି ଆସି ଯେତେବେଳେ ନଅର ଦୁଆର ମୁହଁ ପାଖରେ ପହଞ୍ଚିଲା, ସେତେବେଳେ ରାଜା ପୁଅ ନିଜେ ରାଜଜେମାକୁ ପାଛୋଟି ନବାକୁ ଆସିଲେ ।

 

କପାଳ ଉପରୁ ନିଜର ସୁନେଲି ବାଳକୁ ଆଡ଼େଇ ଦେଇ ରଜା ପୁଅ କହିଲେ, “ତୁମର ଛବି ଦେଖି ଯେତେ ସୁନ୍ଦର ବୋଲି ମନେ କରିଥିଲି, ବର୍ତ୍ତମାନ ଦେଖୁଚି ତୁମେ ତାଠୁଁବି ସୁନ୍ଦର ।”

 

ଏକଥା ଶୁଣି ଯୁବରାଣୀଙ୍କ ଧଳା ଗାଲ ଲାଜରେ ଲାଲ ପଡ଼ିଗଲା ।

 

କଥାଟା ସମସ୍ତଙ୍କର ମନକୁ ପାଇଲା । ତା’ପରେ ତିନି ଦିନ ଧରି ସମସ୍ତେ କହିବାକୁ ଲାଗିଲେ, “ଧଳା ଗୋଲାପ, ଲାଲ ଗୋଲାପ, ଲାଲ ଗୋଲାପ, ଧଳା ଗୋଲାପ ।”

 

କଥାଟା ଶୁଣି ରଜା ହୁକୁମ ଦେଲେ ଯେ, ସେ ଅମାତ୍ୟଟିର ଦରମା ବଢ଼େଇ ଦବାପାଇଁ-। ଅମାତ୍ୟଟି କୌଣସି ଦରମା ପାଉନଥିଲେ, ତେଣୁ ରଜାଙ୍କର ଏ ହୁକୁମରେ ତାଙ୍କର କିଛି ସୁବିଧା ହେଲା ନାହିଁ ।

 

କିନ୍ତୁ ତା’ ବୋଲି ସମ୍ମାନ ତ କିଛି କମ୍ ପାଇଲେ ନାହିଁ ! ଏମିତି କି ଖବରକାଗଜରେ ତାଙ୍କର ନାଁ ପ୍ରଥମ ପୃଷ୍ଠାରେ ଓ ବଡ଼ ବଡ଼ ଅକ୍ଷରରେ ବାହାରିଲା ।

 

ଏଇ ତିନି ଦିନ ପରେ ବାହାଘର ହେଲା । ସେ କି ଆଲୁଅ, ଲୋକବାକ, ଖାଇବା ପିଇବା, ଯେ କ’ଣ କହିବି ।

 

ଭୋଜି ପରେ ବରକନ୍ୟା ନାଚିବେ ବୋଲି ମଖମଲର ଚାଦର ପରା ହୋଇଥାଏ ।

 

ବରକନ୍ୟା ଗୋଟାଏ ଉଚ୍ଚା ଜାଗାରେ ସିଂହାସନରେ ବସିଲେ ସମସ୍ତେ ଦେଖି ପାରିବେ ବୋଲି । ବାହାଘର ସରିଗଲା ପରେ ବରକନ୍ୟା ପାଇଁ ଦି ଗିଲାସ ସରବତ ଆସିଲା । ୟେ ଗିଲାସ ସାଧାରଣ ଗିଲାସ ନୁହେଁ । ଗିଲାସରେ ଓଠ ଛୁଇଁଲା ମାତ୍ରକେ ତାହା ଯଦି ଲାଲ ହୋଇଯିବ, ତାହାହେଲେ ଜଣାଯିବ ଯେ କନ୍ୟା ପ୍ରକୃତରେ ସ୍ଵାମୀଙ୍କୁ ଭଲପାନ୍ତି, ଆଉ ପାଉଁଶିଆ ରଙ୍ଗ ହେଲେ ଜଣାଯିବ ଯେ, ତାଙ୍କର ଭଲ ପାଇବା ଅସଲ ନୁହେଁ, କପଟ ।

 

“ଗିଲାସର ରଙ୍ଗରୁ ଜଣାଯାଉଚି ଯେ, ଏମାନଙ୍କର ଭଲପାଇବା ଅତି ଗଭୀର ଓ କାଚ ପରି ନିର୍ମଳ,” ପୁଣି ସେଇ ଅମାତ୍ୟଟି କହିଲେ ।

 

ରଜା ଏକଥା ଶୁଣି ଏତେ ଖୁସି ହେଲେ ଯେ, ପୁଣି ଥରେ ତା’ର ଦରମା ବଢ଼େଇଦେଲେ-

 

“ଇସ୍, କେତେ ଉଚ୍ଚ ସମ୍ମାନ” ବୋଲି ସମସ୍ତେ ନିଜ ଭିତରେ କୁହାକୁହି ହେବାକୁ ଲାଗିଲେ-

 

ତା'ପରେ ଆରମ୍ଭ ହେଲା ନାଚ । ବରକନ୍ୟା ନାଚିବେ, ଆଉ ରଜା ବଇଁଶୀ ବଜେଇବେ-। ରଜାଙ୍କୁ ମୋଟେ ଭଲ ବଜେଇ ଆସୁନଥିଲା । ସେ ବଜେଇଲାବେଳେ ବେସୁର ଶୁଭୁଥିଲା-। ସେତ ରଜା ! ତେଣୁ ଯାହା ବଜଉଥିଲେ, ସମସ୍ତେ ସେଥିରେ ବାଃ ବାଃ ବୋଲି ହାତ ତାଳି ଦେଉଥିଲେ ।

 

ଯୁବରାଣୀ ବାଣ ମରା କେଭେଁ ଦେଖିନଥିଲେ । ସେ ରଜାପୁଅଙ୍କୁ ପଚାରିଲେ, “ବାଣ କେମିତିକା ଜିନିଷ ?”

 

ରଜା କହିଲେ, “ଠିକ୍ ସୂର୍ଯ୍ୟ ପରି ଦେଖିବାକୁ ।”

 

ରଜାଙ୍କର ଗୋଟିଏ ଖରାପ ଅଭ୍ୟାସ ଥିଲା ଯେ, ଅନ୍ୟମାନେ କଥା କହିଲାବେଳେ ସେଇ ପରେ ପଡ଼ି କଥା କହୁଥିଲେ ।

 

“ଆଜି ରାତିରେ ଦେଖିବ, କେତେ ସୁନ୍ଦର ସୁନ୍ଦର ବାଣ ପୋଡ଼ା ହେବ ।” କହିଦେଇ ରଜା ନଅର ଭିତରକୁ ଚାଲିଗଲେ ।

 

ରାତିରେ ବାଣ ପୋଡ଼ା ହବବୋଲି ଚାକରମାନେ ରାଜବଗିଚାରେ ଗୋଟାଏ ବଡ଼ ଭାଡ଼ି କରି ବାଣଗୁଡ଼ିକୁ ସବୁ ସଜାଡ଼ି ରଖିଦେଇ ଚାଲିଗଲେ ।

 

ସେମାନେ ଚାଲିଯିବା ମାତ୍ରକେ ବାଣମାନେ ନିଜ ଭିତରେ ଗପ୍‍ସପ୍ କରିବାକୁ ଆରମ୍ଭ କଲେ ।”

 

ଗୋଟାଏ ଚୁଚୁନ୍ଦ୍ରି ବାଣ କହିଲା, “ଯାହା କୁହ ଭାଇ, ଏ ପୃଥିବୀଟା ଭାରି ବଢ଼ିଆ ଜାଗା । ଦେଖୁନା, ବଗିଚାର ଫୁଲଗୁଡ଼ିକ କେତେ ରଙ୍ଗ ରଙ୍ଗିଆ, ମୁଁ ଅନେକ ଦେଶ ବୁଲିଚି । ଜାଣିଚ ତ ବୁଲାବୁଲି କଲେ ମନ ଆଶ୍ଚର୍ଯ୍ୟ ରକମର ଉଦାର ହୁଏ !”

 

ତା’ କଥା ଶୁଣି ଆତସବାଜି କହିଲା, “ଆରେ ବୋକା, ତୁ କ’ଣ ଭାବିଚୁ ଯେ ୟେ ରଜାଙ୍କ ବଗିଚାଟା ପୃଥିବୀ ବୋଲି । ଜାଣିଚୁ ପୃଥିବୀଟା ବହୁତ ବହୁତ ବଡ଼ ଜାଗା–ତାକୁ ଭଲଭାବରେ ଦେଖିବାକୁ ଗଲେ–ତି-ନି-ଦି-ନ ପୂରା ଲାଗିଯିବ ।”

 

“ଯିଏ ଯେଉଁ ଜାଗା ଭଲପାଏ, ସେଟାହିଁ ହେଉଚି ତା’ର ପୃଥିବୀ,” କହିଲେ ଶ୍ରୀମତୀ ଅନାର ବାଣ । ପ୍ରଥମ ଜୀବନରେ ସେ ଗୋଟାଏ ଭଙ୍ଗା ମାଟିର ସରାକୁ ଭଲ ପାଇଥିଲେ, ନିଜର ଭଙ୍ଗା ହୃଦୟକୁ ନେଇ ସେ ଗର୍ବରେ ଫାଟି ପଡ଼ୁଥିଲେ ।

 

“ଭଲ ପାଇବା ବୋଲି ଆଜିକାଲି କିଛି ନାହିଁ । କବିମାନେ ଏଇୟା ନେଇ ଏତେ ଲେଖାଲେଖି କରିଛନ୍ତି ଯେ, ଲୋକମାନେ ଆଉ କବିମାନଙ୍କ କଥା ବିଶ୍ୱାସ କଲେ ନାହିଁ–ତା’ ନ କରିବାର ତ କଥା । ପ୍ରକୃତ ଭଲ ପାଇବାମାନେ ଚୁପ୍‍ଚାପ୍ ଦୁଃଖ ସହିବା । ମନେ ପଡ଼େ ଥରେ–ଛାଡ଼, ଆଉ ଅତୀତ ନେଇ କ’ଣ ହବ ? ଭଲ ପାଇବାର ବର୍ତ୍ତମାନ ମୂଲ୍ୟ ନାହିଁ–ସେ ସବୁ ଥିଲା ଅତୀତର କଥା ।” ଏତିକ କହି ଭଲପାଇବାର ଦୁର୍ଗତି ଭାବି ଶ୍ରୀମତୀ ଅନାର ଗୋଟିଏ ଦୀର୍ଘ ନିଃଶ୍ୱାସ ପକେଇ ଉଦାସ ଭାବରେ ଅନେଇ ରହିଲେ ।

 

“ବାଜେ କଥା’ ପୁଣି ସେଇ ଆତସବାଜି କହିଲା, “ଭଲପାଇବା ଅମର । ଏଇ ଦେଖୁନା, ଆମ ଯୁବରାଜ ଯୁବରାଣୀଙ୍କର ଭଲପାଇବା କି ଗଭୀର ! ମୁଁ ସେମାନଙ୍କ ଘରର ଆଲମିରାରେ ଥାଇ ସବୁ ଶୁଣିଚି । ରଜାଙ୍କ ଘର ହାଣ୍ଡିଶାଳର ଖବର ମତେ ଜଣା ।”

 

ଶ୍ରୀମତୀ ଅନାର ଏତେ ଶୁଣି ମଧ୍ୟ, ଭଲ ପାଇବା ମରିଯାଇଚି, ଭଲପାଇବା ମରିଯାଇଛି," ବୋଲି କହିବାକୁ ଲାଗିଲେ । ଜଣେ ଜଣେ ଭାବନ୍ତି ଯେ, ଗୋଟେ କଥା ବାରମ୍ବାର କହିଲେ ତାହା ସତ ହୁଏ–ଶ୍ରୀମତୀ ଅନାର ସେଇ ଶ୍ରେଣୀର ।

 

ଏଇ କଥାରେ ଆତସବାଜି କିଛି କହିଥାନ୍ତା; କିନ୍ତୁ ହଠାତ୍ କାଶିବା ଶବ୍ଦ ଶୁଣି ସମସ୍ତେ ଚମକି ପଡ଼ି ପଛକୁ ଅନେଇଲେ ।

 

ଗୋଟିଏ ହାବେଳି ବାଣ କାଶିଥିଲା । ତା’ ଲମ୍ବା ମୁହଁ ଦେଖିଲେ ଜଣାଯାଏ ଯେ, ସେ ଭାରି ଗର୍ବୀ । ହାବେଳିର ଅଭ୍ୟାସ ସବୁବେଳେ କଥା କହିବା ଆଗରୁ କାଶିବା, ଯେଉଁଥିରେ କି ସମସ୍ତେ ତା’ ଆଡ଼େ ମନ ଦେବେ ।

 

ହାବେଳି ପୁଣି ଆଉ ଥରେ କାଶିଲା । ତା’ କଥା ଶୁଣିବାପାଇଁ ସମସ୍ତେ ଉଦ୍‍ଗ୍ରୀବ ହୋଇ ଅନେଇ ରହିଲେ । ଖାଲି ଶ୍ରୀମତୀ ଅନାର, ‘ଭଲ ପାଇବା ମରିଯାଇଚି,’ ବୋଲି ମୁଣ୍ଡ ହଲେଇ କହିବାରେ ଲାଗିଲେ ।

 

ଚୁଚୁନ୍ଦ୍ରି ବାଣ କହିଲା, “ଚୁପ୍, ଚୁପ୍, ଅର୍ଡ଼ର, ଅର୍ଡ଼ର ।” ସେ ଟିକେ ରାଜନୀତିବାଲା; ତେଣୁ ସଭାରେ କ’ଣ କହିବାକୁ ନ ହୁଏ ତାକୁ ଜଣାଥିଲା ।

 

“ଯାଇଚି, ମରି ଯାଇଚି,’ ପୁଣି ଥରେ ଫୁସ୍‍ଫୁସ୍ ହେଇ କହି ଅନାର ଦେବୀ ଶୋଇପଡ଼ିଲେ ।

 

ସମସ୍ତେ ଚୁପ୍ ହେଲାକ୍ଷଣି ଶ୍ରୀଯୁକ୍ତ ହାବେଳି ଆଉ ଥରେ କାଶି ତାଙ୍କ ବକ୍ତୃତା ଆରମ୍ଭ କଲେ । ଗମ୍ଭୀର କଣ୍ଠ ଆଉ ହାତ ଗୋଡ଼ ହଲେଇ ଯେପରି କହିବାରେ ଲାଗିଲେ, ସେଥିରେ ସେ ଜଣେ ମନ୍ତ୍ରୀ ଭଳି ମନେ ହେଉଥାଏ ।

 

ହାବେଳି କହିଲା, “ମତେ ପୋଡ଼ା ହେଲାବେଳକୁ ଯୁବରାଜଙ୍କ ବାହାଘର ହେଲା ।”

 

ଗୋଟିଏ ଟିକି ବାଣ କହିଲା, “ଭୁଲ୍, ଭୁଲ୍, ତାଙ୍କର ବାହାଘର ଉପଲକ୍ଷେ ମୋତେ ପୋଡ଼ା ହେବ ।”

 

ତା’ କଥା ଶୁଣି ବିରକ୍ତ ଭାବରେ ତା’ ଆଡ଼କୁ ଅନେଇ ହାବେଳି ପୁଣି ଆଉଥରେ କାଶି କଥା ଆରମ୍ଭ କଲା ।

 

“ମୁଁ କ'ଣ ଏମିତି ସେମିତି ଜଣେ ! ମୁଁ ଜଣେ ଅତି ବିଖ୍ୟାତ ହାବେଳି । ମୋ ବାପା ମା ମଧ୍ୟ ବିଖ୍ୟାତ ଥିଲେ । ମୋ ମା ସେ ଯୁଗର ପ୍ରସିଦ୍ଧ ଅନାର ଥିଲେ । ସେ ଯେତେବେଳେ ନାଚୁଥିଲେ, ସାତ ପ୍ରକାର ରଙ୍ଗ ବାହାରୁଥିଲା, ଆଉ ଲୋକମାନେ ମନଧ୍ୟାନଦେଇ ଦେଖୁଥିଲେ । ମୋ ବୁଢ଼ାବାପା ମଧ୍ୟ ଜଣେ ହାବେଳି ଥିଲେ । ସେ ଥରେ ଏତେ ଉପରକୁ ଉଠିଯାଇଥିଲେ ଯେ, ଲୋକମାନେ ଭାବିଲେ ସେ ଆଉ ତଳକୁ ଓହ୍ଲେଇବେନି । କିନ୍ତୁ ଶେଷପର୍ଯ୍ୟନ୍ତ ଜେଜେ ବାପା ଲୋକମାନଙ୍କ ଉପରେ ଦୟାକରି ତଳକୁ ଆସିଥିଲେ–ଦେଖିକରି ମନେ ହେଉଥିଲା ଯେମିତି ସୁନା ବର୍ଷୁଚି । ଖବରକାଗଜରେ ୭ଦିନ ତାଙ୍କର ପ୍ରଶଂସା ବାହାରିଥିଲା । କାଗଜ ସମ୍ପାଦକ ଲେଖିଥିଲେ ଯେ ସେ ହେଉଛନ୍ତି ଇନ୍ଦ୍ରଜାଲିକ ଶିଳ୍ପର ଚରମ ଦୃଷ୍ଟାନ୍ତ ।”

 

“ଉହୁଁ, ଇନ୍ଦ୍ରଜାଲିକ ନୁହେଁ, ଐନ୍ଦ୍ରଜାଲିକ, ମୋ Label ଉପରେ ଲେଖା ରହିଚି”, ମହତାବ କହିଲା ।

 

“ସେ ଯାହାହଉ, ମୁଁ ଇନ୍ଦ୍ରଜାଲିକ କୁହେ ।” ହାବେଳି କଥାଟା ଏତେ କଡ଼ା କରି କହିଲା ଯେ ବିଚରା ମହତାବ ଏକାବାରେକେ ଚୁପ୍ ହୋଇଗଲା ।

 

ହାବେଳି କହିଲା, “ମୁଁ କହୁଥିଲିକି–କହୁଥିଲି, ଧେତ୍ ମନେ ପଡ଼ୁନି କ’ଣ କହୁଥିଲି ।”

 

ତାରାବାଣ କହିଲା, “ତୁମେ ନିଜ କଥା କହୁଥିଲ ।”

 

“ହଁ, ହଁ, ଏଥର ମନେ ପଡ଼ିଲା କ'ଣ କହୁଥିଲି ବୋଲି । କେଡ଼େ ମଜାର କଥା କହୁଥିଲି, ହଠାତ୍ ଏଇ ଅଭଦ୍ର ଲୋକଟା ବାଧା ଦେଲା । ଅଭଦ୍ରତା ମୁଁ ମୋଟେ ବରଦାସ୍ତ କରିପାରେ ନାହିଁ । ମୋ ମନଟା–ଯାହାକୁ କହନ୍ତି ଭାରି ସୂକ୍ଷ୍ମ । ଏମିତି ସୂକ୍ଷ୍ମ ମନ ଦୁନିଆରେ ଆଉ କାହାରି ଅଛି ବୋଲି ମୋର ମନେ ହୁଏ ନାହିଁ ।

 

ଚୁଚୁନ୍ଦ୍ରି ତାରା ବାଣକୁ ଫୁସ ଫୁସ ହୋଇ ପଚାରିଲା, ‘‘ଭାଇ ସୂକ୍ଷ୍ମ ମନ ମାନେ କ’ଣ ?”

 

ତାରାବାଣ କହିଲା, “ସୂକ୍ଷ୍ମ ମନ ହେଉଚି ତା’ର, ଯିଏ କି ନିଜ ଗୋଡ଼ରେ ବଥ ହେଇଚି ବୋଲି ଅନ୍ୟ ଗୋଡ଼କୁ ମାଡ଼ି କରି ଚାଲେ ।”

 

କଥାଟା ଶୁଣି ଚୁଚୁନ୍ଦ୍ରି ବଡ଼ ପାଟିରେ ଏମିତି ହସିଲା ଯେ, କ’ଣ କହିବି ।

 

ହାବେଳି ସେଠୁ ଗମ୍ଭୀର ହେଇ କହିଲା, ‘ହଇରେ ଟୋକା; ମୁଁ ତ ହସୁ ନାହିଁ ତେବେ ତୁ କାହିଁକି ଏତେ ହସୁଚୁ ?”

 

‘ମନରେ ଫୂର୍ତ୍ତି ହେଇଚି, ସେଥିପାଇଁ ହସୁଚି,” କହିଲା ଚୁଚୁନ୍ଦ୍ରି ।

 

ହାବେଳି କିନ୍ତୁ ଏ କଥା ଶୁଣି ଭାରି ରାଗିଗଲା, ଆଉ କହିଲା, ତୁମେ ତ ଭାରି ସ୍ୱାର୍ଥପର-। ମନକୁ ମନ ହସିବାର ତୁମର କୌଣସି ଅଧିକାର ନାହିଁ । ତୁମର ଉଚିତ ସବୁବେଳେ ଅନ୍ୟପାଇଁ ଭାବିବା । ମୋ କଥା ଭାବିବା ଉଚିତ । ମୁଁ ତ ସବୁବେଳେ ମୋ କଥାଭାବେ; ଆଉ ମୁଁ ଆଶାକରେ ଯେ ସମସ୍ତେ ତାହାହିଁ କରିବେ । ଏହାକୁଇ କୁହାଯାଏ ସହାନୁଭୂତି । ସହାନୁଭୂତି ଗୋଟିଏ ମହତ୍ ଗୁଣ, ଆଉ ସେ ଗୁଣଟି ମୋଠାରେ ଯେତେ ଅଛି, ଆଉ କାହାଠାରେ ସେତେ ଅଛି କି ନାହିଁ ସନ୍ଦେହ-

 

ଏଇ ମନେକର ଆଜି ଯଦି ମୋର କିଛି ଭଲ ମନ୍ଦ ହୋଇଯାଏ, ତାହାହେଲେ ସମସ୍ତଙ୍କ ପକ୍ଷରେ କେଡ଼େବଡ଼ ଦୁର୍ଘଟଣା ନ ହେବ ? ଯୁବରାଜ ଓ ରାଣୀ ଆଉ କ’ଣ ଖୁସି ହେଇ ପାରିବେ-? ସେମାନଙ୍କର ସମସ୍ତ ବିବାହିତ ଜୀବନ ନଷ୍ଟ ହୋଇଯିବ । ଆଉ ରାଜା–ମୁଁ ଜାଣେ ସେ ସହଜରେ ୟେ ଧକ୍‍କା ସମ୍ଭାଳି ପାରିବେ ନାହିଁ । ସତରେ ମୋର ଯେ କେତେ ମର୍ଯ୍ୟାଦା ସେ କଥା ଭାବିଲେ ମୋତେ ପ୍ରାୟ କାନ୍ଦ ମାଡ଼େ ।”

 

ତାରା ବାଣ କହିଲା, “ଅନ୍ୟକୁ ଯଦି ଆନନ୍ଦ ଦବାକୁ ଚାହଁ, ତା’ ହେଲେ ନିଜକୁ ଶୁଖିଲା ରଖ ।”

 

“ନିଶ୍ଚୟ”, ମହତାବ କହିଲା, “ୟେ ତ ସାଧାରଣ ବୁଦ୍ଧିର କଥା ।”

 

ହାବେଳି କହିଲା, “ସାଧାରଣ ବୁଦ୍ଧି ! ତୁମେମାନେ ଭୁଲିଯାଉଚ ଯେ, ମୁଁ ଅସାଧାରଣ । ଆରେ ସାଧାରଣ ଜ୍ଞାନ ତ ଯେ କୌଣସି ଲୋକଙ୍କର ଥାଇପାରେ । କିନ୍ତୁ କଳ୍ପନା ଶକ୍ତି ଖୁବ୍ ଅଳ୍ପ ଲୋକଙ୍କର ଅଛି । ମୋର କଳ୍ପନା ଶକ୍ତି ଅଛି ବୋଲି ଗୋଟିଏ ଜିନିଷକୁ ତୁମେମାନେ ଯାହା ଭାବ, ମୁଁ ତାଠାରୁ ଅଲଗାଭାବେ । ଏଇ ଯଉ ତୁମେ କହିଲ, ମୋର ଶୁଖିଲା ରହିବା ଉଚିତ, ତା’ ମାନେ ମୋର କଳ୍ପନା ଶକ୍ତି ସମ୍ବନ୍ଧରେ ତୁମ୍ଭମାନଙ୍କର କୌଣସି ଧାରଣା ନାହିଁ । ତୁମେ ମୋ ଭଲ ଭାବ କି ମନ୍ଦ ଭାବ, ପରଓ୍ୱା କରେନି । ଯେତେଦିନ ଯାଇଚି ସେତେ ମୋର ମନରେ ଧାରଣା ହେଉଚି, ଯେ ମୋ ଛଡ଼ା ଦୁନିଆରେ ଆଉ ସମସ୍ତେ ବହୁତ ବହୁତ ନୀଚ ସ୍ତରର । ତୁମମାନଙ୍କର ହୃଦୟ ବୋଲି କିଛି ନାହିଁ । ତୁମେମାନେ ଏଠାରେ କେଡ଼େ ମୌଜରେ ହସାହସି ହଉଛ; କିନ୍ତୁ ଯୁବରାଜଙ୍କର ଏଇକ୍ଷଣି ବାହାଘର ହେଲା ସେ କଥା ତୁମ କାହାରି ମନେ ଅଛି ?”

 

ଏ କଥା ଶୁଣି ଗୋଲଗାଲ ବେଲୁନ କହିଲା, “ଆରେ, ରଜାପୁଅଙ୍କର ବାହାଘର ବୋଲି ତ ଆମେ ଏତେ ଫୂର୍ତ୍ତି କରୁଚୁ । ଅବିକା ତ ଫୂର୍ତ୍ତି କରିବାର ସମୟ । ମୁଁ ତ ଭାବୁଚି ଉଡ଼ି ଯାଇ ତାରାମାନଙ୍କୁ ଯୁବରାଜଙ୍କ ରୂପ କଥା କହିବାପାଇଁ । ଦେଖିବ, ସେମାନେ କେଡ଼େ ଖୁସି ହେବେ ।”

 

“ଛି, ଛି, ଜୀବନ ସମ୍ପର୍କରେ ତୁମମାନଙ୍କର କି ନୀଚ ଦୃଷ୍ଟିଭଙ୍ଗୀ ।” କହିଲା ହାବେଳି, “ସତରେ ତୁମମାନଙ୍କ ପାଖରୁ ୟାଠୁ ବେଶି ଆଶା କରିବା ବୃଥା । ମୁଁ କ’ଣ ଭାବୁଚି ଜାଣିଚ–ମନେକର ଯୁବରାଜ ଓ ରାଣୀ ଗୋଟିଏ ଦୂର ଦେଶକୁ ବୁଲି ଗଲେ । ସେଠି ସେମାନଙ୍କର ଗୋଟିଏ ସୁନ୍ଦର ପୁଅଟିଏ ହେଲା । ଦିନେ ଆୟା ପୁଅଟିକୁ ବୁଲେଇ ନେଲାବେଳେ ଗଛତଳେ ଶୋଇ ପଡ଼ିଲା, ଆଉ ସେତିକିବେଳେ ଛୋଟ ପୁଅଟି ପାଣି ପାଖକୁ ଗଲାବେଳକୁ ଗୋଡ଼ ଖସି ପୋଖରୀରେ ପଡ଼ିଯାଇ ବୁଡ଼ି ମରିଗଲା । ଉଃ, କି ଦୁଃଖର କଥା ! ଗୋଟିଏ ବୋଲି ପୁଅ ପାଣିରେ ବୁଡ଼ିଗଲା–କି ଦୁଃଖ, କି ଦୁଃଖର କଥା ମୁଁ ହେଲେ ତ ସେ ଧକ୍‍କା ସମ୍ଭାଳି ପାରି ନ ଥାନ୍ତି ।”

 

ତାରା ବାଣ କହିଲା, “କିନ୍ତୁ ସତରେ ତାଙ୍କର ଗୋଟିଏ ବୋଲି ପୁଅ ମରିନାହିଁ । କୌଣସି ଦୁର୍ଘଟଣାବି ଘଟିନାହିଁ ।”

 

ହାବେଳି ଜବାବ ଦେଲା, “ଘଟିଚି ବୋଲି ମୁଁ ତ କହିନାହିଁ, ତେବେ ଘଟି ଯାଇପାରେ । କିନ୍ତୁ ଯେତେବେଳେ ମୁଁ ଭାବେ, ସେମାନଙ୍କ ଗୋଟିଏ ବୋଲି ପୁଅ ମରି ଯାଇଛି ବୋଲି ସେତେବେଳେ ଦୁଃଖରେ ମୋର ଛାତି ଫାଟି ଯାଏଁ ।”

 

ମହତାବ କହିଲା, “ଏ ସବୁ ବାଜେ ବିଷୟ ନେଇ ମୋର ମନ ଦୁଃଖ କରିବାର ସମୟ ନାହିଁ ।”

 

“ତୁମେ ତ ମହା ଅଭଦ୍ର,” ହାବେଳି କହିଲା, “ରଜାପୁଅଙ୍କ ସାଙ୍ଗରେ ମୋର କେତେ ବନ୍ଧୁତା, ସେ କଥା ତୁମେ କ'ଣ ଜାଣିବ ।”

 

“ବନ୍ଧୁତା,” ତାରାବାଣ ଖିଙ୍କାରି ହୋଇ କହିଲା, “ତୁମେ ତ ତାଙ୍କୁ ମୋଟ ଉପରେ ଚିହ୍ନ ନାହିଁ !”

 

ହାବେଳି କହିଲା, “ମୁଁ ତ କହିନି ତାଙ୍କୁ ଚିହ୍ନିଚି ବୋଲି । ଚିହ୍ନିଲେ ହୁଏତ ତାଙ୍କ ସାଙ୍ଗରେ ବନ୍ଧୁତା ହୁଅନ୍ତା ନାହିଁ । ସବୁବେଳେ ସାଙ୍ଗମାନେ ଅଚିହ୍ନା ରହିବା ଭଲ । ସେମାନଙ୍କ ସାଙ୍ଗରେ ଚିହ୍ନା ହେଲେ ଇ ବିପଦ ।”

 

ବେଲୁନ କହିଲା, “ହଉ, ଏଥର ଆଉ ବାଜେ କଥା ନ କହି ଟିକେ ଶୁଖିଲା ରହିବାକୁ ଚେଷ୍ଟାକର । ନ ହେଲେ ରାତିରେ ଭଲ ଭାବରେ ଜଳି ପାରିବ ନାହିଁ ।”

 

“ତୁମର କ’ଣ ଗଲା ମୁଁ ଜଳିଲେ କି ନାହିଁ, ମୋର ଯାହା ଇଚ୍ଛା ମୁଁ ସେଇୟା କରିବି ।” ଏତିକି କହି ହାବେଳି କାନ୍ଦିବାକୁ ଲାଗିଲା । ତା’ ଲୁହରେ ଦିଟା ପୋକ ବିଲକୁଲ ବୁଡ଼ିଗଲେ ।

 

ଶ୍ରୀମତୀ ଅନାର କହିଲେ, “ୟେ ଲୋକଟା କବି ପ୍ରକୃତିର । କାନ୍ଦିବାର କାରଣ ନଥିଲେବି କାନ୍ଦିପାରେ ।” ତା’ପରେ ଦୀର୍ଘ ନିଃଶ୍ୱାସ ପକେଇ ସେ ସେଇ ଭଙ୍ଗା ସରା ବିଷୟରେ ଭାବିବାକୁ ଲାଗିଲେ ।

 

ହାବେଳିର କାନ୍ଦ ଦେଖି ତାରା ବାଣ ଆଉ ମହତାବ କହିବାରେ ଲାଗିଲେ, “ଲୋକଟା ଗୋଟାଏ ଜୁଆଚୋର, ଲୋକଟା ଗୋଟାଏ ଜୁଆଚୋର ।”

 

ସେମାନଙ୍କର କୌଣସି ଗୋଟାଏ ଜିନିଷ ପସନ୍ଦ ହଉ ନଥିଲେ, ସେମାନେ ସେଟାକୁ ଜୁଆଚୋରି ବୋଲି ଭାବୁଥିଲେ ।

 

ଦେଖୁ ଦେଖୁ ସନ୍ଧ୍ୟା ହେଲା, ଚାନ୍ଦ ଉଠିଲା, ତାରା ଫୁଟିଲା, ଆଉ ନଅରରେ ନାଚ ଗୀତ ଆରମ୍ଭ ହେଲା ।

 

ଯୁବରାଜ ଓ ରାଣୀ ଏଡ଼େ ସୁନ୍ଦର ନାଚିଲେ ଯେ, ଫୁଲମାନେ ମଧ୍ୟ ଝରକା ବାଟ ଦେଇ ମୁଣ୍ଡ ଗଳେଇ ନାଚ ଦେଖିବାରେ ଲାଗିଲେ ।

 

ଠିକ୍ ଯେମିତି ବାରଟା ବାଜିଲା, ସମସ୍ତେ ବଗିଚାକୁ ଆସିଲେ ବାଣ ଫୁଟା ଦେଖିବାପାଇଁ-

 

ଛ’ ଜଣ ଚାକର ମଶାଲ ଧରି ବଗିଚାକୁ ଗଲେ ।

 

ବାଣଗୁଡ଼ାକ ଯେତେବେଳେ ଫୁଟିଲା, କି ସୁନ୍ଦର ଲାଗୁଥିଲା । ଗୋଟି ଗୋଟି ହେଇ ଶ୍ରୀମତୀ ଅନାର, ତାରା ବାଣ, ଚୁଚୁନ୍ଦ୍ରି ବାଣ, ମହତାବ ଆଉ ଆତସବାଜି ସମସ୍ତେ ଜଳିଲେ । ଗୋଲଗାଲ ବେଲୁନ ସୁଁ ସୁଁ ହେଇ କେଡ଼େ ଉପରକୁ ଉଡ଼ିଗଲା । ସମସ୍ତେ ଜଳିଲେ; କିନ୍ତୁ ହାବେଳି ଜଳିଲା ନାହିଁ । ଦିନସାରା କାନ୍ଦି କାନ୍ଦି ସେ ଏତେ ଓଦା ହୋଇ ଯାଇଥିଲା ଯେ, ରାତିରେ ଆଉ ଭଲ ଭାବରେ ଜଳିପାରିଲା ନାହିଁ ।

 

ନଅରର ସମସ୍ତେ ବାଣ ଫୁଟା ଦେଖି ଭାରି ଖୁସି । ହେଳେଓ ଯୁବରାଣୀଙ୍କ ଖୁସି କହିଲେ ନ ସରେ ।

 

ହାବେଳି ମନେ ମନେ କହିଲା, “ମତେ ନିଶ୍ଚୟ କୌଣସି ବିଶେଷ ଉତ୍ସବପାଇଁ ରଖାଯାଇଚି ।” ଏଇ କଥା ଭାବି ସେ ଆଉରି ଗମ୍ଭୀର ହୋଇ ବସିରହିଲା ।

 

ତା’ ଆରଦିନ ରଜା ଘର ଲୋକ ବଗିଚା ସଫା କରିବାପାଇଁ ଆସିଲେ । ଏମାନେ ନିଶ୍ଚୟ ରଜାଙ୍କର ମନ୍ତ୍ରୀମାନେ, ମତେ ପାଛୋଟି ନବାକୁ ଆସିଛନ୍ତି, ତେଣୁ ମତେ ଗମ୍ଭୀର ହୋଇ ସେମାନଙ୍କୁ ଅଭ୍ୟର୍ଥନା କଦିବା ଉଚିତ ।” । ମନେ ମନେ ଏଇୟା କହି ହାବେଳି ମୁହଁଟାକୁ ଅତିରିକ୍ତ ଗମ୍ଭୀର କରି ଏମିତି ଭାବରେ ଆଖିକୁ ବଡ଼ ବଡ଼ କରି ନାକକୁ ଟେକି ବସିଲା ଯେ, ମନେହେଲା ସତେ ସେ ଯେମିତି କୌଣସି ଜରୁରି କଥା ଭାବୁଚି ।

 

କିନ୍ତୁ ଚାକରମାନେ କେହି ତାକୁ ଲକ୍ଷ୍ୟ କଲେ ନାହିଁ । ବଗିଚା ପରିଷ୍କାର କରି ଚାଲିଯିବାବେଳେ ହଠାତ୍ ଜଣେ କହିଲା, “ଆରେ, ଏଠି ଏଟା କ’ଣ ପଡ଼ିଛି ?”

ଆଉ ଜଣେ କହିଲା, “ଏଟା କାଲିର ସେଇ ହାବେଳିଟା’ମ । ବାଜେ ହାବେଳି ।” ଏତିକି କହି ସେ ତାକୁ ପାଚେରି ଆରପଟେ ପକେଇ ଦେଲା ।

 

“ଏ କ'ଣ ହେଲା, ସେ ମତେ ବାଜେ କହିଲା । ସେ ନିଶ୍ଚୟ ମତେ ରଜାର ହାବେଳି ବୋଲି କହିଥିବ । ରଜା ଆଉ ବାଜେ ଶୁଣିବାକୁ ଏକାପରି ।” ହାବେଳି ଭାବିଲା ।

 

ପାଚେରି ଆରପଟେ ଥିବା ଖାଲରେ ସେ ଯାଇ ପଡ଼ିଲା ।

 

“ଏ ଜାଗାଟା ଭାରି ବାଜେ । ତେବେ ନିଶ୍ଚୟ ସ୍ୱାସ୍ଥ୍ୟକର ହେଇଥିବ । ଆଉ ରଜା ମୋ ବିଶ୍ରାମପାଇଁ ଏଠିକି ପଠେଇ ଦେଇଛନ୍ତି । ସତରେ–ମୋର ଏବେ ଟିକେ ବିଶ୍ରାମ ଦରକାର ।” ହାବେଳି କହିଲା ।

 

ଏତିକିବେଳେ ଗୋଟିଏ ବେଙ୍ଗ ତା’ ପାଖକୁ ପହଁରି ଆସିଲା । ବେଙ୍ଗ କହିଲା, “ତୁମେ ନିଶ୍ଚୟ ଏଠିକି ନୂଆ ଆସିଛ ? ଯାହା କୁହ ପଛେ କାଦୁଅ ଭଳି ଜିନିଷ ଦୁନିଆରେ ଆଉ କିଛି ନାହିଁ-। ମୋର ମନେ ହୁଏ, ବର୍ଷାରେ ତିନ୍ତି ଖାଲରେ ରହିବାଠାରୁ ସୁଖ ଆଉ ପୃଥିବୀରେ ନାହିଁ । ଆଜି ଉପରବେଳା ବର୍ଷା ହବ ବୋଲି ଭାବୁଥିଲି–କିନ୍ତୁ ଆକାଶ ଏକଦମ ପରିଷ୍କାର–ଟିକେ ହେଲେବି କଳା ବଉଦ ନାହିଁ । ବର୍ଷା ନ ହେଲେ ଏତେ ବାଜେ ଲାଗେ ଯେ କହିଲେ ନସରେ ।’’

 

ଏତେ ବେଳଯାଏଁ ଥଣ୍ଡା ପାଣିରେ ରହି ହାବେଳିକୁ ସର୍ଦ୍ଦି ହୋଇଗଲା । ସେ ଉତ୍ତର ଦବାକୁ ଯିବାବେଳେ ତା’ ପାଟିରୁ କଥା ନ ବାହାରି ଖାଲି ଖକ୍ ଖକ୍ ହୋଇ କାଶ ବାହାରିଲା ।

 

“ବାଃ, ତୁମ ସ୍ୱରଟି ତ ଭାରି ମିଠା । ଠିକ୍ ଆମ ବେଙ୍ଗମାନଙ୍କ ପରି । ଆମମାନଙ୍କର ଗୀତଠାରୁ ଆଉ ଏତେ ମିଠା ଗୀତ ଦୁନିଆରେ ନାହିଁ । ଆଜି ସନ୍ଧ୍ୟାବେଳେ ଆମର ବେଙ୍ଗ ସମିତିର ଅଧିବେଶନ ହବ, ତୁମେ ନିଶ୍ଚୟ ଆସିବ । ଏଇ ପୋଖରୀ ପାଖରେ ଯେଉଁ ଘରଟା ଦେଖୁଛ ସେଟା ଗୋଟାଏ ବୁଢ଼ାର । ତା’ ଘର ଝରକା ତଳେ ଆମର ଅଧିବେଶନ ହୁଏ । ଜହ୍ନ ଉଇଁଲେ ଆମେ ସବୁ ଗୀତ ଗାଉ । ସେ ଗୀତ ଏତେ ମିଠା ଯେ, ଲୋକମାନେ ରାତିସାରା ଅନିଦ୍ରା ହୋଇ ଶୁଣନ୍ତି । କାଲି ବୁଢ଼ା ତା’ ବୁଢ଼ୀକୁ କହୁଥିଲା ଯେ, ଆମ ଗୀତ ଶୁଣି ସେ ରାତିସାରା ଶୋଇପାରି ନାହିଁ । ଲୋକମାନେ ଆମ ସଙ୍ଗୀତକୁ ଏତେ ଭଲପାଆନ୍ତି ଶୁଣିଲେ ଭାରି ଖୁସି ଲାଗେ ।”

 

ଏକଥା ଶୁଣି ହାବେଳି ରାଗିଯାଇ କ’ଣ ଗୋଟେ କହିବାକୁ ଯାଉଥିଲା, କିନ୍ତୁ ତା’ କଣ୍ଠ ଦେଇ ଖାଲି କାଶ ବାହାରିଲା । ଏତେବେଳଯାଏଁ ଟିକେ ହେଲେ କଥା କହିପାରି ନାହିଁ ବୋଲି ତା’ର ଭାରି ରାଗ ହେଲା ।

 

ବେଙ୍ଗ ପୁଣି ଥରେ କହିଲା, “ସତରେ ଭାଇ, ତୁମ ସ୍ଵରଟା ଭାରି ବଢ଼ିଆ । ଆଜି କିନ୍ତୁ ନିଶ୍ଚୟ ଆମ ସଙ୍ଗୀତ ସଭାକୁ ଆସିବ । ଆଚ୍ଛା ହଉ–ଯାଏଁ ଦେଖେ ମୋ ଝିଅମାନେ କ’ଣ କରୁଛନ୍ତି-। ମୋର ଛଅଟି ଝିଅ ଭାରି ସୁନ୍ଦରୀ–ଏଥିପାଇଁ ମୁଁ ସବୁବେଳେ ଡରି ଡରି ଥାଏ–କାଳେ ବାଳିଆ ମାଛ ସେମାନଙ୍କୁ ଦେଖି ପକେଇବେ । ସେଟା ଗୋଟାଏ ରାକ୍ଷସ, ସବୁବେଳେ ଛକି ବସଚି ମୋ ଝିଅମାନଙ୍କୁ ଖାଇବ ବୋଲି । ଆଚ୍ଛା ହଉ–ଏଥର ଯାଏଁ, ତୁମ ସାଙ୍ଗରେ ଚିହ୍ନା ହେଇ ଭାରି ଭଲ ଲାଗିଲା ।”

 

“ଆଳାପ ମାନେ”, ହାବେଳି କହିଲା, “ତୁମେ ତ ଖାଲି କଥା କହିଲ । ୟାକୁ କ'ଣ ଆଳାପ କହନ୍ତି ?”

 

“ଆହା, ଜଣେ ଶ୍ରୋତାବି ତ ଦରକାର । ଯାହା କହିବାର ମୁଁ କହିବି, ଏଇ ମତେ ଭଲ ଲାଗେ । ମୁଁ ବକ୍ତା, ତୁମେ ଶ୍ରୋତା, ଏ ବ୍ୟବସ୍ଥାଟା ସବୁଠାରୁ ଭଲ ନୁହେଁ କି ? ଏଥିରେ ଯୁକ୍ତିତର୍କ ହୁଏନି, ଆଉ ମଧ୍ୟ ସମୟବି ନଷ୍ଟ ହୁଏନି ।”

 

ହାବେଳି କହିଲା, “ମତେ କିନ୍ତୁ ତର୍କ କରିବାକୁ ଭଲଲାଗେ ।”

 

ବେଙ୍ଗ କହିଲା, “ରକ୍ଷା କର । ଯେଉଁମାନେ ତର୍କ କରନ୍ତି, ସେମାନେ ନିହାତି ଅଭଦ୍ର । ଭଦ୍ର ସମାଜରେ ସମସ୍ତଙ୍କର ମତାମତ ଏକରକମ । ଏଇ ଦେଖ, ଦୂରରେ ମୋ ଝିଅମାନେ ପହଁରୁଛନ୍ତି ।’’ କହିଦେଇ ବେଙ୍ଗ ଚାଲିଗଲା ।

 

ହାବେଳି କହିଲା, “ଓଃ, ଲୋକଟା କଥା ଶୁଣି ବିରକ୍ତ ଲାଗେ । ଏମିତିକା ଲୋକମାନଙ୍କୁ ମୁଁ ମୋଟେ ସହି ପାରେନା । ମୁଁ ନିଜ ବିଷୟରେ କିଛି କହିଥାନ୍ତି, କିନ୍ତୁ ଲୋକଟା ମତେ କିଛି କହିବାକୁ ଦେଲା ନାହିଁ । ଏହାକୁ ସ୍ୱାର୍ଥପରତା କୁହାଯାଏ । ଏହାପରି ଘୃଣ୍ୟ ଦୋଷ ଦୁନିଆରେ ନାହିଁ-। ମତେ ଦେଖି ଏଇସବୁ ଲୋକଙ୍କର ଭଦ୍ରତା ଶିଖିବା ଉଚିତ । ଏସବୁ ତୁଚ୍ଛ ଲୋକମାନେ ମୋ ସମ୍ମାନ କଥା କ’ଣ ଜାଣିବେ ? ରାଜସଭାରେ ମୋର କେଡ଼େ ପ୍ରଭାବ–କାଲି ମୋର ସମ୍ମାନପାଇଁ ଯୁବରାଜ, ଯୁବରାଣୀଙ୍କ ବାହାଘର ହେଲା । ଏଇସବୁ କଥା ଏ ଲୋକମାନେ କ'ଣ ଜାଣିବେ, କ'ଣ ବୁଝିବେ ?”

 

ଗୋଟିଏ କଙ୍କି ସାରୁଗଛ ଉପରେ ବସି ଏମାନଙ୍କ କଥାବାର୍ତ୍ତା ସବୁ ଶୁଣୁଥିଲା । ହାବେଳିର କଥା ଶେଷ ହେଲାକ୍ଷଣି ସେ କହିଲା, “ଆରେ ସେ ବେଙ୍ଗଟା ଗୋଟାଏ ଅଶିକ୍ଷିତ । ତା’ ସାଙ୍ଗରେ କଥା କହି କିଛି ଲାଭ ନାହିଁ । ତା'ଛଡ଼ା ସେ ବହୁତବେଳୁ ଚାଲିଗଲାଣି, ତେଣୁ ତୁମ କଥା କିଛି ଶୁଣି ପାରିନାହିଁ ।” ହାବେଳି ରାଗିଯାଇ କହିଲା, “ସେଥିରେ ତା’ର ଲୋକସାନ ହେଲା, ମୋର ନୁହେଁ । ନିଜ କଥା ନିଜେ ଶୁଣିବାକୁ ମତେ ଭଲଲାଗେ । ସିଏ ଶୁଣୁ ନାହିଁ ବୋଲି ମୁଁ କଥା ବନ୍ଦ କରିବି–ୟାର କିଛି ମାନେ ନାହିଁ । ଏଟା ମୋର ଜୀବନର ପ୍ରଧାନ ଆନନ୍ଦ । ମୁଁ ତ ପ୍ରାୟ ମନକୁ ମନ କଥା କୁହେ । ଆଉ ମୋର କଥାବାର୍ତ୍ତା ଏତେ ସୂକ୍ଷ୍ମ ଯେ ବେଳେବେଳେ ମୁଁ ନିଜେ ମଧ୍ୟ ବୁଝିପାରେ ନାହିଁ, ମୁଁ କ’ଣ କହୁଚି ।”

 

“ତାହା ହେଲେ ତୁମର ଦର୍ଶନ ଶାସ୍ତ୍ରର ଅଧ୍ୟାପକ ହେବା ଉଚିତ”, କହିଦେଇ ତା’ର ପତଳା ଓଢ଼ଣା ମେଲେଇ ଦେଇ କଙ୍କି ଉ-ଡ଼ି-ଗ-ଲା ।

 

“ଲୋକଟା କି ବୋକା ମ”, ହାବେଳି କହିଲା,” ନିଜ ମନକୁ ଉନ୍ନତ କରିବାର ଏଡ଼େ ବଡ଼ ସୁଯୋଗଟା ହେଳାରେ ହରେଇଲା । ଯାହାହେଉ ମୋର ସେଥିରେ ଯାଏଁ କେତେ ଆସେ କେତେ । ମୋ ଭଳି ପ୍ରତିଭାବାନ୍ ଲୋକର ସମାଦର ନିଶ୍ଚୟ ଦିନେ ନା ଦିନେ ହବ ।” କହୁ କହୁ ହାବେଳି ଆଉ ଟିକେ କାଦୁଅ ଭିତରେ ବୁଡ଼ିଗଲା ।

 

ଟିକେ ପରେ ଦେଁକ ଦେଁକ ହୋଇ ଗୋଟିଏ ବତକ ଆସିଲା । ତା’ର ଚେପ୍‍ଟା ହଳଦିଆ ରଙ୍ଗର ଗୋଡ଼ । ସେ ଖୁବ୍ ଅଣ୍ଟାକୁ ହଲେଇ ହଲେଇ ଚାଲେ ବୋଲି ବତକ ସମାଜରେ ତାକୁ ସମସ୍ତେ ସୁନ୍ଦରୀ କୁହନ୍ତି ।

 

ହାବେଳି ନିକଟକୁ ଆସି ସେ କହିଲା, “ଏ ମା, କି ଅଦ୍ଭୁତ ଚେହେରା ତୁମର । ତୁମେ ଜନ୍ମରୁ ଏମିତିକା ନା କୌଣସି ଦୁର୍ଘଟଣାରୁ ଏମିତି ହେଇଚି ?”

 

ହାବେଳି ଜବାବ ଦେଲା, “ତୁମେ ଯେ ସାରା ଜୀବନ ଗାଁ ଗଣ୍ଡାରେ ରହିଛ, ସେଟା ତୁମ କଥାରୁ ସଫା ଜଣାଯାଉଚି, ନହେଲେ ମୁଁ କିଏ ତୁମେ ଚିହ୍ନି ପାରିଥାନ୍ତ । ଯାହାହଉ, ମୁଁ ତୁମର ଅଜ୍ଞତାପାଇଁ କ୍ଷମାକଲି । ମୁଁ ନିଜେ ଅସାଧାରଣ ବୋଲି ଅନ୍ୟମାନେ ମଧ୍ୟ ଅସାଧାରଣ ହେବେ, ଏଟା ଭାବିବା ମୋର ଭୁଲ୍ ହେଇଚି । ତୁମେ ଶୁଣିଲେ କାବା ହେଇଯିବ ଯେ, ମୁଁ ଆକାଶ ଉପରକୁ ଉଡ଼ିଯାଇ, ପୁଣି ଫେରି ଆସିପାରେ, ଆଉ ଓହ୍ଲେଇଲାବେଳେ ମୋ ଦେହରୁ ମନେ ହୁଏ ଯେମିତିକା ସୁନା ବର୍ଷୁଚି ।

 

ବତକ କିନ୍ତୁ କିଛି ମାତ୍ର କାବା ନହୋଇ କହିଲା, “ୟେ ଆଉ ଏମିତି ଗୋଟାଏ କିଛି ବଡ଼ କାମ ନୁହେଁ । ଏଥିରେ ତ କାହାରି କିଛି ଲାଭ ହବ ନାହିଁ । ତୁମେ କ’ଣ ଘୋଡ଼ା ଭଳି ଗାଡ଼ି ଟାଣିପାର ? ବଳଦ ଭଳି ଜମି ଚାଷ କରିପାର ? କୁକୁର ପରି ଘର ଜଗି ପାର ? ଏସବୁ ଯଦି ପାର ତେବେ ବୁଝିବି ଯେ ତୁମେ କାମିକା ଲୋକ ।

 

ହାବେଳି ଉଦ୍ଧତ ସ୍ୱରରେ କହିଲା, “ଦେଖ, ତୁମେ ଯେ ଅତି ନିମ୍ନସ୍ତରର ଜୀବ, ସେଟା ପରିଷ୍କାର ବୁଝାଯାଉଚି । ମୋ ଭଳିଆ ମାନୀ ଲୋକମାନେ କୌଣସି କାମ କରନ୍ତି ନାହିଁ । ମୋର ବିଶେଷ କେତୋଟି ଗୁଣ ଅଛି । ସେସବୁ ଗୁଣର ବର୍ଣ୍ଣନା କରିବାକୁ ବସିଲେ ଭାଷା ସରିଯିବ । ମୋର କୌଣସି କାମ ପ୍ରତି ଆକର୍ଷଣ ନାହିଁ, ବିଶେଷ କରି ତୁମେ ଯେଉଁ ସବୁ କାମ କଥା କହିଲ, ସେ ସବୁ ମୁଁ ଆଦୌ ପସନ୍ଦ କରେନି । ମୋର ଦୃଢ଼ ଧାରଣା, ଯେଉଁମାନଙ୍କର କୌଣସି ଗୁଣ ନ ଥାଏ ସେଇମାନେହିଁ ଅଯଥା ପରିଶ୍ରମ କରନ୍ତି ।”

 

ବତକଟି ଟିକେ ଶାନ୍ତିପ୍ରିୟ, ତେଣୁ ସେ ଆଉ ଯୁକ୍ତିତର୍କ ନ କରି କହିଲା “ନାନା ମୁନିଙ୍କ ନାନା ମତ । ସେ କଥା ଛାଡ଼, ତୁମେ ଏଠି ରହିବତ ?”

 

ହାବେଳି ଭାରି ଜୋର୍‍ରେ କହି ଉଠିଲା, “ଆରେ ନା, ନା । ମୁଁ ହେଉଚି ଅତିଥି । ଖାଲି ଅତିଥି ନୁହେଁ, ମାନନୀୟ ଅତିଥି । ମତେ ଏଠି ବିଶ୍ରାମ କରିବାପାଇଁ ରଜା ପଠେଇଛନ୍ତି । କିନ୍ତୁ ଜାଗାଟା ମତେ ମୋଟେ ଭଲ ଲାଗୁନାହିଁ । ଭାରି ଗୋଳମାଳ–ଆଉ ମୋ ସାଙ୍ଗରେ ମିଶିବା ଭଳି ଲୋକ ନାହାନ୍ତି । ମୁଁ ରାଜସଭାକୁ ଫେରିଯିବିନା କିନ୍ତୁ ଯିବା ପୂର୍ବରୁ ଦୁନିଆରେ ଚହଳ ପକେଇଦେଇ ଯିବି ।”

 

ବତକ କହିଲା, “ମୁଁ ବି ଆଗେ ଭାବୁଥିଲି ଦୁନିଆରେ ବଡ଼ ବଡ଼ କାମ କରିବାପାଇଁ । ଏମିତି ବହୁତ ଜିନିଷ ଅଛି, ଯାହାର କି ସଂସ୍କାର ଦରକାର । ଏଇ ତ କିଛିଦିନ ତଳେ ଗୋଟିଏ ସଭା ହେଲା, ମୁଁ ସେଥିରେ ସଭାନେତ୍ରୀ ହୋଇଥିଲି । ଆମେ ଯାହା କିଛି ନାପସନ୍ଦ କରୁ, ସେ ସବୁ ବିରୁଦ୍ଧରେ ବଡ଼ ବଡ଼ ପ୍ରସ୍ତାବ ଗୃହୀତ ହେଲା । କିନ୍ତୁ ସେଥିରେ କିଛି ଉପକାର ହୋଇଚି ବୋଲି ମନେ ହୁଏ ନାହିଁ । ଏବେ ମୁଁ ମୋର ପିଲାପିଲି ଆଉ ଘର କାମରେ ମନ ଦେଇଚି ।”

 

ହାବେଳି କହିଲା, “ଆମପାଇଁ କିନ୍ତୁ ତାହା ହବନାହିଁ । ଆମେମାନେ ବଡ଼ ବଡ଼ କାମ କରିବୁ ବୋଲି ଜନ୍ମ ହେଇଛୁ । ଖାଲି ମୁଁ ନୁହେଁ, ମୋର ଯେତେ ବନ୍ଧୁ-ବାନ୍ଧବ ଅଛନ୍ତି ସମସ୍ତେ । ଅତି ଗରିବ ଯିଏ–ସେ ମଧ୍ୟ ! ଆମ୍ଭେମାନେ ଦର୍ଶନ ଦେଲେ ଚାରିଆଡ଼େ ଚହଳ ପଡ଼ିଯିବ । ଯଦି ବା ମୁଁ ଏ ପର୍ଯ୍ୟନ୍ତ ଦେଖା ଦେଇନାହିଁ, କିନ୍ତୁ ଯେତେବେଳେ ଦର୍ଶନ ଦେବି, ସେତେବେଳେ ଚାରିଆଡ଼ ଅଦ୍ଭୁତ ରକମର ସୁନ୍ଦର ଦେଖାଯିବ । ବାହା ହବା କଥା–ମୁଁ ସ୍ୱପ୍ନରେ ସୁଧା ଭାବେ ନାହିଁ–ବାହାହେଲେ ଜଲ୍‍ଦି ବୁଢ଼ା ହୋଇଯାନ୍ତି, ଆଉ ଉଚ୍ଚ ଚିନ୍ତା କରିହୁଏ ନାହିଁ ।

 

ବତକ କହିଲା, “ବାସ୍ତବିକ ! ଜୀବନରେ ଯାହା କିଛି ମହତ୍ ତା’ କଥା ଭାବିବାକୁ ମଧ୍ୟ ଭଲଲାଗେ । ଆଚ୍ଛା ହଉ, ମୁଁ ଏବେ ଯାଏଁ, ପିଲାମାନଙ୍କୁ ଭୋକ ହେଉଥିବ ।”

 

ହାବେଳି ପାଟି କରି କହିଲା, “ଶୁଣ, ଶୁଣ, ତୁମ ସାଙ୍ଗରେ ମୋର ଆଉରି ବହୁତ କଥା ବାକି ରହିଗଲା ।” ବତକ କିନ୍ତୁ ଶୁଣି ନ ଶୁଣିଲା ଭଳି ଚାଲିଗଲା ।

 

“ବାବ୍‍ବା ! ସେ ଗଲାରୁ ଟିକେ ଶାନ୍ତି; ଏକଦମ ମୂର୍ଖ ।” କହି ହାବେଳି ତା’ର ପ୍ରତିଭା ବିଷୟରେ ଚିନ୍ତା କରିବାକୁ ଲାଗିଲା । ଏ କଥା ଭାବିବା ସାଙ୍ଗେ ସାଙ୍ଗେ ତା’ ଦେହଟା ଆଉ ଟିକେ କାଦୁଅ ଭିତରେ ବୁଡ଼ିଗଲା । ଏତିକିବେଳେ ଦିଜଣ ଛୋଟ ପିଲା ହାତରେ ଗୋଟାଏ କେଟଲୀ ଆଉ ଶୁଖିଲା ଡାଳ ପତର ଧରି ଖାଲ ପାଖରେ ପହଞ୍ଚିଲେ । ହାବେଳି କହିଲା, “ଏମାନେ ନିଶ୍ଚୟ ରଜାଘର ଲୋକ, ମତେ ପାଛୋଟି ନବାକୁ ଆସିଛନ୍ତି ।” ଏଇ କଥା ଭାବି ସେ ମୁହଁଟାକୁ ଗମ୍ଭୀର କରି ରହିଲା ।

 

ପିଲାମାନଙ୍କ ଭିତରୁ ଜଣେ କହିଲା, “ଆରେ ଦେଖ୍‍ରେ ଏଠି ଗୋଟାଏ ଭଙ୍ଗା ବାଡ଼ି ପଡ଼ି ରହିଚି ।” କହି ହାବେଳିକୁ କାଦୁଅରୁ ଟାଣି ବାହାର କଲା ।

 

ହାବେଳି କହିଲା, “ଭଙ୍ଗା ବାଡ଼ି ! ଅସମ୍ଭବ । ସେ ନିଶ୍ଚୟ ରଙ୍ଗା ବାଡ଼ି ବୋଲି କହିଚି । ସେ ଦିଜଣ ମତେ ଜଣେ ସମ୍ମାନନୀୟ ଲୋକ ବୋଲି ଭାବିଛନ୍ତି ।”

 

୧ମ ପିଲାଟି କହିଲା, “ଏଟାକୁ ନେଇ ଜାଳ ସାଙ୍ଗରେ ଜାଳି ଦବା, ତାହେଲେ ଶୀଘ୍ର ପାଣି ଫୁଟିଯିବ ।”

 

ସେଠୁ ସେମାନେ ସବୁ ଡାଳପତର ଏକାଠି କରି ତା’ ଉପରେ ହାବେଳିକୁ ରଖି ନିଆଁ ଜଳେଇ ଦେଲେ ।

 

“ବାଃ, ରଜାଙ୍କ ଲୋକ ଦୁଇଟି ତ ଭାରି ଭଲ ।” ହାବେଳି ଭାବିଲା, “ଏମାନେ ମତେ ଦିନରେ ଜାଳୁଛନ୍ତି ସମସ୍ତେ ଦେଖିପାରିବେ ବୋଲି ।”

 

୨ୟ ପିଲାଟି କହିଲା, “ଚାଲ ଦିଜଣ ଶୋଇ ପଡ଼ିବା । ଆମ ଉଠିଲା ବେଳକୁ ପାଣି ଫୁଟି ଯାଇଥିବ ।” ଏତିକି କହି ସେମାନେ ଘାସ ଉପରେ ଶୋଇ ପଡ଼ିଲେ ।

 

ହାବେଳି ଖୁବ୍ ଓଦା ହେଇଯାଇଥିଲା ତେଣୁ ତା’ ଦିହରେ ନିଆଁ ଲାଗିବାକୁ ବହୁତ ବିଳମ୍ବ ହେଲା ।

 

କିଛି ସମୟ ପରେ ହାବେଳି ଦେହରୁ ସବୁ ପାଣି ଶୁଖିଗଲା । ସେ ତା’ ମୁଣ୍ଡକୁ ସିଧା କରି କହିଲା, “ଏଇଥର, ଏଇଥର ମୁଁ ଉପରକୁ ଉଠିବି । ମୁଁ ସୂର୍ଯ୍ୟ ଚନ୍ଦ୍ରଠାରୁ ମଧ୍ୟ ଆହୁରି ଉଚ୍ଚରେ ଉଡ଼ିଯିବି ।”

 

ଫର୍ ର୍ ର୍ ର୍ ...ଫର୍ ର୍ ର୍ ର୍ ...ହାବେଳିର କଥା ଶେଷ ହେଲା କ୍ଷଣି ସେ ଉପରକୁ ଉଡ଼ି ଚାଲିଲା ।

 

ଉଠୁ ଉଠୁ ସେ ପୁଣି କହିଲା, “ମୁଁ ଅସାଧାରଣ ।” କିନ୍ତୁ ହାୟ ! ତା’ର ଏ କୃତିତ୍ୱ ଦେଖିବାପାଇଁ ଆଖ ପାଖରେ କେହି ନଥିଲେ ।

 

ଅନେକ ଅନେକ ଉପରକୁ ଉଠି ଯାଇ ହାବେଳି କହିଲା, “ଏଥର ମୁଁ ଫାଟିବି । ସମସ୍ତ ପୃଥିବୀରେ ନିଆଁ ଲଗେଇ ଦେବି ଆଉ ଏମିତି ଶବ୍ଦ କରବି ଯେ ବର୍ଷେ କାଳ କେହି ମୋ କଥା ଛଡ଼ା ଅନ୍ୟ କଥା କହିବେ ନାହିଁ । ଏହା କହୁକହୁ ସେ ଠୋ ଠୋ ହୋଇ ଫାଟିଗଲା । କିନ୍ତୁ ସେଥିରେ ଦୁନିଆରେ ନିଆଁ ଲାଗିଲା ନାହିଁ କି କେହି ତା’ କଥା କହିଲେ ନାହିଁ ।

 

ହାବେଳିର ଫାଟିବା ସେ ପିଲା ଦୁଇଟି ମଧ୍ୟ ଦେଖିପାରିଲେ ନାହିଁ, କାରଣ ସେମାନେ ନିଘୋଡ଼ ନିଦରେ ଶୋଇ ପଡ଼ିଥିଲେ ।

 

ସବୁ ପୋଡ଼ିଯାଇ ହାବେଳିର ଖାଲି ବାଡ଼ିଟା ବାକି ରହିଯାଇଥାଏ । ସେଇ ସୁନ୍ଦରୀ ବତକଟି ଖାଲ ପାଖରେ ବୁଲୁଥିଲାବେଳେ ବାଡ଼ିଟା ତା’ ମୁଣ୍ଡ ଉପରେ ପଡ଼ିଲା । ସେ ବିଚରା ଡରିଯାଇ କହିଲା, “ଇଲୋ, ମାଲୋ, ଆକାଶରୁ ବାଡ଼ି ବର୍ଷୁଚି ଲୋ !” କହିଦେଇ ସେ ପାଣି ଭିତରେ ବୁଡ଼ିଗଲା ।

 

ହାବେଳି ଏକଥା ଶୁଣି ଧଇଁ ସଇଁ ହୋଇ କହିଲା, “ମୁଁ ଜାଣିଥିଲି ଯେ, ଯିବା ପୂର୍ବରୁ ଦୁନିଆରେ ଚହଳ ପକେଇ ଯିବି ।” କହୁ କହୁ ସେ ଲିଭିଗଲା ।

Image

 

ସୁଖୀ ରାଜପୁତ୍ର

 

ରାଜଧାନୀର ସବୁଠାରୁ ଉଚ୍ଚା ଜାଗାରେ ସୁଖୀ ରାଜପୁତ୍ରଙ୍କର ମୂର୍ତ୍ତି । ତା’ ଦିହଟା ସୁନାରେ ତିଆରି, ଆଖି ଦୁଇଟି ନୀଳାର ଆଉ ହାତରେ ଥିବା ଖଣ୍ଡା ମୁଠାରେ ଗୋଟିଏ ବଡ଼ ଚୁନି ଝଲସୁଥାଏ ।

 

ରାଜଧାନୀକୁ ଯିଏ ଆସନ୍ତି ସମସ୍ତେ ମୂର୍ତ୍ତିଟାକୁ ଦେଖି ପ୍ରଶଂସା କରନ୍ତି ।

 

ନଗର ପରିଷଦର ଜଣେ ମନ୍ତ୍ରୀ କହିଲେ, “ବାଃ, କି ସୁନ୍ଦର ।” ତାଙ୍କର ଇଚ୍ଛା ଯେ ସେ ସୌନ୍ଦର୍ଯ୍ୟ ପ୍ରିୟ ଏ କଥାଟା ଲୋକମାନେ ବୁଝନ୍ତୁ ବୋଲି । ତା’ପରେ ଏକଥା କହିଲେ ଲୋକମାନେ ଭାବିବେ ଯେ ସେ କାମିକା ଲୋକ ନୁହନ୍ତି ବୋଲି ସେଥିପାଇଁ ସେ ସାଙ୍ଗେ ସାଙ୍ଗେ କହିଲେ, “ଅବଶ୍ୟ ଏଟା କିଛି କାମରେ ଲାଗିବ ନାହିଁ ।”

 

ଛୋଟ ପୁଅଟି ତା’ ମା ପାଖରେ ଅଳି କରୁଥାଏ, “ମତେ ଜହ୍ନ ଆଣି ଦିଅ, ମତେ ଜହ୍ନ ଆଣି ଦିଅ ।” ତା’ ମା ବିରକ୍ତ ହୋଇ କହନ୍ତି, “ସେଇ ରାଜପୁତ୍ର ପରି ହବାକୁ ଚେଷ୍ଟା କର । ସେ ତ କେବେ କୌଣସି ଜିନିଷପାଇଁ ଅଳି କରୁ ନଥିଲା ।” ସାରା ଜୀବନ ଯିଏ ଦୁଃଖ ସାଙ୍ଗରେ ସଂଗ୍ରାମ ଏମିତି ଗୋଟିଏ ଲୋକ ସେ ମୂର୍ତ୍ତି ଆଡ଼କୁ ଚାହିଁ ଚାହିଁ ଭାବେ, “ପୃଥିବୀରେ କେହି ଯେ ଜଣେ ସୁଖୀ ଏ କଥା ଭାବିବାକୁବି ଭଲ ଲାଗେ ।”

 

ଅନାଥ ଆଶ୍ରମର ପିଲାମାନେ କହନ୍ତି, “ସୁଖୀ ରାଜପୁତ୍ର ଠିକ୍ ଦେବଦୂତ ଭଳି ଦେଖିବାକୁ ।”

 

“କେମିତି ଜାଣିଲ,” ସେମାନଙ୍କ ଅଙ୍କ ମାଷ୍ଟର ଧମକାନ୍ତି, “ତୁମେମାନେ କ'ଣ କେବେ ଦେବଦୂତ ଦେଖିଛ ?”

 

“ହଁ, ସାର୍ ଆମେ ସ୍ୱପ୍ନରେ ଦେଖିଛୁ ।”

 

କଥାଟା ଶୁଣି ଅଙ୍କ ସାର୍ ଗମ୍ଭୀର ହୋଇଗଲେ । ପିଲାମାନେ ସ୍ଵପ୍ନ ଦେଖିବେ ଏ କଥା ସେ ମୋଟେ ପସନ୍ଦ କରୁନଥିଲେ ।

 

ଦିନେ ରାତିରେ ଗୋଟିଏ ଛୋଟ ଘରଚଟିଆ ଉଡ଼ି ଆସି ରାଜଧାନୀରେ ପହଞ୍ଚିଲା । ତା’ ସାଙ୍ଗମାନେ ଦୁଇମାସ ଆଗରୁ ମିଶର ଦେଶକୁ ଉଡ଼ି ଚାଲିଯାଇଛନ୍ତି । କିନ୍ତୁ ସେ ସେମାନଙ୍କ ସାଙ୍ଗରେ ଯାଇ ପାରିନାହିଁ କାରଣ ସେ ଅତି ସୁନ୍ଦର ଗୋଟିଏ ବେତକୁ ବାହା ହେଇଥିଲା । ଦିନେ ସେ ନଈ ପାଖରେ ଗୋଟାଏ କଙ୍କି ପଛରେ ଉଡ଼ିଗଲାବେଳେ ଏଇ ବେତଟିକୁ ସେ ଦେଖିଲା । ଦେଖିକରି ତା’ର ଏତେ ଭଲ ଲାଗିଲା ଯେ ସେ ସାଙ୍ଗେ ସାଙ୍ଗେ ତା’ ପାଖରେ ଯାଇ କହିଲା, “ତୁମେ ମତେ ବାହା ହବ ?” ଶ୍ରୀମତୀ ବେତ ଲାଜରେ ମୁଣ୍ଡ ନୁଆଁଇ ସମ୍ମତି ଜଣେଇଲା । ଘରଚଟିଆ ତା’ ଚାରିପଟେ ଉଡ଼ିଯାଇ ତାକୁ ବାହାହେଲା । ଓ ଖୁବ୍ ସୁଖରେ ସେମାନଙ୍କର ଗରମ ଦିନଟା କଟିଗଲା । ଅନ୍ୟ ଘରଚଟିଆମାନେ କହିଲେ, ”ଯଉ ତ ବାହାଘର । ଝିଅର ଗୋଟିଏ ହେଲେବି ପଇସା ନାହିଁ ତା’ ଉପରେ ପୁଣି ପଲେ ଆତ୍ମୀୟ ବନ୍ଧୁ ।” ସତରେ ନଈକୂଳଯାକ ବେତ ଗଛରେ ଭର୍ତ୍ତି । ଶୀତ ପଡ଼ି ଆସୁଥାଏ–ଘରଚଟିଆମାନେ ଏକାଠି ହେଇ ଉଡ଼ି ଚାଲିଲେ ।

 

ସେମାନେ ଚାଲିଯିବା ପରେ ଘରଚଟିଆକୁ ଭାରି ଏକା ଏକା ଲାଗିଲା । ସ୍ତ୍ରୀ ସାଙ୍ଗରେ ଆଉ ତା’ର ସମୟ କଟିଲା ନାହିଁ । ସେ ମନେ ମନେ ଭାବିଲା, “ମୋ ସ୍ତ୍ରୀ ଭାରି ନମ୍ର ଓ ଘରୁଆ ଝିଅ କିନ୍ତୁ ସେ ପଦେ ହେଲେ କଥା କୁହେନି । ମୁଁ ଦେଶ ବିଦେଶ ବୁଲିବାକୁ ଏତେ ଭଲ ପାଏ ତେଣୁ ମୋ ସ୍ତ୍ରୀ ମଧ୍ୟ ବୁଲିବାକୁ ଭଲ ନ ପାଇଲେ କେମିତି ଚଳିବ ! ସେଠୁ ସେ ଶ୍ରୀମତୀ ବେତକୁ ପଚାରିଲା–“ତୁମେ ମୋ ସାଙ୍ଗରେ ଯିବ ?” ଶ୍ରୀମତୀ ମୁଣ୍ଡ ହଲାଇ ନାହିଁ କଲେ । ସେଠୁ ଘରଚଟିଆ କହିଲା–“ତାହାହେଲେ ତୁମ ସଙ୍ଗରେ ମୋର ପେଷାଇବ ନାହିଁ । ତୁମେ ଥାଅ । ମୁଁ ଯାଉଚି ଦେଶ ବୁଲି ।” ଏତକ କହି ସେ ଉଡ଼ିଗଲା ।

 

ଦିନସାରା ଉଡ଼ି ଉଡ଼ି ସେ ସଞ୍ଜବେଳେ ଆସି ପହଞ୍ଚିଲା ରାଜଧାନୀରେ ! ରାତିଟା କେଉଁଠି କଟାଇବ ଭାବୁ ଭାବୁ ସେ ଦେଖିପକାଇଲା ସୁଖୀ ରାଜପୁତ୍ରଙ୍କ ମୂର୍ତ୍ତି । “ବାଃ ! ବଢ଼ିଆ ଜାଗା ହେଇଚି ରାତି କଟାଇବା ପାଇଁ । ଏଠି କିଛି ଭୟ ନାହିଁ । ପୁଣି କି ପବନ !” ଏହା କହି ସେ ରାଜପୁତ୍ରଙ୍କ ଦି ଗୋଡ଼ ମଝିରେ ବସି ପଡ଼ିଲା । ତା’ପରେ କହିଲା–“କି ମଜା ! ଶୋଇବା ଲାଗି ମୁଁ ପାଇଛି ଗୋଟିଏ ସୁନାର ଘର ।” ଏ କଥା ସେ ନିଦରେ ଶୋଇବାକୁ ଯାଉଚି, ଏତିକିବେଳେ ତା’ ଉପରେ ଟୋପାଏ ପାଣି ପଡ଼ିଲା ।

 

“ଏଡ଼େ ବଡ଼ ମୂର୍ତ୍ତିଟା ଅଛି, ତଥାପି ମେଘ ପଡ଼ୁଚି ? ଯାଏଁ ଆଉ ଗୋଟେ ଶୋଇବାପାଇଁ ଜାଗା ଖୋଜେ ।” ଏତକ କହି ସେ ତା’ ଡେଣା ଝାଡ଼ି ଉଠିଲା ବେଳକୁ ଆଉ ଟୋପେ ପାଣି ପଡ଼ିଲା । ସାଙ୍ଗେ ସାଙ୍ଗେ ସେ ଉପରକୁ ଅନେଇ କ’ଣ ଦେଖିଲା ଜାଣିଚ ?

 

ସେ ଦେଖିଲା ଯେ ସୁଖୀ ରାଜପୁତ୍ରଙ୍କର ଆଖିରୁ ଲୁହ ତାଙ୍କ ସୁନା ଗାଲ ବାଟେ ବୋହି ଯାଉଛି, ଜହ୍ନ ଆଲୁଅରେ ଏଡ଼େ ସୁନ୍ଦର ମୁହଁ ଦେଖି ଘରଚଟିଆର ମନରେ ଦୟା ହେଲା । ସେ ପଚାରିଲା; ତୁମେ କିଏ ?

 

“ମୁଁ ସୁଖୀ ରାଜପୁତ୍ର ।”

 

“ତାହେଲେ ତୁମେ କାଇଁ କାନ୍ଦୁଚ ? ମୁଁ ଯେ ଏକବାରେ ଓଦା ହୋଇଗଲି ।”

 

ସୁଖୀ ରାଜପୁତ୍ର ଉତ୍ତର ଦେଲେ, “ମୁଁ ଯେତେଦିନ ବଞ୍ଚିଥିଲି ଭଲ ଖାଇବା ପିଇବା ଓ ସାଙ୍ଗମାନଙ୍କ ସାଙ୍ଗରେ ହସି ଖେଳି ମୋ ଦିନ କଟି ଯାଉଥିଲା । ମୁଁ ଥିବା ନଅର ଚାରିପଟେ ଉଚ୍ଚା ପାଚେରି ଘେରା ହୋଇଥିଲା । ତା’ ଆରପଟେ କ’ଣ ଅଛି ମୁଁ ପଚାରୁ ନଥିଲି କାରଣ ମୋ ଚାରିପଟେ ଯାହାଥିଲା ସବୁ ସୁନ୍ଦର । ମୋର ସାଙ୍ଗମାନେ ମତେ ସୁଖୀ ରାଜପୁତ୍ର ବୋଲି ଡାକୁଥିଲେ । ଏହି ପ୍ରକାର ସୁଖ ଭିତରେ ଥାଉ ଥାଉ ହଠାତ୍ ଦିନେ ମୁଁ ମରିଗଲି ! ମରିଯିବା ପରେ ଏଇ ଜାଗାରେ ଛିଡ଼ାହୋଇ ମୁଁ ଦେଖିଲି ଚାରିଆଡ଼େ କେତେ ଅସୁନ୍ଦର ଜିନିଷ ଓ ଦୁଃଖ ଭରି ରହିଛି ମୋର ହୃଦୟଟା ସୀସାର ହୋଇଥିଲେ ସୁଧା ମୁଁ ଏ ସବୁ ଦେଖି ନ କାନ୍ଦି ରହି ପାରେନି ।

 

“ଓ ତୁମେ ତା’ ହେଲେ ପୂରାପୂରି ସୁନାରେ ତିଆରି ନୁହ,” ଘରଚଟିଆ କହିଲା । ଅବଶ୍ୟ ମନେ ମନେ କହିଲା, କାହିଁକି ନା ସେ ଖୁବ୍ ଭଦ୍ର, କାହାକୁ ଶୁଣେଇ ସେ କେବେ କିଛି କହେନି ।

 

ମୂର୍ତ୍ତି ପୁଣି କହିବାକୁ ଲାଗିଲା, ଏଇ ଯଉଁ ରାସ୍ତା ତା’ ଆର ପଟରେ ଗୋଟାଏ ଭଙ୍ଗା ଘର ଅଛି । ସେଇ ଘରଟିର ଗୋଟିଏ ଝରକା ଖୋଲା । ଆଉ ତା’ ଭିତର ଦେଇ ଦେଖା ଯାଉଛି ଯେ ଝରକା ପାଖରେ ଗୋଟିଏ ଝିଅ ବସିଚି, ତା’ ଗାଲ ପଶି ଯାଇଛି ଆଉ ଦୁଇ ହାତର ପାପୁଲି କ୍ରମାଗତ ସିଲେଇ କରି ଲାଲ ଓ ଶକ୍ତ ହେଇ ଯାଇଛି ସିଲେଇ କରି ସେ ତା’ର ପେଟ ପୋଷେ । ସେ ବର୍ତ୍ତମାନ ଯେଉଁ ଲୁଗାଟାରେ ଫୁଲ ପକଉଚି ସେଟା ରାଜସଭାରେ ଭୋଜିଦିନ ରାଜକନ୍ୟାଙ୍କର ସଖୀ ପିନ୍ଧିବେ । ଘରର ଗୋଟେ କୋଣରେ ତା’ ସାନ ପୁଅ ଜରରେ ପଡ଼ିଚି । ପିଲାଟି କମଳା ଲେମ୍ବୁ ଖାଇବ ବୋଲି ଅଳି କରୁଚି କିନ୍ତୁ ତା’ ମା ତାକୁ ପାଣି ଛଡ଼ା ଆଉ କିଛି ଦେଇ ପାରୁନି ବୋଲି ସେ କାନ୍ଦୁଛି । ଘରଚଟିଆ ଭାଇ, ମୋ ସୁନାଟା ପରା, ତୁମେ ମୋର ଖଣ୍ଡାରୁ ଏଇ ଚୁନିଟା ନେଇ ସେଇ ଝିଅଟିକୁ ଦେଇଆସ । ମୁଁ ଯାଇଥାନ୍ତି, କିନ୍ତୁ, ମୋର ଗୋଡ଼ ଏଠି ଲାଖି ରହିଛି ହଲିବାର ଉପାୟ ନାହିଁ ।”

 

ଘରଚଟିଆ କହିଲା, “ମୋ ସାଙ୍ଗମାନେ ମୋପାଇଁ ମିଶର ଦେଶରେ ଅପେକ୍ଷା କରୁଛନ୍ତି-। ସେଠି ସେମାନେ ନୀଳ ସମୁଦ୍ର ଉପର ଦେଇ ଉଡ଼ି ଯାଉଛନ୍ତି ଆଉ ବଡ଼ ବଡ଼ ପଦ୍ମଫୁଲ ସାଙ୍ଗରେ ଗପସପ ହଉଛନ୍ତି । ସେମାନେ ଶୀଘ୍ର ମୃତ ସମ୍ରାଟଙ୍କ ସ୍ତମ୍ଭରେ ଶୋଇବାକୁ ଯିବେ, ଯେଉଁଠାରେ ସମ୍ରାଟ ରଙ୍ଗୀନ ଶବ ଧାରରେ ଶୋଇଛନ୍ତି । ସମ୍ରାଟଙ୍କ ଦେହରେ ହଳଦିଆ ରଙ୍ଗର ଲୁଗା ପୁଡ଼ା ହେଇଚି, ଆଉ ସୁଗନ୍ଧ ମସଲା ବୋଳା ହେଇଚି । ତାଙ୍କ ବେକରେ ସାଗୁଆ ପଥରର ହାର ଆଉ ହାତରେ ସୁନା ବୋଳା ।

 

“ଘରଚଟିଆ, ସୁନାଟା ପରା, ତୁମେ ଗୋଟେ ରାତି ମୋ ପାଖରେ ରହିବନି ? ତୁମେ ମୋର ହେଇ ସେଇ ଝିଅଟି ଓ ତା’ର ଛୋଟ ଝିଅଟି ପାଖକୁ ଯିବନି ?”

 

ଘରଚଟିଆ ଜବାବ ଦେଲା, “ଛୋଟ ପୁଅମାନଙ୍କୁ ମୁଁ ମୋଟେ ପସନ୍ଦ କରେନି । ଗଲା ବର୍ଷ ଗରମ ଦିନରେ ଆମେ ନଈକୂଳରେ ବସାକରି ରହିଥିଲୁ । ସେଠିକାର ଦିଟା ପିଲା ଏତେ ଅସଭ୍ୟ ଯେ ଖାଲି ମୋ ଉପରେ ଟେକା ପକଉଥିଲେ । ଅବଶ୍ୟ ଗୋଟେ ହେଲେବି ମୋ ଦେହରେ ବାଜି ନଥିଲା, କାହିଁକି ନା ଆମେ ଘରଚଟିଆମାନେ ଉଡ଼ିବାରେ ଓସ୍ତାଦ୍ । ତଥାପି ଦେହରେ ନ ବାଜିଲେ ମଧ୍ୟ ଏଟା ବିରକ୍ତି କର ।

 

ସୁଖୀ ରାଜପୁତ୍ରଙ୍କର ଶୁଖିଲା ମୁହଁଟା ଦେଖି ଘରଚଟିଆର ମନରେ ଖୁବ୍ କଷ୍ଟ ହେଲା । ସେଥିପାଇଁ ସେ କହିଲା, “ଏଠି ଖୁବ୍ ଥଣ୍ଡା ହେଉଥିଲେ ସୁଧା ମୁଁ ରାତିଟାଏ ତୁମ ଲାଗି ରହିଯିବି ଓ ତୁମେ କହୁଥିବା କାମତକ କରିଦେବି ।”

 

“ଟିକି ଘରଚଟିଆ, ତୁମେ କେତେ ଭଲ, “ରାଜପୁତ୍ର କହିଲେ । ତା’ପରେ ଘରଚଟିଆ ରାଜପୁତ୍ରଙ୍କର ଖଣ୍ଡାରୁ ଚୁନିଟା ଥଣ୍ଟରେ କାଢ଼ି ନେଇ ରାଜଧାନୀ ଉପର ଦେଇ ଉଡ଼ି ଚାଲିଲା ।

 

ଉଡ଼ି ଉଡ଼ି ସେ ଗୀର୍ଜା ଉପର ଦେଇଗଲା, ଯେଉଁଠି ଅଛି ବଡ଼ ବଡ଼ ଦେବଦୂତମାନଙ୍କର ମୂର୍ତ୍ତି । ତା’ପରେ ଉଡ଼ି ଚାଲିଲା ସେ ରାଜ ନଅରର ପାଖ ଦେଇ, ଦେଖିଲା ସେଠି ନାଚ, ଗୀତ ହେଉଚି । ସୁନ୍ଦରୀ ଝିଅଟିଏ ବାରଣ୍ଡାକୁ ବାହାରି ଆସିଲା ଗୋଟିଏ ଯୁବକ ସାଙ୍ଗରେ । ଘରଚଟିଆ ଥଣ୍ଟରେ ଚୁନିଟା ଏତେ ଚକ୍ ଚକ୍ ହେଉଥିଲା ଯେ ଯୁବକଟି ତାହା ଗୋଟିଏ ତାରା ବୋଲି ଭାବି ଝିଅଟିକୁ କହିଲା, “ଦେଖ, ଦେଖ, କି ସୁନ୍ଦର ତାରା ।” ଝିଅଟି କିନ୍ତୁ ସେ କଥାର କୌଣସି ଜବାବ ନଦେଇ କହିଲା, “ରାଜସଭାର ଭୋଜି ଦିନ ମୁଁ ଗୋଟେ ବଢ଼ିଆ ଫୁଲପକା ଲୁଗା ପିନ୍ଧି ଆସିବି ।”

 

ନଈ ପାଖ ଦେଇ ଉଡ଼ି ଘରଚଟିଆ ସେଇ ଭଙ୍ଗା ଘରର ଝରକା ପାଖରେ ପହଞ୍ଚିଲା । ଝରକା ଭିତର ଦେଇ ସେ ଅନେକ ଦେଖିଲା ଯେ ଛୋଟ ପୁଅଟି ଶୋଇ ବିଛଣାରେ ଛଟପଟ ହଉଚି ଆଉ ତା’ ମା କ୍ଳାନ୍ତ ହେଇ ଶୋଇ ପଡ଼ିଚି । ସେ ସେଠୁ ଘର ଭିତରେ ପଶି ଚୁନିଟା ସେଇ ଝିଅଟି କୋଳରେ ଥୋଇ ଦେଇ ଉଡ଼ି ଗଲାବେଳେ ତା’ର ଡେଣାର ପବନ ଛୋଟ ପୁଅଟି କପାଳରେ ବାଜିଲା । “କି ଥଣ୍ତା”, ପିଲାଟି କହିଲା, “ନିଶ୍ଚୟ ମୁଁ ଭଲ ହୋଇଯାଇଚି”, କହି ସେ ଶୋଇ ପଡ଼ିଲା ।

 

ଘରଚଟିଆ ସେଠୁ ଫେରିଯାଇ ସବୁ କଥା ରାଜପୁତ୍ରଙ୍କୁ କହିଲା । “କି ଆଶ୍ଚର୍ଯ୍ୟ, ଏତେ ଶୀତ କିନ୍ତୁ ମତେ ଟିକେ ହେଲେ ଥଣ୍ଡା ଲାଗୁନି”, ସେ କହିଲା ।

 

ରାଜପୁତ୍ର ଜବାବ ଦେଲେ, “ତୁମେ ଭଲ କାମ କରିଚ ବୋଲି ତୁମକୁ ଶୀତ ଲାଗୁନି ।” କଥାଟା ଶୁଣି ଘରଚଟିଆ ଭାବିବାକୁ ଆରମ୍ଭ କଲା, ଭାବୁ ଭାବୁ ଟିକେ ପରେ ସେ ଶୋଇ ପଡ଼ିଲା । କୌଣସି କଥା ଭାବିବାକୁ ଆରମ୍ଭ କଲେ ତାକୁ ନିଦ ମାଡ଼ୁଥିଲା ।

 

ରାତିର ଅନ୍ଧାର କଟିଗଲା–ଭୋର ହେଇ ଆସିଲା ଚାରିଆଡ଼େ । ଘରଚଟିଆ ନଈକୁ ଗଲା ଗାଧେଇବା ପାଇଁ । ପୋଲ ଉପର ଦେଇ ଯାଉ ଯାଉ ପକ୍ଷୀତତ୍ତ୍ୱର ଅଧ୍ୟାପକ ଆଶ୍ଚର୍ଯ୍ୟ ହୋଇ କହିଉଠିଲେ, “ଆରେ ୟେ ତ ବଡ଼ ଆଶ୍ଚର୍ଯ୍ୟ ଘଟଣା ! ଶୀତଦିନରେ ଘରଚଟିଆ ।” ତା’ପରେ ସେ ଏଇ ବିଷୟ ନେଇ ଗୋଟାଏ ଲମ୍ବା ଚିଠି ଲେଖି ଖବରକାଗଜ ଅଫିସକୁ ପଠେଇଦେଲେ । ସେ ଚିଠିଟା ସମସ୍ତେ ମୁଖସ୍ତ କରି ପକେଇଲେ । କାହିଁକିନା ସେଥିରେ ଏମିତି କେତେଗୁଡ଼ିଏ କଥା ଥିଲା ଯାହାର ମାନେ କେହି ଜାଣି ନଥିଲେ ।

 

“ଆଜି ରାତିରେ ମୁଁ ମିଶରଦେଶକୁ ଚାଲିଯିବି ।” କଥାଟା ଭାବି ଘରଚଟିଆର ମନଟା ଆନନ୍ଦରେ ଭରିଗଲା । ସହର ଛାଡ଼ି ଚାଲିଯିବ ବୋଲି ସେ ଚାରିଆଡ଼େ ବୁଲାବୁଲି କରିବାକୁ ଲାଗିଲା । ଯେଉଁ ଜାଗାକୁ ସେ ଗଲା ସେଠିକାର ଚଢ଼େଇମାନେ ତାକୁ ଦେଖି ନିଜ ଭିତରେ, “ଏଇ ବିଦେଶୀ ନିଶ୍ଚୟ ଜଣେ ବିଶିଷ୍ଟ କେହି ହେଇଥିବେ” ବୋଲି କହିବାକୁ ଲାଗିଲେ ଆଉ ସେଇ କଥା ଶୁଣି ଘରଚଟିଆର ଛାତି କୁଣ୍ତେମୋଟ ହେଇଗଲା ।

 

ଜହ୍ନ ଯେତେବେଳେ ଉଇଁଲା ସେତେବେଳେ ଘରଚଟିଆ ସୁଖୀ ରାଜପୁତ୍ର ପାଖକୁ ଯାଇ କହିଲା, “ମୁଁ ଆଜି ରାତିରେ ମିଶର ଦେଶକୁ ଚାଲିଯିବି । “ମିଶର ଦେଶରେ ତୁମର ଯଦି କିଛି ଦରକାର ଥାଏ ତା’ହେଲେ ଶୀଘ୍ର କୁହ ।”

 

“ଟିକି ଘରଚଟିଆ, ତୁମେ କ’ଣ ଆଉ ଗୋଟେ ରାତି ମୋ ସାଙ୍ଗରେ ରହିବନି ?”

 

ମିଶର ଦେଶରେ ମୋ ସାଙ୍ଗମାନେ ମୋପାଇଁ ଅପେକ୍ଷା କରୁଛନ୍ତି”, ଘରଚଟିଆ କହିଲା, “କାଲି ସେମାନେ ଦ୍ୱିତୀୟ ଜଳପ୍ରପାତ ପର୍ଯ୍ୟନ୍ତ ଉଡ଼ିଯିବେ । ସେଠି ଲମ୍ବା ଲମ୍ବା ଘାସ ଭିତରେ ଜଳ ଘୋଡ଼ାମାନେ ଖେଳୁଛନ୍ତି, ଆଉ ଲାଲ ରଙ୍ଗର ପଥର ସିଂହାସନରେ ଦେବତା ମେନନ ବସି ରହିଛନ୍ତି । ସେ ରାତିସାରା ତାରାମାନଙ୍କୁ ଦେଖନ୍ତି, ଆଉ ଭୋରରେ କୁଆଁତାରା ଆକାଶରେ ଦେଖାଦିଏ ସେତେବେଳେ ମେନନ ଖୁବ୍ ଜୋର୍‍ରେ ଆନନ୍ଦ ଧ୍ୱନି କରି ଚୁପ୍ ହୋଇଯାନ୍ତି । ଦିପହରରେ ହଳଦିଆ ସିଂହମାନେ ପାଣି ପିଇବାକୁ ଆସନ୍ତି । ସେମାନଙ୍କର ଆଖି ସାଗୁଆ ରଙ୍ଗର ଆଉ ସେମାନଙ୍କର ଗର୍ଜନ ଜଳପ୍ରପାତର ଢେଉଠାରୁ ମଧ୍ୟ ଭୟଙ୍କର ।”

 

ରାଜପୁତ୍ର କହିଲେ, “ଟିକି ଘରଚଟିଆ, ସହରଠାରୁ ଆହୁରି ଦୂରରେ ମୁଁ ଦେଖିପାରୁଚି ଯେ ଛାତି ଉପରେ ଥିବା ଗୋଟେ ଛୋଟ ଘରେ ଜଣେ ଯୁବକ ଟେବୁଲ ଉପରେ ହାତ ରଖି ବସିଚି-। ଟେବୁଲ ଭର୍ତ୍ତି କାଗଜ, ଆଉ ତା’ ପାଖରେ କେତୋଟି ଶୁଖିଲା ଗୋଲାପ ପଡ଼ି ରହିଚି । ତା’ର ବାଳ ବାଦାମୀ ରଙ୍ଗର ଓ ରକ୍ତ ପରି ଲାଲ ତା’ର ଓଠ ଦୁଇଟି, ଆଉ ତା’ର ଆଖିରେ ଭରି ରହିଚି ସ୍ଵପ୍ନ । ଥିଏଟର ବାଲାମାନଙ୍କ ପାଇଁ ସେ ଗୋଟାଏ ନାଟକ ଲେଖିବାକୁ ଚେଷ୍ଟା କରୁଚି; କିନ୍ତୁ ତାକୁ ଏତେ ଥଣ୍ଡା ଲାଗୁଚି ଯେ ସେ ଲେଖି ପାରୁନି । ତା’ ଘରେ ନିଆଁ ନାହିଁକି ପେଟରେ ଦାନା ନାହିଁ ।”

 

ଅସଲରେ ଘରଚଟିଆ ଭାରି ଭଲ ସେଥିପାଇଁ ସେ କହିଲା, “ଆଚ୍ଛା ହଉ ଆଜି ରାତିଟା ମୁଁ ତୁମ ସାଙ୍ଗରେ ରହିବି ? କୁହ କ’ଣ କରିବାକୁ ହେବ ? ତାକୁ ଆଉ ଗୋଟେ ଚୁନି ଦେଇ ଆସିବି-?”

 

“ହାଏରେ ଆଉ ମୋ ପାଖରେ ଚୁନି ନାହିଁ, ଅବିକା ମୋର ଆଖି ଦୁଇଟା ସମ୍ବଳ । ଏଇ ଯଉ ନୀଳା ଦେଖୁଚ, ଏହା ଭାରତ ବର୍ଷରୁ ଅଣା ହୋଇଥିଲା; ଏମିତିକା ନୀଳା ଆଉ ପୃଥିବୀରେ ନାହିଁ । ଏଥିରୁ ଗୋଟାଏ ନେଇ ତୁମେ ସେଇ ଯୁବକଟିକୁ ଦେଇ ଆସ । ସେ ତାକୁ ବିକି କାଠ ଆଣି ପାରିବ, ଜଳଖିଆ କିଣି ପାରିବ ଆଉ ନାଟକ ଲେଖା ଶେଷ କରି ପାରିବ ।”

 

“ନାଇ ରାଜପୁତ୍ର, ମୁଁ ଏଇୟା କେବେ କରି ପାରିବି ନାହିଁ”, କହି ଘରଚଟିଆ କାନ୍ଦିବାକୁ ଲାଗିଲା ।

 

ରାଜପୁତ୍ର କହିଲେ, “ନାଇ ଭାଇ, ମୁଁ ଯାହା କହୁଚି ସେଇୟା କର ।”

 

ଘରଚଟିଆ ରାଜପୁତ୍ରଙ୍କର ଆଖିରୁ ଗୋଟାଏ ନୀଳା ନେଇ ଉଡ଼ି ଚାଲିଲା ସେଇ ଯୁବକଟିର ଘରଆଡ଼େ । ଘର ଛାତରେ ଗୋଟାଏ ଫୁଟା ବାଟ ଦେଇ ଘରଚଟିଆ ପଶି ନୀଳାଟା ପକାଇଦେଲା । ଯୁବକଟି କ’ଣ ଗୁଡ଼େ ଭାବୁଥିଲା ଏଣୁ ତାକୁ ଦେଖି ପାରିଲା ନାହିଁ । ଯେତେବେଳେ ସେ ଆଖି ଖୋଲିଲା ସେତେବେଳେ ସେ ଦେଖିଲା ଯେ ଟେବୁଲ ଉପରେ ଥିବା ଶୁଖିଲା ଫୁଲ ଭିତରେ ଗୋଟାଏ ଅପୂର୍ବ ନୀଳା ପଡ଼ି ରହିଚି ।

 

ନୀଳାଟିକୁ ଦେଖି ସେ ଖୁସିରେ କହିଲା, “ତା’ ହେଲେ ସେମାନେ ମତେ ସମାଦର କରିବାକୁ ଶିଖିଛନ୍ତି । ଏଇଟା ନିଶ୍ଚୟ ମୋର କୌଣସି ଭକ୍ତ ପାଠକ ଦେଇଚି ।” କହି ସେ ଖୁସି ମନରେ ନାଟକ ଲେଖିବାକୁ ଆରମ୍ଭ କଲା ।

 

ସେଦିନ ସନ୍ଧ୍ୟାବେଳେ ଘରଚଟିଆ ସୁଖୀ ରାଜପୁତ୍ର ପାଖକୁ ଆସି କହିଲା, “ଆଜି ମୁଁ ମିଶର ଦେଶକୁ ଯିବି ସେଥିପାଇଁ ତୁମଠୁଁ ବିଦାୟ ନବାକୁ ଆସିଛି ।

 

“ଘରଚଟିଆ ଆଉ ଗୋଟେ ରାତି କ’ଣ ତୁମେ ମୋ ସାଙ୍ଗରେ ରହିବନି ।”

 

ଘରଚଟିଆ କହିଲା, “ଏବେ ଶୀତ ଆସିଲାଣି, ଶୀଘ୍ର ବରଫ ପଡ଼ିବା ଆରମ୍ଭ ହବ । ମିଶର ଦେଶରେ ଅବିକା କିନ୍ତୁ କଅଁଳିଆ ଖରା ଚାରିଆଡ଼େ ପଡ଼ିଚି । ଖଜୁରି ଗଛ ଉପରେ ଖରା ପଡ଼ିଛି ଆଉ କୁମ୍ଭୀରମାନେ ବାଲି ଉପରେ ଆରାମରେ ଶୋଇଛନ୍ତି । ମୋ ସାଙ୍ଗମାନେ ବାସୁଦେବଙ୍କ ମନ୍ଦିରରେ ବସା ବାନ୍ଧିଛନ୍ତି । ଶୁଣ ରାଜପୁତ୍ର, ମତେ ଯିବାକୁ ହବ କିନ୍ତୁ ତୁମ କଥା ମୁଁ କେଭେଁ ଭୁଲିବିନି । ବସନ୍ତ ସମୟରେ ମୁଁ ପୁଣି ତୁମ ପାଖକୁ ଫେରି ଆସିବି । ଆଉ ତୁମେ ଯେଉଁ ଦାମିକା ପଥର ଦିଟା ଦେଇଦେଲ, ତା’ ବଦଳରେ ମୁଁ ତୁମପାଇଁ ଖୁବ୍ ସୁନ୍ଦର ଆଉ ଦାମିକା ପଥର ଦୁଇଟା ନେଇ ଆସିବି, ଗୋଟାଏ ପଥର ହବ ରକ୍ତ ପରି ନାଲି ଆଉ ଆରଟା ହବ ସମୁଦ୍ରଠୁଁବି ନୀଳ-

 

ରାଜପୁତ୍ର କହିଲା–“ସେଇ ଯେଉଁ ପାର୍କ ଦେଖୁଚ, ସେଠି ଗୋଟିଏ ଝିଅ ଠିଆ ହେଇଚି । ସେ ଦିଆସିଲି ବିକେ । ତା'ର ଦିଆସିଲିତକ ନାଳରେ ପଡ଼ିଯାଇଚି । ଖାଲି ହାତରେ ଘରକୁ ଫେରିଲେ ସେ ଭୀଷଣ ମାଡ଼ ଖାଇବ । ଏଡ଼େ ପ୍ରଚଣ୍ଡ ଶୀତରେ ତା’ର ଜାମା କି ମୋଜା କିଛି ନାହିଁ-। ତୁମେ ମୋର ଆର ଆଖିଟା ଓପାଡ଼ି ତାକୁ ଦେଇ ଆସ ।”

 

ଘରଚଟିଆ କହିଲା–“ଆଉ ଗୋଟାଏ ରାତି ପଛେ ମୁଁ ତୁମ ସାଙ୍ଗରେ ରହିଯିବି, ମାତ୍ର ତୁମ ଆର ଆଖିଟା ମୁଁ ଖୁମ୍ପିବି ନାହିଁ । ତା’ ହେଲେ ତ ତୁମେ ପୂରା ଅନ୍ଧ ହେଇଯିବ !”

 

ରାଜପୁତ୍ର ବାରମ୍ବାର ଜିଦ୍ କରିବାରୁ ଘରଚଟିଆ ତାଙ୍କର ଆର ଆଖିଟା ଖୁମ୍ପିନେଇ ଉଡ଼ିଗଲା । ନୀଳାଟାକୁ ନେଇ ସେଇ ସାନ ଝିଅଟି ପାଖରେ ପକାଇ ଦେଲା । ଚକଚକିଆ ପଥରଟା ଦେଖି ଝିଅଟି କାନ୍ଦ ବନ୍ଦ କରି କହିଲା–“ବାଃ, କେଡ଼େ ସୁନ୍ଦର ପଥରଟା” କହି ସେଟିକୁ ଧରି ତା’ ଘର ଆଡ଼େ ଧାଇଁଲା ।

 

ରାଜପୁତ୍ରଙ୍କ ପାଖକୁ ଫେରିଯାଇ ଘରଚଟିଆ କହିଲା–“ତୁମେ ତ ଅନ୍ଧ ହୋଇଗଲ ଏଣିକି । ମୁଁ ବରାବର ତୁମ ପାଖରେ ରହିବି ।”

 

“ନା, ନା, ସେ କଥା ହବନି”, ରାଜପୁତ୍ର କହିଲେ–“ତୁମେ ଆଜି ମିଶର ଦେଶକୁ ଚାଲିଯାଅ ।”

 

“ମୁଁ ସବୁଦିନେ ତୁମରି ପାଖରେ ରହିବି”–କହି ଘରଚଟିଆ ତାଙ୍କ ଗୋଡ଼ ପାଖରେ ଶୋଇ ପଡ଼ିଲା ।

 

ପରଦିନ ସେ ରାଜପୁତ୍ରଙ୍କ କାନ୍ଧରେ ବସି ନୂଆ ନୂଆ ଦେଶର କେତେ ଅଦ୍ଭୁତ କାହାଣୀ ତାଙ୍କୁ ଶୁଣାଇଲା । କହିଲା ନାଲି ରଙ୍ଗର ବଗମାନଙ୍କ କଥା, ଯେଉଁମାନେ ନଈ ପାଖରେ ଧାଡ଼ି ବାନ୍ଧି ସୁନେଲି ମାଛ ଖାଆନ୍ତି, ସେଇ ବଣିକମାନଙ୍କ କଥା, ଯେଉଁମାନେ ଓଟ ପିଠିରେ ବସି ମରୁଭୂମି ଭିତର ଦେଇ ଯିବା ଆସିବା କରନ୍ତି; ବିରାଟ ସାଗୁଆ ସାପ କଥା, ଯେ କି ଦିନସାରା ଶୋଇଥାଏ ଆଉ ରାତିରେ କୋଡ଼ିଏ ଜଣ ପୁରୋହିତଙ୍କଠୁଁ କୋଡ଼ିଏ ଗିନା ମହୁ ପିଏ । କହିଲା ସେଇ ଚାଖଣ୍ଡେ ଉଚ୍ଚ ମଣିଷଙ୍କ କଥା, ଯେଉଁମାନେ ଶାଳପତ୍ରର ଡଙ୍ଗାରେ ନଈ ପାରି ହୁଅନ୍ତି ।

 

ଘରଚଟିଆର ଗପ ସରିବା ପରେ ରାଜପୁତ୍ର କହିଲେ– “ଭାଇ ଘରଚଟିଆ, ତୁମେ ମତେ ବହୁତ ଆଶ୍ଚର୍ଯ୍ୟ କଥା ଶୁଣାଇଲ । କିନ୍ତୁ ମଣିଷର ଦୁଃଖଠୁଁ ବଳି ଆଶ୍ଚର୍ଯ୍ୟ ପୃଥିବୀରେ ଆଉ କିଛି ନାହିଁ । କିଏ କେଉଁ ପ୍ରକାର ଦୁଃଖ ପାଏ ଓ କାହିଁକି ପାଏ । ସେ କଥା ଆଜିଯାଏଁ କେହି ବୁଝିପାରି ନାହାନ୍ତି । ତୁମେ ଗୋଟାଏ କାମ କର । ଏଇ ସହରସାରା ଉଡ଼ି ଦେଖ କାହାର କ’ଣ ଦୁଃଖ ରହିଚି । ଦେଖିସାରି ଯାହା ଯାହା ଦେଖିଲ ସବୁ ଆସି ମତେ କୁହ ।”

 

ତାଙ୍କ କଥା ମାନି ଘରଚଟିଆ ଉଡ଼ିବାକୁ ଆରମ୍ଭ କଲା ସହରର ଏ ପ୍ରାନ୍ତରୁ ସେ ପ୍ରାନ୍ତଯାଏଁ । ଦେଖିଲା ବଡ଼ଲୋକମାନେ ବଡ଼ ବଡ଼ କୋଠାଘରେ ରହି ନାନା ପ୍ରକାର ମଉଜ ମଜଲିସ କରୁଛନ୍ତି । ସେମାନଙ୍କ ଘର ପାଖରେ ଧାଡ଼ି ଧାଡ଼ି ଦେଇ ବସିଛନ୍ତି ଭିକାରିମାନେ । ଦେଖିଲା ବସ୍ତିର ସରୁ ଗଳି ଭିତରେ ରୋଗା ରୋଗା ସାନ ପିଲାମାନେ ଭୋକରେ ମୁହଁ ଶୁଖାଇ ରାସ୍ତା କଡ଼ରେ ବସି ରହିଛନ୍ତି । ପୁଣି ଦେଖିଲା, ପ୍ରବଳ ଶୀତ ଦାଉରୁ ରକ୍ଷା ପାଇବା ଲାଗି ସଡ଼କର ଗୋଟାଏ କଣରେ ଦିଓଟି ଅଧା ଲଙ୍ଗଳା ସାନ ପିଲା କୁଣ୍ଡାକୁଣ୍ଡି ହୋଇ ଶୋଇ ପଡ଼ିଛନ୍ତି । ଏତିକିବେଳେ ସେଠି ପହଞ୍ଚିଗଲା ଗୋଟାଏ ସିପାହି । ହାତରେ ଧରିଥିବା ଠେଙ୍ଗାରେ ପିଲା ଦି ଜଣଙ୍କୁ କେଞ୍ଚି ଦେଇ ସେ ପାଟିକଲା–“ଏ ଟୋକା, ଏଟା କ’ଣ ଶୋଇବା ଜାଗା ? ଜଲ୍‍ଦି ପଳା ଏଠୁ, ନହେଲେ ଥାନାକୁ ଧରି ନେବି ।” ବିଚରା ପିଲା ଦିଓଟି ଶୀତ ଆଉ ଭୟରେ ଥରି ଥରି ଅନ୍ଧାରୁଆ ଗଳି ଭିତରେ ପଶିଗଲେ । ଯାଉ ଯାଉ ଦୁହିଁଙ୍କ ଭିତରୁ ଜଣେ ବଡ଼ ବିକଳ ହୋଇ କହି ପକାଇଲା–“ଓଃ, ଭୋକ ତ ଆଉ ସମ୍ଭାଳି ହଉନି !”

 

ଫେରି ଆସି ଘରଚଟିଆ ରାଜପୁତ୍ରଙ୍କୁ ସବୁ କଥା କହିଲା । ରାଜପୁତ୍ର କହିଲେ–“ମୋର ଦେହସାରା ସୁନା ପାତିଆରେ ଛାଉଣି ହେଇଛି । ତୁମେ ସେଇ ପାତିଆତକ ନେଇ ଗରିବ ଲୋକମାନଙ୍କ ଭିତରେ ବାଣ୍ଟିଦିଅ ।”

 

ଘରଚଟିଆ ରାଜପୁତ୍ରଙ୍କ ଦେହରୁ ସୁନା ପାତିଆତକ କାଢ଼ିଆଣି ଗରିବ ଲୋକଙ୍କ ଘରେ ଘରେ ବାଣ୍ଟି ଦବାକୁ ଆରମ୍ଭ କଲା । ଚାହୁଁ ଚାହୁଁ ଗରିବମାନଙ୍କର ଅନ୍ଧାରୁଆ ବସ୍ତିରେ ହସର ଆଲୁଅ ଝଲସି ଉଠିଲା । ସାନ ସାନ ପିଲାମାନେ ନିଜ ଦେହକୁ ଗରମ ରଖିବା ଲାଗି ପାଇଲେ ଗରମ ଜାମା ଆଉ ମୋଜା । ବଡ଼ ଖୁସିରେ, ହସ ହସ ମୁହଁରେ ସେମାନେ ନିଜ ନିଜ ଭିତରେ କହିବାକୁ ଲାଗିଲେ–“ଆଜି ଆମେ ପେଟ ପୂରା ଖାଇଚୁ ।”

 

ଚାହୁଁ ଚାହୁଁ ଶୀତର ପ୍ରକୋପ ବଢ଼ିବାକୁ ଲାଗିଲା । ଆରମ୍ଭ ହେଲା ବରଫ ପଡ଼ିବା । ଗଛ ପତ୍ର, ସଡ଼କ ଘାଟ, ଘର ଛାତ ସବୁ ବରଫରେ ପୂରିଗଲା । ଚାରିଆଡ଼କୁ ଚାହିଁଲେ ମନେ ହେଉଥିଲା ସତେ ଅବା ସହରଟାକୁ କିଏ ଗୋଟାଏ ରୂପା ଚାଦରରେ ଘୋଡ଼ାଇ ପକାଇଚି ।

 

ବିଚରା ଘରଚଟିଆର ଅବସ୍ଥା କହିଲେ ନସରେ । ଏକେତ ସେ ଥଣ୍ଡା ସହି ପାରେ ନାହିଁ, ପୁଣି ଏଭଳି ବରଫ ପଡ଼ିବା ଯୋଗୁଁ ସେ ପ୍ରାଣ ବିକଳରେ କଲବଲ ହବାକୁ ଲାଗିଲା । ତଥାପି ରାଜପୁତ୍ରଙ୍କୁ ଛାଡ଼ି ସେ ଯାଇ ପାରିଲା ନାହିଁ, କାରଣ ସେତେବେଳକୁ ତା’ ମନ ଭିତରେ ତାଙ୍କ ପାଇଁ ଅତି ଗଭୀର ସ୍ନେହ ଆଉ ଆକର୍ଷଣ ପୂରି ଯାଇଥିଲା । ଦିନସାରା ସେ ରୁଟିବାଲାର ଦୋକାନ କଡ଼ରେ ଥାଇ ଛିଣ୍ତା ରୁଟି ଟୁକୁରା ଖାଏ, ଆଉ ରାତିରେ ରାଜପୁତ୍ରଙ୍କ ପାଦତଳେ ଶୋଇ ମଝିରେ ମଝିରେ ଡେଣା ଝାପଟେଇ ନିଜକୁ ଗରମ ରଖିବାର ଚେଷ୍ଟାକରେ ।

 

ଦିନେ ସେ ବୁଝି ପାରିଲା ଯେ ଆଉ ସେ ବଞ୍ଚିବ ନାହିଁ । କୌଣସି ପ୍ରକାରେ ନିଜର ସବୁ ଶକ୍ତିକୁ ଠୁଳ କରି ସେ ଶେଷଥର ଲାଗି ରାଜପୁତ୍ରଙ୍କ କାନ୍ଧ ଉପରେ ବସି କହିଲା–“ରାଜପୁତ୍ର ! ଏଥର ମତେ ବିଦାୟ ଦିଅ ।”

 

ରାଜପୁତ୍ର କହିଲେ–“ଯା ହଉ, ତା’ହେଲେ ତୁମେ ନିଜ ସାଙ୍ଗମାନଙ୍କୁ ଭେଟିବା ଲାଗି ମିଶର ଦେଶକୁ ଯାଉଚ ! ତୁମ କଥା ଶୁଣି ମତେ ବଡ଼ ଖୁସି ଲାଗୁଚି ।”

 

“ମୁଁ ମିଶର ଦେଶକୁ ଯାଉଚି । ରାଜପୁତ୍ର, ମୁଁ ଯାଉଚି ମରଣ ଦେଶକୁ”–କହୁ କହୁ ସେ ମରିଯାଇ ରାଜପୁତ୍ର ପାଦ ପାଖରେ ପଡ଼ିଗଲା ।

 

ଏତିକିବେଳେ ହଠାତ୍ ଗୋଟାଏ ପ୍ରଚଣ୍ଡ ଆବାଦ କରି ରାଜପୁତ୍ରଙ୍କ ମୂର୍ତ୍ତିଟା ଭାଙ୍ଗି ଚୂରମାର ହୋଇଗଲା । ହାତ ପାଦ ସବୁ ଏଣେତେଣେ ଛାଟି ହୋଇ ପଡ଼ିଲା, ଆଉ ସୀସାରେ ତିଆରି ତାଙ୍କର ହୃତ୍‌ପିଣ୍ଡଟା ପଡ଼ିରହିଲା ସେଇ ସ୍ତମ୍ଭ ପାଖରେ ।

 

ପରଦିନ ସକାଳୁ ନଗରପାଳ ତାଙ୍କ ସାଙ୍ଗମାନଙ୍କୁ ଘେନି ସେଇ ପାର୍କକୁ ବୁଲିବାକୁ ଆସିଲେ । ଖମ୍ବ ପାଖରେ ପହଞ୍ଚି ସେ କହିଲେ–“ହାୟ, ହାୟ, ଆମ ସୁଖୀ ରାଜପୁତ୍ରଙ୍କର ଏପରି ଅବସ୍ଥା ହେଲା କେମିତି ?”

 

ତାଙ୍କୁ ବେଢ଼ି ରହିଥିବା ଖୋସାମତିଆ ସାଙ୍ଗମାନେ ସାଙ୍ଗେ ସାଙ୍ଗେ ପାଳି ଧରିଲେ–“ଠିକ୍ କଥା, ସୁଖୀ ରାଜପୁତ୍ରଙ୍କର ଏପରି ଅବସ୍ଥା କଲା କିଏ ?”

 

ନଗରପାଳ କହିଲେ–“ତାଙ୍କ ଦେହରେ ଥିବା ହୀରା, ନୀଳା, ସୁନା–କିଛି ହେଲେ ନାହିଁ । ଅବିକା ଏଟା ରାଜପୁତ୍ରଙ୍କ ମୂର୍ତ୍ତି ନୁହେଁ, ଗୋଟାଏ ଭିକାରି ମୂର୍ତ୍ତି ପରି ଦିଶୁଛି ।”

 

ସାଙ୍ଗମାନେ ପାଳି ଧରିଲେ–“ହଁ ହଁ, ଏଟା ଗୋଟାଏ ଛତରଖିଆ ଭିକାରି ମୂର୍ତ୍ତି ପରି ଦିଶୁଛି ।

 

ହଠାତ୍ ନଗରପାଳ କହିଲେ–“ଆରେ ଦେଖ, ଦେଖ, ମୂର୍ତ୍ତିଟାର ପାଦ ପାଖରେ ଗୋଟାଏ ଚଢ଼େଇ ମରି ପଡ଼ିରହିଛି । ନାଃ, ଏଣିକି ଗୋଟାଏ ଆଇନ କରିବାକୁ ହବ ଯେ ଏଠି କୌଣସି ଚଢ଼େଇ ମରି ପାରିବେ ନାହିଁ ।” ସାଙ୍ଗେ ସାଙ୍ଗେ ଜଣେ କିରାଣୀ ତାଙ୍କର ଏଇ କଥାଟାକୁ ଟିପି ରଖିଲା ।

 

ତା’ପରେ ବିଚାର ଆରମ୍ଭ ହେଲା–ସୁଖୀ ରାଜପୁତ୍ରଙ୍କ ମୂର୍ତ୍ତି ତ ଭାଙ୍ଗିଗଲା, ତେବେ ସେଠି କ’ଣ ରହିବ । ପ୍ରତ୍ୟେକଙ୍କର ଇଚ୍ଛା ନିଜର ଗୋଟାଏ ମୂର୍ତ୍ତି ସେଠି ରଖିବା ଲାଗି, ମାତ୍ର ନଗରପାଳଙ୍କ ସାମନାରେ କେହି ହେଲେ ସେ କଥା ସାହସ କରି କହିପାରୁ ନାହାନ୍ତି । କିଛି ସମୟ ସମସ୍ତଙ୍କ ମତାମତ ଶୁଣି ନଗରପାଳ କହିଲେ–“ଏଠି ଆଉ ଗୋଟାଏ ସୁନାରେ ତିଆରି ମୂର୍ତ୍ତି ରଖାଯିବ, ଆଉ ସେଇ ମୂର୍ତ୍ତିଟା ହବ ମୋର ।

 

ଏତିକିରେ ସବୁ ଯୁକ୍ତିତର୍କ ସରିଗଲା । ସାଙ୍ଗେ ସାଙ୍ଗେ ଲୁହା କାରଖାନାର କାରିଗରମାନଙ୍କୁ ଡାକି ବରାଦ ହେଲା–ରାଜପୁତ୍ରଙ୍କ ମୂର୍ତ୍ତିଟାକୁ ତରଳାଇ, ସେଇ ଧାତୁରେ ନଗରପାଳଙ୍କର ଗୋଟାଏ ମୂର୍ତ୍ତି ଗଢ଼ିଦବା ପାଇଁ । କାରିଗରମାନେ ମୂର୍ତ୍ତିର ଖଣ୍ଡଗୁଡ଼ାକ ଉଠାଇବାବେଳେ ଦେଖିଲେ ଘରଚଟିଆଟିଏ ମରି ପଡ଼ିରହିଛି । ସେମାନେ ମଲା ଚଢ଼େଇଟାକୁ ଗୋଟାଏ ଅଳିଆ ଗଦାରେ ପକାଇ ଦେଇ ମୂର୍ତ୍ତିର ଅଂଶଗୁଡ଼ାକ ଧରି ଚାଲିଗଲେ ।

 

କିଛି ସମୟ ପରେ କାରିଗରମାନେ କହିଲେ–“ବଡ଼ ଆଶ୍ଚର୍ଯ୍ୟ କଥା । ସୀସାର ହୃତ୍‌ପିଣ୍ଡଟା ମୋଟେ ତରଳୁ ନାହିଁ !” ବିରକ୍ତ ହୋଇ ସେମାନେ ହୃତ୍‍ପିଣ୍ଡଟାକୁ ଫୋପାଡ଼ି ଦେଲେ । ସେଟା ପଡ଼ିଲା ଯାଇ ସେଇ ଅଳିଆ ଗଦା ପାଖରେ, ଯେଉଁଠି ପଡ଼ିରହିଥିଲା ମଲା ଘରଚଟିଆ ।

 

ଈଶ୍ୱର ଜଣେ ଦେବଦୂତକୁ କହିଲେ–“ତୁମେ ସେଇ ସହର ଭିତରୁ ସବୁଠୁଁ ଦାମୀଦିଟା ଜିନିଷ ମୋ ପାଖକୁ ଆଣ ।” କିଛି ସମୟ ପରେ ଦେବଦୂତ ଆଣିଦେଲା–ସୀସାର ହୃତ୍‍ପିଣ୍ଡ ଆଉ ମଲା ଘରଚଟିଆଟିକୁ ।

 

ଈଶ୍ୱର କହିଲେ–“ତୁମେ ଠିକ୍ ଜିନିଷ ଚିହ୍ନ ଆଣିଚ । ଏଣିକି ସୁଖୀ ରାଜପୁତ୍ର ସ୍ୱର୍ଗରେ ରହିବେ ଆଉ ଏଇ ଚଢ଼େଇଟି ଚିର ଦିନ ଖେଳି ବୁଲିବ ନନ୍ଦନ–କାନନରେ ।”

Image

 

ଶାସ୍ତି

 

ସେ ବର୍ଷ ନାହିଁ ନଥିବା ଶୀତ । ରାତି ତ ରାତି, ଦିନସାରାବି ଚାରିପଟେ ବରଫ ବିଛାଇ ହୋଇ ରହିଥାଏ । ମଣିଷ ତ ଦୂର କଥା, ବଣର ପଶୁପକ୍ଷୀମାନେବି ଏଇ ପ୍ରଚଣ୍ଡ ଶୀତରେ ଦରମରା ହେଇ ଯାଉଥାଆନ୍ତି । ବରଫ-ଘୋଡ଼ା ବୁଦା ବାଟେ ଯାଉ ଯାଉ ହେଟାବାଘ କହିଲା–“ଓଃ, କି ପ୍ରବଳ ଶୀତ ! ଧନ୍ୟ ସରକାର ! ଆମ ଲାଗି କିଛି ହେଲେ ପ୍ରତିକାର କରୁନାହିଁ ।”

 

ଚିଁ ଚିଁ ହେଇ ଦଳେ ବଣି ଚଢ଼େଇ କହିଲେ–“ବୁଢ଼ୀ ପୃଥିବୀ ମରି ଯାଇଛି, ଆଉ ତା’ର ମୁର୍ଦାରଟା ଘୋଡ଼ାଇ ଦିଆହୋଇଛି ଧଳା ଲୁଗାରେ ।”

 

ହଳେ ପାରା ଧୀରେ ଧୀରେ କହିଲେ–“ନା ନା, ପୃଥିବୀର ବାହାଘର ହବ, ଆଉ ଏଟା ହେଉଚି ତା’ର ବ୍ରହ୍ମବେଶ ।” "ପାରାମାନେ ସବୁଦିନେ ଟିକେ କବି–ଧରଣର ।

 

“ବାଜେ କଥା”–ହେଟାବାଘ ଖିଙ୍କାରୀ ଉଠିଲା, ମୁଁ କହୁଚି ଏସବୁ ସରକାରର ଦୋଷ । ମୋ କଥା ନ ମାନିଲେ, ମୁଁ ତୁମମାନଙ୍କୁ ଗିଳି ପକାଇବି ।”

 

ବଣ ଭିତରେ ସବୁଠୁଁ ବଳୁଆ ଜୀବ ହେଟା । ତେଣୁ ତା’ର ଯୁକ୍ତିକୁ ସମସ୍ତେ ମାନିନେଲେ-

 

ବାସ୍ତବିକ ଅସମ୍ଭବ ଧରଣର ଶୀତ । ଗୁଣ୍ଡୁଚିମୂଷା ଓ ଠେକୁଆମାନେ ନିଜ ନିଜ ଗାତ ଭିତରେ ଜଣକ ଉପରେ ଜଣେ ଲଦି ହୋଇ ଶୀତ ଦାଉରୁ ରକ୍ଷା ପାଇବାର ଚେଷ୍ଟା କରୁଥାନ୍ତି, ତଥାପି ବିଶେଷ ଲାଭ ହେଉନି । ଚାରିପଟ କେବଳ ଧଳା ଆଉ ଧଳା । ଏଇ ପ୍ରବଳ ଶୀତରେ ସେଇ ବରଫ ଢଙ୍କା ବଣ ବାଟରେ ଚାଲିଛନ୍ତି ଦି ଜଣ କାଠ କଟାଳୀ । ବରଫମିଶା ପବନ ବାଜି ସେମାନଙ୍କର ହାତ ପାଦ କାଲୁଆ ହେଇ ଯାଉଥାଏ । ତେଣୁ ସେମାନେ ମଝିରେ ମଝିରେ ନିଜ ହାତର ପାପୁଲି ଦି’ଟା ଘଷି ଦିହକୁ ଗରମ ରଖିଥାଆନ୍ତି । ଯାଉ ଯାଉ ଜଣକର ପାଦ ଗୋଟାଏ ବରଫ ଢଙ୍କା ଗାତରେ ପଡ଼ିଗଲା । ଆଉ ଜଣକ ଚଟ୍‍କିନା ତାକୁ ଟାଣିଆଣି ନଥିଲେ ତା’ର ପ୍ରାଣ ସେଇଠି ଛାଡ଼ିଯାଇଥାନ୍ତା । ଏତିକିବେଳେ ପୁଣି ପବନର ବେଗ ଗଲାବଢ଼ି । ପ୍ରାଣ ବିକଳରେ ଦୁହେଁ ଭଗବାନଙ୍କ ନାଁ ଜପି ଜପି ଗାଁ ବାଟରେ ଆଗେଇ ଚାଲିଲେ ।

 

ସଞ୍ଜ ହେଇ ଆସିଲାଣି । ହଠାତ୍ ଦୂରରେ ଦିଶିଲା କେତେଗୁଡ଼ାଏ ଆଲୁଅ ମିଟିମିଟି ହେଇ ଜଳୁଚି । ସେଟା ସେମାନଙ୍କର ଗାଁ । ଗାଁ ଦିଶିଯିବାରୁ ସେମାନଙ୍କର ଭୟ ବହୁତ କମିଗଲା ଆଉ ଶୀଘ୍ର ଶୀଘ୍ର ପାଦ ପକାଇବାକୁ ଲାଗିଲେ ଦୁହେଁ । ଜଣେ କହି ପକାଇଲା–“ଯା ହଉ, ଗାଁଟା ଦିଶିଲା, ବଡ଼ ଖୁସି ଲାଗୁଚି ।” ଆଉ, ଜଣକ କହିଲା–“ଆମ ଜୀବନରେ ଖୁସି କାହିଁ ? ସବୁତକ ଭଲ ଜିନିଷ ତ ବଡ଼ଲୋକମାନେ ଏକଚାଟିଆ କରି ନେଇଛନ୍ତି, ଆଉ ଆମେ ଖୁସିହବୁ କ’ଣ ଘେନି-?

 

ଠିକ୍ ଏତିକିବେଳେ ମନେହେଲା ଆକାଶରୁ ଗୋଟାଏ ଖୁବ୍ ସୁନ୍ଦର ଆଉ ଉଜ୍ଜ୍ୱଳ ତାରା ଖସି ଆସୁଚି । କାବା ହୋଇ କାଠ କଟାଳୀ ଦିହେଁ ଦେଖିଲେ ଯେ ସେମାନଙ୍କଠୁଁ ଖଣ୍ଡେ ଦୂରରେ, ଗୋଟାଏ ଦେବଦାରୁ ଗଛ ପଛପଟେ ତାରାଟା ପଡ଼ିଗଲା ।

 

“ଚାଲ ଚାଲ ! ସେଟା କ’ଣ ଦେଖିବା”–କହି ଦିହେଁ ସେଇ ଗଛ ପାଖକୁ ଧାଇଁଗଲେ । ସେଇ ଗଛ ପାଖରେ ପହଞ୍ଚି ଦେଖିଲେ ଯେ ବରଫ ଉପରେ ପଡ଼ିରହିଛି ସୁନେଲି ସୂତାରେ ବୁଣା ଗୋଟାଏ ନାଲି ପାଟକନାର ପୁଟୁଳି । ସେଇ ପୁଟୁଳି ଭିତରେ ନିଶ୍ଚେଁ ସୁନା ବା ରୁପା ରହିଛି ବିଚାରି ଦିହେଁ ବଡ଼ ଆଗ୍ରହରେ ସେଟିକୁ ଫିଟାଇ ଦେଖିଲେ ଯେ ତା’ ଭିତରେ ଶୋଇଛି ଗୋଟିଏ କଅଁଳିଆ ଛୁଆ । ଜଣେ କହିଲା–“ହାୟ ହାୟ ! ସୁନା ରୁପା ନୁହେଁ ଗୋଟିଏ ଛୁଆ ! ନିଜ ଛୁଆଙ୍କୁ ତ ଖାଇବାକୁ ଦେଇ ପାରୁନୁ, ଏଟାକୁ ପୁଣି କରିବୁ କ’ଣ ! ଚାଲ ଚାଲ ଯିବା । ଆର ଜଣଙ୍କ କହିଲା–“ନାଇ ଭାଇ, ତା’ହେଲେ ବିଚରା ଛୁଆଟି ଶୀତରେ ମରିଯିବ । ମୁଁ ବି ତୁମରି ପରି ଗରିବ, ତଥାପି ଏଇ ପିଲାଟିକୁ ମୁଁ ନିଜ ଘରକୁ ନେଇଯିବି । ଏହା କହି ସେ ପିଲାଟିକୁ ପୁଣି ସେଇ ପାଟକନାରେ ଗୁଡ଼ାଇ ନିଜ ଘରକୁ ନେଇ ଆସିଲା ।

 

କାଠ କଟାଳୀର ଭାର୍ଯ୍ୟା ପିଲାଟିକୁ ଦେଖି ପ୍ରଥମେ ବହୁତ ବିରକ୍ତ ହେଲା, କହିଲା–“ଆମ ନିଜ ପିଲାଙ୍କୁ ପେଟପୂରା ଖୁଆଇ ପାରୁନୁ ଆମେ, ତା’ ଉପରେ ତୁମେ ପୁଣି ଆଉ ଗୋଟାଏ ବୋଝ ଆଣି ଲଦିଦେଲ ! ମୁଁ ସେ ପିଲାଟିକୁ ଛୁଇଁବି ନାହିଁ ।” କାଠ କଟାଳୀ ପିଲାଟିର ତାରାରୁ ଖସି ପଡ଼ିବା କଥା ତାକୁ କହିଲା, ତଥାପି ତା’ ସ୍ତ୍ରୀର ମନ ତରଳିଲା ନାହିଁ । ସେଠୁ କାଠୁରିଆ କହିଲା–“ଦେଖ ଭଗବାନ ଆମ ସମସ୍ତଙ୍କୁ ସୃଷ୍ଟି କରିଛନ୍ତି, ଆଉ ପ୍ରତ୍ୟେକଙ୍କ ଲାଗି ସେ ଖାଇବା ପିନ୍ଧିବାର ଯୋଗାଡ଼ କରି ରଖିଛନ୍ତି । ଆମେ ଯେଉଁ ଦିମୁଠା ଖାଇବାକୁ ପାଉଛୁ, ସେ କେବଳ ତାଙ୍କରି ଦୟାରୁ । ସେ କଥା ବିଚାରି ଆମେ କ’ଣ ଏଇ ନିଆଶ୍ରୀ ପିଲାଟିକୁ କୋଳକୁ ଟାଣିନେଇ ପାରିବୁନି ।” କହୁ କହୁ ତା’ ଆଖିରୁ ଧାର ଧାର ହୋଇ ଲୁହ ଝରି ପଡ଼ିଲା । ଟିକେ ପରେ, ତା’ ସ୍ତ୍ରୀ ଧୀରେ ଧୀରେ ଆଗେଇ ଆସି ସେଇ ପିଲାଟିକୁ ନିଜ କୋଳରେ ଧରି ଗେଲ କରିବାକୁ ଲାଗିଲା । ତା’ପରେ ପିଲାଟିକୁ ନିଜ ଶେଯରେ ଶୁଆଇ ଦେବାକୁ ଯାଇ ସେ ଦେଖିଲା ଯେ ଗଳାରେ ଗୋଟାଏ ସ୍ଫଟିକ ମାଳ ଝୁଲୁଛି । ସେ ସେଇ ମାଳଟି ଓ ନାଲି ପାଟକନାଟିକୁ ଯତ୍ନରେ ସାଇତି ରଖିଲା ।

 

ଧୀରେ ଧୀରେ ସେଇ ପିଲାଟି ବଢ଼ିବାକୁ ଲାଗିଲା । କି ସୁନ୍ଦର ତା’ର ରୂପ ! ଯେ କେହି ତା’ ରୂପ ଦେଖିଲେ ମୁଗ୍ଧ ହେଇଯିବ । ହେଲେ ତା’ର ଭିତରଟା ହେଲା ଠିକ୍ ଓଲଟା ଧରଣର । ଦୟା, ସ୍ନେହ କି ନମ୍ରତା ଟିକେ ହେଲେ ତା’ଠି ନଥିଲା । ଗାଁର ପିଲାମାନଙ୍କୁ ସେ କହୁଥିଲା–“ଛୋଟଲୋକ ଛୁଆ”, ଆଉ ସେମାନଙ୍କ ସଙ୍ଗରେ ଖେଳିବା ତ ଦୂରର କଥା, ପାଟି ସୁଦ୍ଧା ଫିଟାଉ ନଥିଲା ସେ । କେବେ କେହି ଅନ୍ଧ କି ଛୋଟା ଭିଖ ମାଗିବାକୁ ଆସିଲେ, ସେ ସେମାନଙ୍କୁ ‘ଚୋର’ ‘ଠକ’ ଇତ୍ୟାଦି ଗାଳିଦେଇ ଢେଲା ଫୋପାଡ଼ୁଥିଲା । ସବୁବେଳେ ନିଜ ରୂପର ଗର୍ବ ତା’ ମନରେ ପୂରି ରହୁଥିଲା । ବହୁତ ସମୟରେ ପୋଖରୀ ତୁଠରେ ବସି ପାଣିରେ ନିଜ ରୂପ ଦେଖି ଗର୍ବରେ ଫୁଲି ଉଠୁଥିଲା ।

 

କାଠୁରିଆ ଆଉ ତା’ ସ୍ତ୍ରୀ ତାକୁ କହନ୍ତି–“ଛି ଛି, ସାଙ୍ଗ ପିଲାଙ୍କ ପ୍ରତି, ଗରିବ ଲୋକଙ୍କ ପ୍ରତି ଏମିତି ବ୍ୟବହାର କରିବା କ’ଣ ଖରାପ । ସମସ୍ତଙ୍କୁ ଖୁସି ରଖିବୁ ।” ଗାଁ ଅବଧାନ କେତେ ବୁଝାନ୍ତି–“ଭଗବାନ ସମସ୍ତଙ୍କ ଦେହରେ ଅଛନ୍ତି । ଯେଉଁ କୁକୁରବି ବିଲେଇଟାକୁ ମାରୁଚୁ, ତା’ ଦେହରେବି ଭଗବାନ ଅଛନ୍ତି । କାହାକୁ କଷ୍ଟ ଦେବୁନି ।” ହେଲେ ଏଇ କଥାଗୁଡ଼ାକ ସେ ଗୋଟାଏ କାନରେ ପୂରାଇ ଆର କାନପଟେ ବାହାର କରିଦିଏ । ତା’ପରେ ନିତି ଚେଲାମାନଙ୍କୁ ଧରି ନାନା ପ୍ରକାର ଦୁଷ୍ଟାମି ଦୌରାତ୍ମ୍ୟ କରିବାକୁ ବାହାରି ପଡ଼େ । ତା’ର ରୂପ ଯୋଗୁଁ ଗାଁର ଦଳେ ଦୁଷ୍ଟ ଅମାନିଆ ଟୋକା ତା’ର ଚେଲା ହେଇଯାଇଥିଲେ । ସେମାନଙ୍କ କାମ ଥିଲା ଦିନସାରା ବୁଲି ଜୀବଜନ୍ତୁଙ୍କୁ ମାରିବା କି ଭିକାରି ବା ବୁଢ଼ା ଲୋକଙ୍କୁ ହଇରାଣ କରିବା । ଏମାନଙ୍କ ଅତ୍ୟାଚାରରେ ଗାଁସାରା ଲୋକେ ଅତିଷ୍ଠ ହୋଇ ପଡ଼ୁଥାଆନ୍ତି ।

 

ଏଇ ସମୟରେ ଦିନେ ଗୋଟେ ବୁଢ଼ୀ ଭିକାରୁଣୀ ସେଇ ଗାଁରେ ପହଞ୍ଚିଲା । ପଥୁରିଆ ବାଟରେ ଚାଲି ଚାଲି ତା’ ପାଦ ଫାଟି ରକ୍ତ ବାହାରୁଥାଏ । ଗୋଟାଏ ଗଛ ମୂଳରେ ସେ ବସିଲା ଟିକେ ବିଶ୍ରାମ ନବାଲାଗି । ତାକୁ ଦେଖି ପକାଇ ପିଲାଟି ତା’ର ସାଙ୍ଗମାନଙ୍କୁ କହିଲା–“ଦେଖ ଦେଖ, ଗୋଟାଏ କଦର୍ଯ୍ୟ ବୁଢ଼ୀ ଏଠି ଆସିଛି । ଚଞ୍ଚଳ ତଡ଼ିଦବା ।” ତା’ପରେ ସେମାନେ ବୁଢ଼ୀଟିକୁ ଢେଲା ମାରିବାକୁ ଲାଗିଲେ । ଏମାନଙ୍କ କାରବାର ଦେଖି ବିଚରା ବୁଢ଼ୀ ଭୟରେ ପାଟିକରି ଉଠିଲା-। ତା’ ପାଟି ଶୁଣି କାଠୁରିଆ ଧାଇଁ ଆସି ପିଲାଟିକୁ ଖୁବ୍ ଗାଳିଦେଇ ସେଠୁ ଚାଲିଯିବା ଲାଗି କହିଲା-। ମାତ୍ର ତା’ ଗାଳିକୁ ଖାତିର ନକରି ପିଲାଟି କହିଲା–“ତୁମେ ତ ମୋର ବାପ ନୁହ । ତୁମର କି ଅଧିକାର ଅଛି ମତେ ହୁକୁମ କରିବାପାଇଁ !” ଏକଥା ଶୁଣି କାଠୁରିଆ କହିଲା–“ଠିକ୍ କଥା, ସେଦିନ ରାତିରେ ତତେ ବଣ ଭିତରୁ ଦୟା କରି ଆଣି ନଥିଲେ ଠିକ୍ ହୋଇଥାନ୍ତା ।”

 

କାଠୁରିଆ କଥା ଶୁଣୁ ଶୁଣୁ ବୁଢ଼ୀଟି ହଠାତ୍ ଅଚେତ ହେଇ ପଡ଼ିଗଲା । କିଛି ସମୟ ପାଣି ଛିଞ୍ଚିବା ପରେ ତା’ର ଚେତା ଫେରିଲା । ଚେତା ଫେରିବାମାତ୍ରେ ସେ କାଠୁରିଆକୁ ପଚାରିଲା–“ଆଜିଠୁଁ କେଇବର୍ଷ ତଳେ ତୁମେ ସେଇ ପିଲାଟିକୁ ବଣରୁ ପାଇଥିଲା ?” କାଠୁରିଆ କହିଲା–“ଦଶ ବର୍ଷ ତଳେ ।” ବୁଢ଼ୀ ବିକଳ ହୋଇ କହିଲା–“ସେ କ’ଣ ଗୋଟାଏ ସୁନେଲି ସୂତାରେ କାମ ହୋଇଥିବା ନାଲି ପାଟରେ ଗୁଡ଼ା ହୋଇଥିଲା ? ଆଉ ତା’ ବେକରୁ କ’ଣ ଗୋଟାଏ ସ୍ଫଟିକ ହାର ଥିଲା ?” କାଠୁରିଆ ହଁ ଭରିବାରୁ ବୁଢ଼ୀ କାନ୍ଦି କାନ୍ଦି କହିଲା–“ସେ ମୋରି ପୁଅ । ଆଜିଯାଏଁ ମୁଁ ତାକୁଇ ଖୋଜି ବୁଲୁଚି । ସେ କାହିଁ, ଶୀଘ୍ର ତାକୁ ଡାକ, ମୁଁ ଥରେ ତାକୁ ଦେଖିବି ।”

 

କାଠୁରିଆ ଯାଇ ପିଲାଟିକୁ କହିଲା–“ତୋର ମା ତତେ ଖୋଜିବାକୁ ଆସିଛନ୍ତି । ଘର ଭିତରକୁ ଚାଲ ।” “ମା ଆସିଛନ୍ତି” ଶୁଣି ପିଲାଟି ପ୍ରଥମେ ବଡ଼ ଖୁସି ହୋଇ ଧାଇଁଗଲା । ମାତ୍ର ସେଇ ବୁଢ଼ୀକୁ ଦେଖି ଘୃଣାରେ ନାକ ଟେକି କହିଲା–“ଛି ଛି, ଏଟା ଗୋଟାଏ ଭିକାରୁଣୀ ବୁଢ଼ୀ, ସେ ମୋର ମା ହବ କାହିଁକି ?” ବୁଢ଼ୀ କହିଲା–“ନା, ନା, ପ୍ରକୃତରେ ମୁଁ ତୋର ମା । ତୁ ବଣ ଭିତରେ ଜନ୍ମିଥିଲୁ । ଏତିକିବେଳେ ଗୋଟାଏ ଚିଲ ତତେ ଝାମ୍ପ ମାରି ନେଇ ଯାଇଥିଲା । ସେଇ ଦିନଠୁଁ ମୁଁ ତତେ ଖୋଜି ବୁଲୁଛି । “ଆ, ମୋ କୋଳକୁ ଆ । ତତେ ନ ପାଇଲେ ମୁଁ ମରିଯିବି ।” –ଏକଥା କହି ବୁଢ଼ୀ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା ।

 

ପିଲାଟି କହିଲା–“ତୁମେ ସତରେ ମୋର ମା ହୋଇଥିଲେ ସୁଦ୍ଧା ମୁଁ ତୁମକୁ ମାନିବି ନାହିଁ । ମୁଁ ଭାବେ, ମୋର ମା ଆକାଶର ତାରା ପରି ସୁନ୍ଦର । ଛି, ଛି ତୁମକୁ କିଏ ମା ବୋଲି ଡାକିବ ।” ତା’ କଥା ଶୁଣି ସାରି ବୁଢ଼ୀ ଦୀର୍ଘ ନିଃଶ୍ୱାସଟାଏ ପକାଇ କହିଲା–“ହଉ, ମୋ ପାଖକୁ ଥରକ ଲାଗି ଆ, ମୁଁ ତତେ ଗୋଟାଏ ଚୁମା ଦେଇ ଚାଲିଯିବି ।” ପିଲାଟି କହିଲା–“ତୁମେ ଚୁମାଦବ-! ତୁମେ ତ ଗୋଟାଏ ବେଙ୍ଗଠୁଁବି ଅସୁନ୍ଦର ! ଛି ଛି, ତୁମ ଚୁମା ନବ କିଏ ?” –ଏକଥା କହି ତା’ର ଚେଲାମାନଙ୍କ ପାଖକୁ ଚାଲିଗଲା । ବୁଢ଼ୀଟିବି କାନ୍ଦି କାନ୍ଦି କେଉଁଆଡ଼େ ଚାଲିଗଲା ।

 

ଚେଲାମାନଙ୍କ ପାଖରେ ପହଞ୍ଚି ସେ ଦେଖିଲା–ଏ କ'ଣ ! ସେମାନେ ଯେ ତା’ଠୁଁ ଆଡ଼େଇ ହୋଇ ଯାଉଛନ୍ତି ! ସେମାନଙ୍କୁ ପାଖକୁ ଡାକିବାରୁ, ଜଣେ ଥଟ୍ଟା କରି କହିଲା–“ଛି ଛି, ତୋ ଚେହେରା ଠିକ୍ ବେଙ୍ଗ ପରି । ଆମେ ତୋ ସାଙ୍ଗରେ ଖେଳିବୁ ନାହିଁ ।” ଏକଥା କହି ସେମାନେ ଅନ୍ୟ ଆଡ଼େ ଚାଲିଗଲେ ।

 

ସେମାନଙ୍କ କଥା ଶୁଣି ପିଲାଟି ମନେ ମନେ କହିଲା–“କ’ଣ ହେଲା, ମୁଁ ବେଙ୍ଗ ପରି ! ମୋ ପରି ରୂପ କେଇ ଜଣଙ୍କର ଅଛି ! ”ତା’ପରେ ସେ ଗଲା ପୋଖରୀ ତୁଠକୁ ନିଜ ରୂପ ଦେଖିବାପାଇଁ । ପାଣିକି ଚାହିଁ ସେ ଚମକି ପଡ଼ିଲା; ସତେ ତ ! ତା’ ମୁହଁଟା ଏକାବେଳେ ବେଙ୍ଗ ପରି ହେଇଯାଇଛି, ଆଉ ତା’ ମୁଣ୍ଡର କୁଞ୍ଚକୁଞ୍ଚିଆ ବାଳ ଭିକାରିଙ୍କ ପରି ଜଟ ପଡ଼ିଯାଇଚି । ସେଇ, ସେଇ ଭୂମି ଉପରେ ଶୋଇ ସେ କାନ୍ଦି କାନ୍ଦି କହିବାକୁ ଲାଗିଲା–“ହାୟ ହାୟ, ମୋ’ରି ପାପ ଯୋଗୁଁ ମୁଁ ଏଇ ଦଶା ଭୋଗୁଛି । ମୋ ମା’ଙ୍କ ପ୍ରତି ମୁଁ ଖୁବ୍ ଖରାପ ବ୍ୟବହାର କରିଛି । ମୁଁ ଯାଉଚି, ମୋ ମା'ଙ୍କୁ ଖୋଜି ବାହାର କରି ତାଙ୍କଠୁଁ କ୍ଷମା ମାଗିବି ।” ଏକଥା କହି ସେ ସାଙ୍ଗେ ସାଙ୍ଗେ ତିଆର ହେଲା ନିଜ ମା’କୁ ଖୋଜି ବାହାରିବା ଲାଗି । କାଠୁରିଆ, ତା’ ସ୍ତ୍ରୀ, ତା’ ଝିଅ–ସମସ୍ତେ ତାଙ୍କୁ କହିଲେ–“ଯା ହବାର ହେଇ ଯାଇଛି । କୁଆଡ଼େ ଅବା ଯିବୁ ! ତୁ ଶାନ୍ତିରେ ଏଇଠି ରହି ଯା ।” କିନ୍ତୁ ସେ କାହାରି କଥା ନ ମାନି ଏକମୁହାଁ ଚାଲିଲା ନିଜ ମା’କୁ ଖୋଜିବା ଲାଗି ।

 

ଦିନସାରା ସେ ‘ମା’ ‘ମା’ ଡାକି ବଣ ଭିତରେ ବୁଲିବାକୁ ଲାଗିଲା । ସଞ୍ଜ ହେଇଯିବାରୁ ଗୋଟାଏ ଗଛ ମୂଳରେ ଶୋଇ ପଡ଼ିଲା । ସକାଳୁ ଉଠି ମୁଠାଏ ଜାମୁକୋଳି ଖାଇ ପୁଣି ତା’ ମା’କୁ ଖୋଜିବାକୁ ଲାଗିଲା । ବାଟରେ ଭେଟିଲା ଗୋଟାଏ ଚୁଚୁନ୍ଦ୍ରାକୁ । ପଚାରିଲା–“ତୁମେ ତ କେତେ ଆଡ଼େ ବୁଲୁଛ । କହି ପାରିବ ମୋର ମା କେଉଁଠି ଅଛନ୍ତି ?” ଚୁଚୁନ୍ଦ୍ରା କହିଲା–“ମୁଁ ଜାଣିବି କେମିତି-? ତୁମେ ପରା କାଠି ଗେଞ୍ଜି ମତେ ଅନ୍ଧ କରି ଦେଇଚ ।” ତା’ପରେ ଗୋଟିଏ ବଣି ଚଢ଼େଇକୁ ସେ ପଚାରିଲା–“ତୁମେ ତ କେତେ ଦେଶ ଉଡ଼ି ବୁଲୁଚ । ମୋ ମା କେଉଁଠି ଅଛନ୍ତି, ଜାଣ-?” ବଣି କହିଲା–“ତୁମେ ତ ମୋର ଡେଣା ଭାଙ୍ଗି ଦେଇଚ, ମୁଁ ଉଡ଼ିବି କେମିତି ?

 

ନିଜ ଦୋଷ ଲାଗି ଲୁହ ଢାଳୁ ଢାଳୁ ପିଲାଟି ମନେ ମନେ ସମସ୍ତଙ୍କ ପାଖରେ କ୍ଷମା ମାଗି ଆଗେଇ ଚାଲିଲା । ଖଣ୍ଡେ ଦୂରରେ ଗୋଟାଏ ଗାଁ । ଗାଁରେ ପହଞ୍ଚିବାମାତ୍ରେ ତା’ର କଦର୍ଯ୍ୟ ରୂପ ଦେଖି ଗାଁର ପିଲାଏ ତାକୁ ଢେଲା ଫୋପାଡ଼ିବାକୁ ଆରମ୍ଭ କଲେ । ଭୋକରେ ତା’ ପ୍ରାଣ ବାହାରି ଯାଉଥାଏ, ମାତ୍ର କେହିହେଲେ ତାକୁ ମୁଠାଏ ଖାଇବାକୁ ଦେଲେ ନାହିଁ । ଯେଉଁ ଘରକୁ ଗଲା, ଦୂର ଦୂର, ମାର୍ ମାର୍ । ପେଟ ବିକଳରେ ବଣୁଆ ଫଳମୂଳ ଖାଇ ସେ ଆଗେଇବାକୁ ଲାଗିଲା ।

 

କିଛିଦିନ ପରେ ସେ ଗୋଟାଏ ଉଚ୍ଚ ପାଚେରିଘେରି ସହର ପାଖରେ ପହଞ୍ଚିଲା । ଫାଟକ ପାଖରେ କେଇଜଣ ସିପାହି ଖଣ୍ଡା ଧରି ଜଗିଥିଲେ । ତାକୁ ଦେଖି ଜଣେ କହିଲା–“ତୁ କିଏ-? ଏଠିକି କାହିଁକି ଆସିଚୁ ?” ସେ କହିଲା–“ମୁଁ ମୋର ମା’ଙ୍କୁ ଖୋଜୁଚି । ସେ ନିଶ୍ଚେଁ ଏଇ ସହର ଭିତରେ ଅଛନ୍ତି । ମତେ ଟିକେ ଦୟାକରି ଭିତରକୁ ଛାଡ଼ିଦିଅ ।” ତା’ କଥା ଶୁଣି ସିପାହିମାନେ ଠୋ ଠୋ ହୋଇ ହସି କହିଲେ–“ତୋର ତ ଯେଉଁ ରୂପ, ଏଥିରେ କେଉଁ ମା’ ତତେ କୋଳକୁ ଟାଣିନବ-। ଯା, ଜଲ୍‍ଦି ପଳା ଏଠୁ ।” “ଏତିକିବେଳେ ଜଣେ ସେନାପତି ସେଠି ପହଞ୍ଚି ପଚାରିଲେ–“ଏ ପିଲାଟା କିଏ ?” ସିପାହିମାନଙ୍କଠୁ ସବୁ ଶୁଣି ସେ କହିଲା–“ଏ ଟୋକା ପୂରା ମିଛୁଆ । ତାକୁ ଛାଡ଼ନି । ତାକୁ ବିକି ଆମେ ମଦ ପିଇବା ।” ତାଙ୍କ କଥା ଶୁଣି ହଠାତ୍ ଗୋଟାଏ କୁତ୍ସିତ ବୁଢ଼ା ଆଗେଇ ଆସି କହିଲା–“ମୁଁ ଏଇ ପିଲାଟିକୁ କିଣିବି ।” ଏକଥା କହି, ବୋତଲେ ମଦର ଦାମ୍ ଥୋଇଦେଇ ସେ ପିଲାଟିକୁ ସାଙ୍ଗରେ ଧରି ଚାଲିଲା । ବହୁତ ବାଟ ଚାଲି ଚାଲି ପାହାଡ଼ ପାଖରେ ଗୋଟାଏ ପଥର ଘର ପାଖରେ ସେମାନେ ପହଞ୍ଚିଲେ । ଘରେ ପଶି ବୁଢ଼ା ତାକୁ ନେଇଗଲା ଗୋଟାଏ ସନ୍ତସନ୍ତିଆ ସାନ କୋଠରିକୁ । ତାକୁ ସେଠି ବସାଇ ତା' ସାମନାରେ ଥୋଇଦେଲା ଦି ଖଣ୍ଡ ଶୁଖିଲା ରୁଟି ଆଉ ଗିଲାସେ ପାଣି । କହିଲା–“ଏତକ ଖାଇ ଏଇଠି ଶୋଇଥା ।” ତା'ପରେ କବାଟରେ ଶିକୁଳି ଲଗାଇ ଦେଇ ଚାଲିଗଲା ।

 

ବୁଢ଼ାଟି ହେଉଚି ସେଇ ଦେଶର ଗୋଟିଏ ଭାରି ଦୁଷ୍ଟ ଗୁଣିଆ । ତା’ର ଏକମାତ୍ର କାମ ହେଲା ଅନ୍ୟକୁ କଷ୍ଟଦବା କି ଅନ୍ୟର କ୍ଷତି କରିବା । କେତେ କେତେ ଲୋକଙ୍କୁ କଳେବଳେ ଆଣି ସେ କଲବଲ କରି ମାରନ୍ତି । ତେଣିକି ଲୋକେ ହୁସିଆର ହୋଇଗଲେ, ଆଉ କେହି ତା’ ଫାନ୍ଦରେ ପଡ଼ିଲେ ନାହିଁ । ତେଣୁ, ଏଇ ପିଲାଟିକୁ ପାଇ ଗୁଣିଆ ବୁଢ଼ାର ଖୁସି କହିଲେ ନସରେ ।

 

ପରଦିନ ସକାଳୁ ବୁଢ଼ା ପିଲାଟିକୁ ଡାକି କହିଲା–“ମନଦେଇ ଶୁଣ । ହେଇ ଦୂରରେ ଯେଉଁ ବଣ ଦିଶୁଛି, ତା’ ଭିତରେ ମୁଣ୍ଡାଏ ଧଳା ସୁନା ରହିଛି । ତୁ ଆଜି ସଞ୍ଜ ଭିତରେ ସେଇ ସୁନା ମୁଣ୍ଡାକ ମତେ ଖୋଜି ଆଣି ଦବୁ । ନ ହେଲେ ତତେ ଏଇ ବେତରେ ଶହେ ପାହାର କଷି ଦେବି-।”-–ଏହା କହି ତାକୁ ଗୋଟାଏ ମୋଟା ଟାଣୁଆ ବେତ କାଢ଼ି ଦେଖାଇଲା । ତା’ପରେ ବୁଢ଼ା ତାକୁ ଆଣି ଦାଣ୍ଡରେ ଛାଡ଼ିଦେଲା ।

 

କିଛି ସମୟ ପରେ ପିଲାଟି ସେଇ ବଣ ଭିତରେ ପଶିଲା । ବାହାରୁ ବଣଟି କେଡ଼େ ସୁନ୍ଦର ଦିଶୁଥିଲା, ତା’ ଭିତରୁ ଶୁଭୁଥିଲା କେତେ ପ୍ରକାର ପକ୍ଷୀଙ୍କ ଗୀତ । ମାତ୍ର ସେ ସେଇ ବଣରେ ପଶିବା କ୍ଷଣି ସେ ସବୁ କୁଆଡ଼େ ଉଭେଇଗଲା, ଚାପିପଟେ ଖାଲି କଣ୍ଟାଗଛ ଆଉ ବିଲୁଆ ରଡ଼ି । ପିଲାଟି ମନ ଦୁଃଖରେ କାନ୍ଦୁଚି, ଏପରି ସମୟରେ ସେ ଶୁଣିଲା ଗୋଟାଏ ଆର୍ତ୍ତନାଦ । ସେଠିକି ଧାଇଁଯାଇ ଦେଖିଲା ଯେ ଠେକୁଆଟାଏ ଗୋଟାଏ ପାଣିରେ ପଡ଼ି ବିକଳ ହୋଇ ପାଟି କରୁଛି । ଠେକୁଆର ଛଟପଟ ଦେଖି ପଲାଟିର ମନ ତରଳି ଗଲା । ସେ ସାଙ୍ଗେ ସାଙ୍ଗେ ତାକୁ ସେଇ ପାଣିରୁ ମୁକୁଳାଇ ଦେଲା । ମୁକୁଳାଇ ଦବା ପରେ, ଠେକୁଆଟି କହିଲା–“ତୁମ ଲାଗି ମୁଁ ରକ୍ଷା ପାଇଲି । ଏବେ କୁହ, ତୁମପାଇଁ ମୁଁ କ'ଣ କରିବି ।” ପିଲାଟି କହିଲା–“ମୁଁ ମୁଣ୍ଡାଏ ଧଳା ସୁନା ଖୋଜୁଚି । ସେଟି ନ ପାଇ ପାରିଲେ, ମତେ ଶହେ ବେତ ଖାଇବାକୁ ହବ ।” ଠେକୁଆ କହିଲା, “ଏଇ କଥା ! ମୁଁ ଜାଣେ କେଉଁଠି ସେ ସୁନା ରହିଚି । ମୋ ସାଙ୍ଗରେ ଆସ ।” ଏହା କହି ଠେକୁଆଟି ତାକୁ ନେଇଗଲା ଗୋଟାଏ ମସ୍ତବଡ଼ ଗଛ ପାଖକୁ । ସେ ଗଛ ଗଣ୍ତିର ଗୋଟାଏ କୋରଡ଼ ଭିତରେ ଥୁଆ ହେଇଥିଲା ମୁଣ୍ଡାଏ ଧଳା ସୁନା ।

 

ସୁନା ମୁଣ୍ଡାଟି ଧରି ପିଲାଟି କହିଲା–“ତୁମେ ମୋର ବହୁତ ଉପକାର କଲ । ମୁଁ ସବୁଦିନେ ତୁମ ପାଖରେ ଋଣୀ ରହିବି ।”

 

ଠେକୁଆ କହିଲା–‘‘ନା, ନା, ତୁମେ ମତେ ସାହାଯ୍ୟ କରିଥିଲ, ତେଣୁ ମୁଁ ବି ତୁମକୁ ସାହାଯ୍ୟ କଲି ।” ଏହା କହି ଧାଇଁ ପଳାଇଗଲା ।

 

ସୁନା ମୁଣ୍ଡାଟି ଧରି ପିଲାଟି ଗୁଣିଆର ଘର ଆଡ଼କୁ ଚାଲିଲା । ଘର ପାଖାପାଖି ଆସି ଦେଖିଲା, ସଡ଼କ କଡ଼ରେ ବସିଚି ଗୋଟିଏ ବୁଢ଼ା କୁଷ୍ଠରୋଗୀ । ତା'ର ହାତ ପାଦ ନାହିଁ କହିଲେ ଚଳେ । ସେ ପିଲାଟିକୁ ଦେଖି ବଡ଼ ବିକଳ ହେଇ କହିଲା–“ବାପା, ତିନି ଦିନ ହେଲା ମୁଁ କିଛି ଖାଇନି । ମତେ କିଛି ଦିଅ, ନହେଲେ ମୋ ପ୍ରାଣ ବାହାରିଯିବ ।”

 

ପିଲାଟି ମନେ ମନେ ବିଚାରିଲା–“ମୁଁ କିଣା ଗୋଲାମ । ମୋ’ଠି ଏଇ ସୁନା ମୁଣ୍ଡାଟି ଛଡ଼ା ଆଉ ବା କ’ଣ ଅଛି । ଏଟି ନ ନେଇ ଗଲେ ମତେ ନିଶ୍ଚେଁ ଶହେ ପାହାର ମିଳିବ । ହେଲେ ଏ ବୁଢ଼ାଟିର ଯଦି ପ୍ରାଣ ରହିଯିବ, ତାହେଲେ ମୁଁ ପଛେ ସେଇ ବେତ ପାହାରତକ ସହିଯିବି ।” ଏଭଳି ବିଚାରି ସେ ସେଇ ବୁଢ଼ାକୁ ସୁନା ମୁଣ୍ଡାଟି ଦେଇଦେଲା ।

 

ଭିତରେ ପଶିବା କ୍ଷଣି ଗୁଣିଆ ପଚାରିଲା–“ଆଣିଚ ସେଇ ସୁନା ମୁଣ୍ଡା ?”

 

ପିଲାଟି କହିଲା–“ନାହିଁ, ଆଣି ପାରିନି ।”

 

ଏକଥା ଶୁଣି ରାଗରେ ଗୁଣିଆ ବେତଟା ବାଢ଼ି ତା'କୁ ଶହେ ପାହାର କଷି ଦେଲା । ମାଡ଼ ଖାଇ ତା’ ପିଠିରୁ ଧାର ଧାର ରକ୍ତ ବୋହିବାକୁ ଲାଗିଲା । ତାକୁ ବାଡ଼େଇ ସାରି ଗୁଣିଆ ସେଦିନ ତାକୁ ରୁଟି କି ପାଣି କିଛି ହେଲେ ନଦେଇ, ସେଇ ସନ୍ତସନ୍ତିଆ ଘରେ ବନ୍ଦ କରିଦେଲା ।

 

ତହିଁ ଆରଦିନ ସକାଳେ ଗୁଣିଆ କହିଲା–“ଶୁଣ ଟୋକା, ସେଇ ବଣ ଭିତରେ ମୁଣ୍ଡାଏ ହଳଦିଆ ସୁନା ରହିଛି । ତୁ ସେଇ ସୁନା ମୁଣ୍ତାଟା ଆଜି ମତେ ଆଣିଦବୁ । ଯଦି ନ ଆଣୁ, ତେବେ ତତେ ଦୁଇଶହ ପାହାର ଏଇ ବେତରେ କଷି ଦେବି ।”

 

ପିଲାଟି ପୁଣି ସେଇ ବଣରେ ପଶି ବଡ଼ ବିକଳ ହୋଇ କାନ୍ଦିବାକୁ ଲାଗିଲା । ଗଲାଥର ସିନା ଠେକୁଆଟି ତାକୁ ସାହାଯ୍ୟ କଲା ! ଏଥର ତା’ର ଚାରା କ'ଣ ? ଏତିକିବେଳେ ହଠାତ୍ ସେଇ ଠେକୁଆଟି ଆସି ତା’ ସାମନାରେ ଛିଡ଼ା ହେଇ ପଚାରିଲା–“କ'ଣ ହେଇଚି ତୁମର ? କାନ୍ଦୁଚ କାହିଁକି-?” ପିଲାଟିଠୁଁ ସବୁ ଶୁଣି ସେ କହିଲା–“ସେଇ ସୁନା ମୁଣ୍ଡା କେଉଁଠି ରହିଚି ମୁଁ ଜାଣେ । ମୋ ସାଙ୍ଗରେ ଆସ ।” ଏହା କହି ସେ ପିଲାଟିକୁ ଗୋଟିଏ ଝରଣା ପାଖକୁ ଡାକି ଆଣିଲା । ସେଇଠି ଗୋଟାଏ ଗାତ ଭିତରେ ଥୁଆ ହୋଇଥିଲା ମୁଣ୍ଡାଏ ହଳଦିଆ ସୁନା ! ସୁନା ମୁଣ୍ଡାକ ପାଇ ପିଲାଟି କହିଲା–“ତୁମେ ବଡ଼ ଦୟାଳୁ ! ତୁମ ଲାଗି ମୁଁ ରକ୍ଷା ପାଇଲି ।” ଠେକୁଆ କହିଲା–“ତୁମେ ମତେ ଆଗ ଦୟା କରିଥିଲ ।” ଏତକ କହି ସେ ପୁଣି ବଣ ଭିତରେ ଲୁଚିଗଲା ।

 

ସୁନା ମୁଣ୍ଡାଟି ଧରି ସେ ଫେରୁଚି, ଦେଖିଲା ସେଇ କୁଷ୍ଠ ରୋଗୀଟି ବଡ଼ ବିକଳ ହୋଇ କାନ୍ଦୁଛି । ପିଲାଟିକୁ ଦେଖି କହିଲା–“ମୋର ସବୁ କିଏ ନେଇ ଯାଇଛି । ମତେ କିଛି ଦିଅ ନ ହେଲେ ମୁଁ ନିଶ୍ଚେଁ ମରିଯିବି ।” ତା'ର କାନ୍ଦ ଶୁଣି ଆଉ ବିକଳ ଦେଖି ପିଲାଟିର ମନ ତରଳିଗଲା । ତିନିଶହ ବେତ ପାହାର କଥା ପଛରେ ପକାଇ ସେ ସେଇ ସୁନା ମୁଣ୍ଡାଟି ବଢ଼ାଇଦେଲା କୁଷ୍ଠ ରୋଗୀର ହାତକୁ ।

 

ସେଦିନ ସେ ସୁନା ଆଣିନି ଶୁଣି ଗୁଣିଆ ତାକୁ ପିଟିପିଟି ଦରମରା କରିଦେଲା । ତା’ପରେ ତା’ର ହାତ ଗୋଡ଼ ବାନ୍ଧି ତାକୁ ଭୋକ ଶୋଷରେ ରାତିଟାଯାକ ସେଇ ସନ୍ତସନ୍ତିଆ ଘରେ ବନ୍ଦ କରି ରଖିଲା । ତହିଁ ଆରଦିନ ସକାଳେ ସେ ଆସି ପିଲାଟିକୁ ପଦାକୁ କାଢ଼ିଆଣି କହିଲା–“ଯଦି ତୋର ଭଲ ଗତି ଅଛି ତ ମୋ କଥା ମନ ଦେଇ ଶୁଣ । ସେଇ ବଣ ଭିତରେ ମୁଣ୍ଡାଏ ନାଲି ସୁନାବି ରହିଛି । ତୁ ସେଇ ସୁନା ମୁଣ୍ଡାଟା ଆଣି ମତେ ଦେଲେ ତୁ ଖୁବ୍ ଭଲ ଖାଇବାକୁ ପାଇବୁ ଆଉ ଆରାମରେ ରହିବୁ । ଆଉ ଯଦି ନ ଆଣୁ, ତେବେ ନିଶ୍ଚେ ଜାଣିଥା, ଆଜି ମୁଁ ତତେ ପ୍ରାଣରେ ମାରିଦେବି ।”

 

ପିଲାଟି ପୁଣି ବଣ ଭିତରେ ପଶି କାନ୍ଦୁଛି । ଏପରି ସମୟରେ ସେଇ ଠେକୁଆଟି ଆସି ପହଞ୍ଚିଗଲା । ପିଲାଟିଠୁଁ ସବୁ ଶୁଣି ସେ କହିଲା–“କାନ୍ଦ ନାହିଁ । ତୁମ ପଛ ପଟ ପାହାଡ଼ରେ ଗୋଟାଏ ଗୁହା ଅଛି । ସେଇ ଗୁହା ଭିତରେ ମୁଣ୍ଡାଏ ନାଲି ସୁନା ରହିଛି ।” ତା’ କଥା ଶୁଣି ପିଲାଟି କହିଲା–“ତୁମେ ବଡ଼ ଭଲ । ତୁମେ ତିନିଥର ମତେ ରକ୍ଷା କଲ ।” “ପ୍ରଥମେ ତ ତୁମେଇ ମତେ ରକ୍ଷା କରିଥିଲ”–ଏକଥା କହି ଠେକୁଆଟି ବଣ ଭିତରକୁ ପଶିଗଲା ।

 

ଗୁହା ଭିତରେ ପଶି ପିଲାଟି ଦେଖିଲା, ଗୋଟାଏ କଣରେ ଥୁଆ ହେଇଛି ମୁଣ୍ଡାଏ ନାଲି ସୁନା । ସେଇ ସୁନାର ଜ୍ୟୋତିରେ ଗୁହାସାରା ଝଲମଲ ହେଉଥାଏ । ସେ ମୁଣ୍ଡାଏ ଆଣି ନିଜ ମୁଣିରେ ରଖି ଚଞ୍ଚଳ ଗୁଣିଆ ଘର ଆଡ଼େ ଚାଲିଲା । ଯାଉ ଯାଉ ବାଟରେ ପୁଣି ସେଇ କୁଷ୍ଠ ରୋଗୀ ସାଙ୍ଗରେ ଭେଟ ହୋଇଗଲା । କୁଷ୍ଠ ରୋଗୀଟି କହିଲା–“ବାବୁ, ମତେ ହୁକୁମ ହୋଇଛି ମୁଣ୍ଡାଏ ନାଲି ସୁନା ଆଣି ପାରିଲେ ମୋର ରୋଗଭଲ ହେଇଯିବ, ମୁଁ ଆଗପରି ହେଇଯିବି । ତୁମ ଗୋଡ଼ତଳେ ପଡ଼ୁଚି ବାବୁ, ମତେ ସେଇ ସୁନା ମୁଣ୍ଡାକ ଦିଅ । ତୁମେ ନ ଦେଲେ ମୁଁ ଜୀବନସାରା ଏମିତି କଲବଲ ହେବି ।" ତା’ର କଥା ଶୁଣି ଆଉ ତା’ର ଅବସ୍ଥା ଦେଖି ପିଲାଟିର ମନ ତରଳିଗଲା-। ସେ ବିଚାରିଲା “ସୁନା ମୁଣ୍ଡାକ ନ ନେଇ ଗଲେ ଗୁଣିଆ ମତେ ପ୍ରାଣରେ ମାରିଦବ । ମୁଁ ମରିବା ପରେ, ହେଲେ ଏଇ ବୁଢ଼ାଟି ଭଲ ହୋଇଯାଉ ।” ଏକଥା ବିଚାରି ସେ ସେଇ ସୁନା ମୁଣ୍ଡାକୁ ବୁଢ଼ା ହାତକୁ ବଢ଼ାଇଦେଲା ।

 

ସୁନାତକ ଦେଇ ସାରି ପିଲାଟି ବଡ଼ ମନ କଷ୍ଟରେ ସହର ଭିତର ଦେଇ ଆଗେଇ ଚାଲିଚି ଗୁଣିଆ ଘର ଆଡ଼େ । କାରଣ ସେ ଜାଣିଚି ଯେ, ଆଜି ତା’ ଜୀବନର ଶେଷ ଦିନ । ଆଜି ନିଶ୍ଚେ ସେଇ ଗୁଣିଆ ତାକୁ ପ୍ରାଣରେ ମାରି ପକାଇବ । ହଠାତ୍ ସେ ଦେଖିଲା, ସିପାହିମାନେ ଭୂଇଁରେ ମୁଣ୍ଡ ଲଗାଇ ତାକୁ ପ୍ରଣାମ କରି କହୁଚନ୍ତି–“ସତେ ଆମ ରଜା କେଡ଼େ ସୁନ୍ଦର, କେଡ଼େ ରୂପବାନ୍ !” ଚାହୁଁ ଚାହୁଁ ତା’ ଚାରିପଟେ ବହୁତ ଲୋକଙ୍କର ଭିଡ଼ ଜମିଗଲା । ସେମାନେବି ତାକୁ ଦଣ୍ଡବତ କରି କହିବାକୁ ଲାଗିଲେ–“ଠିକ୍ କଥା, ଆମ ରଜାଙ୍କ ପରି ସୁନ୍ଦର ରୂପ ପୃଥିବୀରେ ଆଉ କାହାରି ନାହିଁ ।” ଏ ସବୁ ଘଟଣା ଦେଖି ପିଲାଟି ଏକାବେଳକେ କାବା ହୋଇଗଲା । ପ୍ରଥମେ ସେ ଭାବିଲା ଯେ, ତା’ର ଅସୁନ୍ଦର ରୂପ ସକାଶେ ସେମାନେ ତାକୁ ଥଟ୍ଟା କରୁଚନ୍ତି । ମାତ୍ର ଟିକେ ପରେ ଦେଖିଲା ଯେ, ରଜାଙ୍କ ନଅର ଭିତରୁ ମନ୍ତ୍ରୀ, ସେନାପତି ଓ ରାଜପୁରୋହିତ ତାକୁ ପାଛୋଟି ନବା ଲାଗି ଆସିଲେ । ସେମାନେ ପହଞ୍ଚି କହିଲେ–“ଆପଣ ଆମର ରାଜପୁତ୍ର, ଆମର ମାଲିକ । ବହୁ ବର୍ଷ ହେଲା ଆମେ ଆପଣଙ୍କୁ ଅପେକ୍ଷା କରି ବସିଥିଲୁ ।”

 

ସେମାନଙ୍କ କଥା ଶୁଣି ପିଲାଟି କହିଲା–“ମୁଁ ତ ରାଜପୁତ୍ର ନୁହେଁ, ମୁଁ ଗୋଟିଏ ଭିକାରୁଣୀର ପୁଅ । ଆଉ ମତେ ସୁନ୍ଦର ବୋଲି କହୁଚ କାହିଁକି ? ପ୍ରକୃତରେ ମୋ ରୂପ ତ ନିହାତି କୁତ୍ସିତ ! “ଏ କଥା ଶୁଣି ଜଣେ ସିପାହି ତା’ ପାଖକୁ ଆଗେଇ ଆସି କହିଲା–“ମଣିମା ଆମେ ମିଛ କହୁ ନାହୁଁ, ଅତି ସୁନ୍ଦର ଆପଣଙ୍କର ରୂପ । ହେଇ ଦେଖନ୍ତୁ”–କହି ପିଲାଟି ମୁହଁ ସାମନାରେ ସେ ହାତରେ ଧରିଥିବା ଚକଚକିଆ ପିତଳ ଢାଲଟା ଟେକି ଧରିଲା । ସେଇ ଢାଲକୁ ଚାହିଁ ପିଲାଟି ଦେଖିଲା ଯେ, ତା’ର ପୂର୍ବ ରୂପ ଫେରି ଆସିଚି ।

 

ଏତିକିବେଳେ ମନ୍ତ୍ରୀ ଆଣ୍ଠୁ ମାଡ଼ି ବସି କହିଲେ–“ବହୁ ବର୍ଷ ପୂର୍ବେ ଦୈବବାଣୀ ହୋଇଥିଲା ଯେ, ଠିକ୍ ଏଇ ଦିନ ଆମ ରାଜପୁତ୍ର ଫେରି ଆସିବେ । ଆପଣହିଁ ଆମର, ଏ ଦେଶର ମାଲିକ । ଆସନ୍ତୁ, ଆପଣ ମୁକୁଟ ପିନ୍ଧି, ସିଂହାସନରେ ବସି ଏ ଦେଶ ଶାସନ କରିବେ ।”

 

ପିଲାଟି କହିଲା–“ନା, ନା, ମୁଁ ବଡ଼ ପାପୀ, ନିହାତି ଅଯୋଗ୍ୟ । ମୁଁ ମୋର ମା’ଙ୍କୁ ଅପମାନ କରି ତଡ଼ି ଦେଇଚି । ତାଙ୍କଠୁଁ କ୍ଷମା ନ ପାଇବା ଯାଏଁ ମୋର ଶାନ୍ତି ନାହିଁ । ମତେ ତୁମେମାନେ ଛାଡ଼ିଦିଅ; ମୁଁ ଆଗ ମୋର ମାଙ୍କୁ ଭେଟି ତାଙ୍କୁ କ୍ଷମା ମାଗି ସାରେ, ତା’ପରେ ଅନ୍ୟ କଥା ।” ଏ କଥା କହୁ କହୁ ତା’ର ନଜର ପଡ଼ିଲା ବାଁ ପଟର ଭିଡ଼ ଉପରେ । ଦେଖିଲା, ସେଇ ଭିଡ଼ ଭିତରେ ଛିଡ଼ା ହେଇଚନ୍ତି ତା’ର ମା, ଆଉ ସେଇ ବୁଢ଼ା କୁଷ୍ଠ ରୋଗୀ ।

 

ପାଗଳ ପରି ଧାଇଁ ଯାଇ ପିଲାଟି ତା’ ମା’ର ପାଦ ତଳେ ପଡ଼ି କାନ୍ଦି କାନ୍ଦି କହିଲା–“ମୁଁ ବଡ଼ ଅପରାଧୀ, ତୁମେ ମତେ କ୍ଷମା କର, ନ ହେଲେ ମୋର ଶାନ୍ତି ନାହିଁ ।” ଏହା କହି ତା’ ମା'ର ପାଦ ଦୁଇଟିକୁ ବାରମ୍ବାର ଚୁମା ଦବାକୁ ଲାଗିଲା । ତଥାପି ତା’ର ମା ପଦେ କଥା କହିଲା ନାହିଁ ।

 

ସେଠୁ ପିଲାଟି ସେଇ କୁଷ୍ଠ ରୋଗୀର ପାଦ ଦିଓଟି କୁଣ୍ଢାଇ ଧରି କହିଲା–“ତିନି ଥର ମୁଁ ତୁମକୁ ମୋର ପାରୁପର୍ଯ୍ୟନ୍ତ ସାହାଯ୍ୟ କରିଚି । ତୁମେ ଟିକିଏ ମୋ ମାଙ୍କୁ କହ ମତେ କ୍ଷମା କରିବାପାଇଁ ।” ମାତ୍ର କୁଷ୍ଠ ରୋଗୀଟିବି ପଦେ ହେଲେ କଥା କହିଲା ନାହିଁ ।

 

ସେଠୁ ପିଲାଟି କାନ୍ଦି କାନ୍ଦି କହିଲା–“ହଉ, ତା’ ହେଲେ ମୁଁ ଯାଉଚି ମୋର ବାକି ଜୀବନଟା ବଣରେ ରହି କଟାଇ ଦେବି ।”

 

ଏ କଥା ଶୁଣି ଭିକାରୁଣୀ ତା’ ମୁଣ୍ଡରେ ହାତ ରଖି କହିଲା–“ଉଠ” । ପିଲାଟି ଉଠିପଡ଼ି ଦେଖିଲା କାହିଁ ସେ ଭିକାରୁଣୀ, କାହିଁ ବା ସେ କୁଷ୍ଠରୋଗୀ । ତା’ ସାମନାରେ ଛିଡ଼ା ହେଇଚନ୍ତି ଜଣେ ରଜା ଆଉ ରାଣୀ ।

 

ରାଣୀ କହିଲେ–“ଏଇ ତୋର ବାପା, ଯାହାଙ୍କୁ ତୁ ଦୟା କରିଥିଲୁ ।”

 

ରଜା କହିଲେ–“ଏଇ ତୋର ମା, ଯାହାଙ୍କ ପାଦକୁ ତୁ ଚୁମା ଦେଲୁ ।”

 

ତା’ପରେ ରଜା ରାଣୀ ଦିହେଁ ତା’ ହାତ ଧରି ନଅର ଭିତରକୁ ନେଇଗଲେ । ସେଠି ତାକୁ ଖୁବ୍ ସୁନ୍ଦର ନୂଆ ଲୁଗା ପିନ୍ଧାଇ, ସିଂହାସନରେ ବସାଇ ଅଭିଷେକ କରାହେଲା । ରଜା ହୋଇ ପିଲାଟି ଆଗ ସେଇ କାଠୁରିଆ ପାଖକୁ ଲକ୍ଷେ ଟଙ୍କା ପଠାଇ ଦେଲା ଆଉ ଦୟା ଓ ନ୍ୟାୟ ଧର୍ମରେ ନିଜ ରାଜ୍ୟ ଶାସନ କରିବାକୁ ଲାଗିଲା ।

Image

 

ଲାଲ ଗୋଲାପ

 

ବସନ୍ତ କାଳ । ଚାରିଆଡ଼େ କେତେ ରଙ୍ଗର ଫୁଲ ଫୁଟିଥାଏ । ଲୋକମାନେ ଖୁସିରେ ବୁଲୁଥାନ୍ତି । ମାତ୍ର ଜଣେ ଛାତ୍ର ଗୋଟେ ଘର ଭିତରେ ଟେବୁଲ ଉପରେ ହାତରଖି ମୁହଁ ଶୁଖେଇ ବସି ରହିଥାଏ ।

 

ହଠାତ୍ ଛାତ୍ର କହି ଉଠିଲା, “ସିଏ କହିଚି ଯେ ତାକୁ ଗୋଟେ ଲାଲ ଗୋଲାପ ଦେଲେ ସିଏ ମୋର ସାଙ୍ଗରେ ନାଚିବ । କିନ୍ତୁ କ’ଣ କରିବି ? ମୋ ବଗିଚାରେ ଗୋଟିଏ ହେଲେ ଲାଲ ଗୋଲାପ ନାହିଁ ।”

 

ବରଗଛ ଉପରେ ବସି କୋଇଲିଟିଏ ତା' କଥା ଶୁଣିଲା । ଆଖି ବନ୍ଦକରି ସେ କଥାଗୁଡ଼ାକର ମାନେ ବୁଝିବାକୁ ଚେଷ୍ଟାକଲା ।

 

ଛାତ୍ରଟି ପୁଣି କହିଉଠିଲା, “ହାୟରେ, ବଗିଚାରେ ଗୋଟିଏ ହେଲେବି ଲାଲ ଗୋଲାପ ନାହିଁ”, କହୁ କହୁ ଲୁହ ଭରିଗଲା ତା’ର ନୀଳ ଆଖିରେ । “ମୁଁ ଏତେ ପାଠ ପଢ଼ିଛି, ଦର୍ଶନ ଶାସ୍ତ୍ରର ସବୁ କିଛି ମତେ ଜଣା–ତଥାପି ଗୋଟେ ଲାଲ ଗୋଲାପ ପାଇଁ ମୋ ଜୀବନଟା ଆଜି ଦୁଃଖମୟ ।”

 

କୋଇଲି କହିଲା, “ୟା କଥାରୁ ଜଣାଯାଉଚି ଯେ, ତା’ ଭଲପାଇବା ଏକଦମ ଖାଣ୍ଟି ।”

 

ଛାତ୍ରଟି କହିଲା, “କାଲି ରାଜସଭାରେ ଯେଉଁ ଭୋଜି ହବ ସେଥିରେ ସେ ଝିଅଟି ନାଚିବ-। ମୁଁ ତାକୁ ଗୋଟେ ଲାଲ ଗୋଲାପ ଦେଇ ପାରିଲେ ସେ ମୋ ସାଙ୍ଗେ ରାତିସାରା ନାଚିବ-। ଯଦି ଲାଲ ଗୋଲାପ ଦିଏ, ତା'ହେଲେ ମୁଁ ତା’ର ହାତ ଧରି ପାରିବି ଆଉ ସେ ମୋ କାନ୍ଧରେ ମୁଣ୍ଡ ରଖି କେତେ କଥା କହିବ । କିନ୍ତୁ ମୋ ବଗିଚାରେ ଲାଲ ଗୋଲାପ ନାହିଁ, ତେଣୁ ମୁଁ ଚୁପ୍‍ଚାପ୍ ଠିଆ ହେଇଥିବି ଆଉ ସେ ମତେ ଦେଖି ନ ଦେଖିଲା ଭଳି ଚାଲିଯିବ । ସେଇ ଦୁଃଖରେ ମୋର ଛାତି ଫାଟିଯିବ ।”

 

“ଆହା–ୟେ ପ୍ରକୃତରେ ଭଲପାଏ”, କୋଇଲି କହିଲା । ଭଲ ପାଇବା ଗୋଟିଏ ଆଶ୍ଚର୍ଯ୍ୟ ଜିନିଷ । ମଣି ମୁକ୍ତା ଠୁଁ ବି ତା’ର ମୂଲ୍ୟ ବେଶି । ମୁକ୍ତା ଦେଇ ତାହା କିଣି ହୁଏନି କି ବଜାରରେ ତାହା ବିକ୍ରି ହୁଏନି । ବଣିକମାନେ ଏହା ନେଇ ବାଣିଜ୍ୟ କରନ୍ତି ନାହିଁ କି ସୁନା ପରି ଏହାର ଓଜନ କରି ହୁଏନି ।”

 

ତରୁଣ ଛାତ୍ରଟି କହିଲା, “କେତେ ଆଲୁଅ ଜଳିବ–କେତେ ବାଜା ବାଜିବ । ସମସ୍ତେ ନୂଆ ପୋଷାକ ପିନ୍ଧି ନାଚିବେ, ସେଇ ଝିଅଟି ମଧ୍ୟ ନାଚିବ । କିନ୍ତୁ ମୋ ସାଙ୍ଗରେ ସେ ନାଚିବ ନାହିଁ, କାରଣ ତାକୁ ଦେଲା ଭଳି ମୋ ପାଖରେ ଗୋଟିଏ ହେଲେବି ଲାଲ ଗୋଲାପ ନାହିଁ ।” ଏହା କହି ସେ ତା’ ଟେବୁଲ ଉପରେ ମୁଣ୍ଡ ରଖି କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା ।

 

ଝରକା ବାଟ ଦେଇ ଗୋଟେ ଝିଟିପିଟି ଯାଉଥିଲା, ଛାତ୍ରଟିର କାନ୍ଦ ଦେଖି ସେ ପଚାରିଲା, “ମଲା, ୟେ ଲୋକଟା କାହିଁକି କାନ୍ଦୁଚି ମ ?”

 

କୋଇଲି କହିଲା, “ଗୋଟିଏ ଲାଲ ଗୋଲାପ ପାଇଁ ।”

 

“ଏ ମା ! ଗୋଟିଏ ଲାଲ ଗୋଲାପ ପାଇଁ ଏଡ଼େ ବଡ଼ ଲୋକଟା କାନ୍ଦୁଚି” କହି ହସି ହସି ଝିଟିପିଟି ପଳେଇଲା ।

 

କିନ୍ତୁ ଛାତ୍ରଟିର ମନ ଦୁଃଖ କୋଇଲି ବୁଝି ପାରିଥିଲା । ବରଗଛ ଡାଳ ଉପରେ ବସି ସେ ଭାବିବାକୁ ଲାଗିଲା କେମିତି କରି ସେ ଛାତ୍ରଟିର ଦୁଃଖ ଦୂର କରିବ ।

 

ହଠାତ୍ ସେ ଡେଣା ମେଲି ଦେଇ ଉଡ଼ି ଚାଲିଲା । ଉଡ଼ି ଉଡ଼ି ସେ ଦେଖିଲା ଯେ, ଗୋଟିଏ ପଡ଼ିଆରେ ଗୋଟିଏ ଲାଲ ଗୋଲାପ ଅଛି ।

 

କୋଇଲି ଗୋଲାପ ଗଛ ପାଖକୁ ଯାଇ କହିଲା, “ତୁମେ ମତେ ଗୋଟିଏ ଲାଲ ଗୋଲାପ ଦବ ? ତା’ ହେଲେ ମୁଁ ତୁମକୁ ମୋର ସବୁଠୁ ମିଠା ଗୀତ ଶୁଣେଇବି ।”

 

କିନ୍ତୁ ଗୋଲାପ ଗଛ କହିଲା, “ମୋର ସବୁତକ ଗୋଲାପ ଧଳା । ସମୁଦ୍ର ଫେଣ ଠାରୁ ମଧ୍ୟ ଆହୁରି ଧଳା । କିନ୍ତୁ ସେଇ ଆଡ଼େ ମୋର ଗୋଟେ ଭଉଣୀ ଅଛି, ମୋର ମନେ ହୁଏ ସିଏ ତୁମକୁ ସାହାଯ୍ୟ କରିପାରିବ ।”

 

କୋଇଲି ସେଠୁ ଧଳା ଗୋଲାପର ଭଉଣୀ ପାଖକୁ ଗଲା । “ମତେ ଗୋଟିଏ ଲାଲ ଗୋଲାପ ଦିଅ, ତା’ ହେଲେ ମୁଁ ତୁମକୁ ମୋର ସବୁଠାରୁ ମିଠା ଗୀତ ଶୁଣେଇବି ।”

 

ଗୋଲାପ ଗଛ ମୁଣ୍ଡ ହଲେଇ କହିଲା, “ମୋର ଗୋଲାପତକ ସବୁ ହଳଦିଆ–ସୂର୍ଯ୍ୟମୁଖୀ ଫୁଲଠାରୁ ମଧ୍ୟ ଆହୁରି ହଳଦିଆ ।

 

ସେଇ ଛାତ୍ରଟିର ଝରକା ତଳେ ମୋର ଜଣେ ଭଉଣୀ ଅଛି, ମୋର ମନେ ହୁଏ ତୁମେ ଯାହା ଚାହୁଁଛ ସେ ତୁମକୁ ତାହା ଦେଇ ପାରିବ ।’’

 

କୋଇଲି ସେଠୁ ଛାତ୍ରଟିର ଝରକା ତଳେ ଥିବା ଗୋଲାପ ଗଛ ପାଖକୁ ଯାଇ କହିଲା, “ମତେ ଗୋଟେ ଲାଲ ଗୋଲାପ ଦେଲେ ମୁଁ ତୁମକୁ ମୋର ସବୁଠାରୁ ମିଠା ଗୀତ ଶୁଣେଇବି ।”

 

ଗୋଲାପ ଗଛ କହିଲା, “ମୋର ସବୁତକ ଗୋଲାପ ଲାଲ–ରକ୍ତ ଠାରୁ ମଧ୍ୟ ଆହୁରି ଲାଲ । କିନ୍ତୁ ହାୟ, ଏ ବର୍ଷ ଶୀତରେ ମୋର ରସ ଜମି ଯାଇଚି, ଡାଳ ଭାଙ୍ଗି ଯାଇଚି ଆଉ କଢ଼ ସବୁ ମରି ଯାଇଚି । ତେଣୁ ଏଥର ମୁଁ ଗୋଟେ ହେଲେବି ଫୁଲ ଫୁଟେଇ ପାରିବିନି ।”

 

କୋଇଲି କହିଲା, କିନ୍ତୁ......ମୋର ଗୋଟିଏ ଲାଲ ଗୋଲାପ ନିହାତି ଦରକାର । ସେଟା ପାଇବାର କ’ଣ କିଛି ଉପାୟ ନାହିଁ ?”

 

“ହଁ, ଉପାୟ ଅଛି,” ଗୋଲାପ ଗଛ କହିଲା, “କିନ୍ତୁ ତାହା ଏତେ ଭୟଙ୍କର ଯେ, ମତେ କହିବାକୁ ସାହସ ହଉନି ।”

“ନାଇ, ନାଇ...–ତୁମେ ଡରନି । କ’ଣ ସେ ଉପାୟ କୁହ, ମୁଁ ମୋଟେ ଡରିବିନି ।”

 

ଗୋଲାପ ଗଛ ସେଠୁ କହିଲା, “ଆଚ୍ଛା, ତାହେଲେ ଶୁଣ । ପ୍ରକୃତରେ ତୁମେ ଯଦି ଲାଲ ଗୋଲାପ ଚାହଁ, ତା'ହେଲେ ତୁମକୁ ଜହ୍ନ ଆଲୁଅରେ ଗୀତ ଗାଇବାକୁ ହବ ଆଉ ନିଜ ଛାତି ରକ୍ତରେ ଫୁଲକୁ ଲାଲ କରିବାକୁ ହବ । ମୋ କଣ୍ଟାରେ ଛାତିକୁ ବିନ୍ଧେଇ ତୁମେ ରାତିସାରା ମତେ ଗୀତ ଶୁଣେଇବ । ମୋ କଣ୍ଟା ତୁମର ହୃତପିଣ୍ଡରେ ବିନ୍ଧି ହେଇଯିବ, ଆଉ ତୁମର ସେଇ ଛାତିର ରକ୍ତ, ମୋ ଶିରାରେ ବହିଲେ ଫୁଲ ଫୁଟିବ । କ'ଣ ପାରିବ ?”

କୋଇଲି କହିଲା, “ଗୋଟିଏ ଲାଲ ଗୋଲାପ ପାଇଁ ମତେ ମରିବାକୁ ହବ ? ୟେ ତ ବହୁତ ବେଶି ଦାମ୍ । ବଞ୍ଚି ରହିବାକୁ କିଏ ସୁଖ ନ ପାଏ ? ତଥାପି ମୁଁ କହିବି ଯେ, ଭଲପାଇବାର ମୂଲ୍ୟ ବଞ୍ଚି ରହିବାଠାରୁ ବେଶି–ତା’ ଛଡ଼ା ଜଣେ ମଣିଷର ହୃଦୟ ତୁଳନାରେ ଗୋଟେ ଚଢ଼େଇର ହୃତପିଣ୍ଡ ଅତି ତୁଚ୍ଛ ।”

ଏହା କହି ସେ ତା’ କଳା ଡେଣା ମେଲି ଗଭୀର ବଣ ଉପର ଦେଇ ଉଡ଼ି ଚାଲିଲା ।

ତରୁଣ ଛାତ୍ରଟି ସେତେବେଳଯାଏଁ ଟେବୁଲ ଉପରେ ହାତ ରଖି ବସିଥାଏ । ତା’ ଆଖିରୁ ଲୁହ ଶୁଖି ନଥାଏ ।

କୋଇଲି ତା’ ଝରକା ପାଖକୁ ଯାଇ କହିଲା, “ତୁମେ ଆଉ କାନ୍ଦ ନାହିଁ । ନିଜ ଛାତିର ରକ୍ତ ଦେଇ ମୁଁ ଗୋଟେ ଲାଲ ଗୋଲାପ ତିଆରି କରିବି–ଆଉ ତା’ ପ୍ରତିଦାନରେ ମୁଁ ଚାହେଁ ଯେ, ତୁମର ଭଲ ପାଇବା ଅମର ହେଉ । ପୃଥିବୀରେ ଯେତେ ଶକ୍ତି ଅଛି, ତା’ ମଧ୍ୟରୁ ଭଲ ପାଇବା ସବୁଠାରୁ ଶକ୍ତିଶାଳୀ । ଭଲ ପାଇବାର ଦେହଟା ନିଆଁ ଭଳି, ତା’ ଓଠଟା ମହୁ ଭଳି ମିଠା, ଆଉ ତା’ର ନିଃଶ୍ୱାସରେ ପୂରି ରହିଚି ଧୂପର ସୁଗନ୍ଧ ।”

ଛାତ୍ରଟି ଟେବୁଲ ଉପରୁ ମୁଣ୍ଡ ଟେକି ତା’ ଆଡ଼କୁ ଅନେଇଲା; କିନ୍ତୁ ସେ କୋଇଲିର କଥା କିଛି ବୁଝି ପାରିଲା ନାହିଁ; କାରଣ ବହିରେ ଯାହା ଲେଖାଥିଲା ତା’ ଠାରୁ ବେଶି ସେ କିଛି ଜାଣିନଥିଲା ।

କିନ୍ତୁ ବରଗଛ କୋଇଲିର କଥା ଶୁଣି ଭାରି ଦୁଃଖିତ ହେଲା କାରଣ ସେ ତାକୁ ଭଲ ପାଇଥିଲା ।

 

ଫୁସ୍ ଫୁସ୍ ହେଇ ବରଗଛ କହିଲା, “ମତେ ତୁମର ଶେଷ ଗୀତ ଶୁଣେଇ ଦେଇ ଯାଅ-।”

 

କୋଇଲି ସେଠୁ ତା’ର ଶେଷ ଗୀତ ଗାଇଲା । ତା’ର ସ୍ୱର ଶୁଣି ମନେ ହେଲା ଯେମିତି ରୁପେଲି ସୋରେଇରୁ ପାଣି ଉଛୁଳି ପଡ଼ୁଚି ।

 

ଦେଖୁ ଦେଖୁ ସୂର୍ଯ୍ୟ ବୁଡ଼ି ଗଲେ । ଚାରିଆଡ଼ ଅନ୍ଧାର ହେଇ ଆସିଲା । ଜହ୍ନ ଉଇଁଲା ବେଳକୁ କୋଇଲି ଯାଇ ସେ ଗୋଲାପ ଗଛ ଉପରେ ନିଜ ଛାତିକୁ ମାଡ଼ି ବସିଲା । ସାରା ରାତି ସେ ଗୀତ ଗାଇବାକୁ ଲାଗିଲା ଆଉ କଣ୍ଟାଟି ଆସ୍ତେ ଆସ୍ତେ ତା’ର ଛାତି ଭିତରେ ପଶିବାକୁ ଲାଗିଲା-

 

ଗୋଲାପ ଗଛ କହିଲା, “କୋଇଲି ଭାଇ, ତୁମେ ଆହୁରି ଜୋର୍‍ରେ ତୁମ ଛାତିକୁ ଚାପି ଧର, ନହେଲେ ମୋ ଫୁଲ ଫୁଟିବା ପୂର୍ବରୁ ସକାଳ ହୋଇଯିବ ।”

 

କଣ୍ଟାଟି ଯେତେବେଳେ ପୂରାପୂରି ତା’ର ହୃତପିଣ୍ଡରେ ପଶିଗଲା, ସେତେବେଳେ ରକ୍ତ ପରି ଲାଲ ହୋଇ ଗୋଲାପଟିଏ ଫୁଟିଲା ।

 

ଗୋଲାପ ଗଛ କହିଲା, “ଦେଖ, ଦେଖ, କେଡ଼େ ସୁନ୍ଦର ଫୁଲ ଫୁଟିଚି ।”

 

କିନ୍ତୁ ହାୟ, ସେତେବେଳେ କୋଇଲି ମରି ପଡ଼ିଥାଏ ଲମ୍ବା ଘାସ ଉପରେ ଆଉ ତା’ ଛାତିରେ ଲାଖି ରହିଥାଏ ଗୋଲାପ କଣ୍ଟା ।

 

ସକାଳେ ଝରକା ଖୋଲି ଲାଲ ଗୋଲାପଟିକୁ ଦେଖି ଛାତ୍ରଟି କହିଲା, “ବାଃ, କି ସୁନ୍ଦର ଗୋଲାପ ।”

 

ତା’ପରେ ସେ ତର ତର ହେଇ ଲୁଗା ପିନ୍ଧି ଗୋଲାପଟିକୁ ନେଇ ଚାଲିଲା ସେଇ ଝିଅଟି ଘର ଆଡ଼େ ।

 

ସେ ଗଲା ବେଳକୁ ଦେଖିଲା ଯେ, ଝିଅଟି କବାଟ ପାଖରେ ବସି ଉଲ ବୁଣୁଥାଏ ।

 

ତା’ ପାଖକୁ ଯାଇ ଛାତ୍ରଟି କହିଲା, “ତୁମେ କହିଥିଲ ଯେ, ତୁମକୁ ଗୋଟିଏ ଲାଲ ଗୋଲାପ ଦେଲେ ତୁମେ ମୋ ସାଙ୍ଗରେ ନାଚିବ । ଏଇ ନିଅ । ଏଇ ଫୁଲଟି ଆଜି ତୁମେ ତୁମର ନୂଆ ପୋଷାକ ସାଙ୍ଗେ ପିନ୍ଧି ନାଚିବ ।”

 

ଝିଅଟି କିନ୍ତୁ କିଛି ମାତ୍ର ଖୁସି ହେଲାନି ।

 

“ମୋ ଲୁଗା ସାଙ୍ଗରେ ଫୁଲଟି ମାନିବନି,” ଝିଅଟି କହିଲା, “ତା’ ଛଡ଼ା ମନ୍ତ୍ରୀଙ୍କ ପୁଅ ମତେ ମୁକ୍ତାର ହାର ପଠେଇଛନ୍ତି । ଆଉ ଏଟା ସମସ୍ତେ ଜାଣନ୍ତି ଯେ, ଫୁଲଠୁଁ ମୁକ୍ତାର ଦାମ୍ ବେଶି-।”

 

ଛାତ୍ରଟି ରାଗିଯାଇ କହିଲା, “ତୁମେ ତ ଭାରି ଅକୃତଜ୍ଞ !”

 

ଏହା କହି ସେ ଫୁଲଟିକୁ ରାସ୍ତାରେ ଫୋପାଡ଼ି ଦେଲା ।

 

ଗୋଲାପଟି କାଦୁଅ ଭିତରେ ପଡ଼ିଗଲା ଆଉ କିଛି ସମୟ ପରେ ଗୋଟେ ଶଗଡ଼ ଗାଡ଼ି ସେଟାକୁ ଦଳିଚକଟି ଦେଇ ଚାଲିଗଲା ।

 

ଝିଅଟି କହିଲା, “କ’ଣ କହିଲ ? ମୁଁ ଅକୃତଜ୍ଞ ? ତୁମର ତ ସାହସ କମ୍ ନୁହେଁ ? ତୁମେ କ’ଣ ନିଜକୁ ରାଜା ବୋଲି ଭାବିଚ ? ତୁମେ ତ ସାମାନ୍ୟ ଜଣେ କଲେଜ ଛାତ୍ର–ମନ୍ତ୍ରୀଙ୍କ ପୁଅର ସୁନାର ଘଡ଼ି ଅଛି, ତୁମର ତା’ ବି ନାହିଁ ।"

 

ଏହା କହିଦେଇ ଝିଅଟି ଘରେ ପଶି କବାଟ କିଳିଦେଲା ।

 

ରାସ୍ତା ଦେଇ ଯାଉ ଯାଉ ଛାତ୍ରଟି କହିଲା, “ଭଲ ପାଇବା ମାନେ–ବୋକାମି । ଭଲପାଇବା କୌଣସି ଉପକାର କରେନି କି ଦରକାରରେ ମଧ୍ୟ ଲାଗେନି । ବର୍ତ୍ତମାନ କାମିକା ହୋଇ ନ ପାରିଲେ ବଞ୍ଚିବାର କୌଣସି ମୂଲ୍ୟ ନାହିଁ । ନାଃ–ଆଜିଠାରୁ ଆଉ ପାଠ ଛଡ଼ା ଅନ୍ୟ କୌଣସି କଥା ଭାବିବି ନାହିଁ ।”

 

ଏହା କହି ସେ ଘରକୁ ଆସି ଆଲମିରାରୁ ଗୋଟେ ମୋଟା ବହି ବାହାର କରି ପଢ଼ିବସିଲା ।

Image